ଆଶା କର୍ମଚାରୀ ମାନଙ୍କର ଦୀର୍ଘ ଦିନର ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ଏବଂ ଓଡ଼ିଶା ସରକାର ଏଥିପାଇଁ ଜାତୀୟ ସ୍ତରରେ ପ୍ରଶଂସା ପାଇ ଆସୁଥିଲାବେଳେ ଆଶାକର୍ମୀ ମାନଙ୍କର ନିଷ୍ଠାପର ଉଦ୍ୟମ ଫଳରେ ଏହା ସମ୍ଭବପର ହୋଇପାରିଛି । ମାତ୍ର ରାଜ୍ୟ ସରକାର ଏହି ଆଶାକର୍ମୀ ମାନଙ୍କୁ ଅଣଦେଖା କରିଆସୁଛନ୍ତି । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ଆଶାକର୍ମୀ ମାନେ ଗାଁ ଗାଁ ବୁଲି ମାଁ ଓ ଶିଶୁ ମାନଙ୍କର ଯତ୍ନ ନେଇ ଆସୁଥିଲା ବେଳେ ଏମାନଙ୍କୁ ଏପର୍ଯ୍ୟନ୍ତ ସରକାରୀ ମାନ୍ୟତା, ସ୍ଥାୟୀ ନିଯୁକ୍ତି ଏବଂ ପାରିଶ୍ରମିକ ବାବଦ ବେତନ ମିଳୁନାହିଁ । ଏମାନଙ୍କୁ ମାସିକ ୪ ହଜାର ୫ ଶହ ଟଙ୍କା ପାରିଶ୍ରମିକ ବାବଦ ଭତ୍ତା ଆକାରରେ ଦିଆଯାଉଛି । ରାଜ୍ୟ ସରକାର ଅବିଳମ୍ବେ ଆଶାକର୍ମୀ ମାନଙ୍କୁ ସରକାରୀ ମାନ୍ୟତା, ସ୍ଥାୟୀ ନିଯୁକ୍ତି, ସାମାଜିକ ସୁରକ୍ଷା ସହିତ ମାସିକ ବେତନ ୧୮ ହଜାର ଟଙ୍କା ଦେବାପାଇଁ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ବ୍ରହ୍ମପୁର ସ୍ଥିତ ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟ ଠାରେ ସଂଘ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଜ଼ିଲ୍ଲା ସଭାନେତ୍ରୀ ରେଣୁବାଳା ସାହୁ , ସମ୍ପାଦିକା ବବିତା ରାଉତ, କୋଷଦକ୍ଷl ସସ୍ମିତା ପାଢ଼ୀ,ଭାରତୀୟ ମଜଦୁର ସଂଘର ଉପସଭାପତି ତଥା ଜ଼ିଲ୍ଲା ଆଶା ସଂଯୋଜକ ଶ୍ରୀରାମ ମଧୁସୂଦନ ମହାପାତ୍ର, ଜ଼ିଲ୍ଲା ସଭାପତି ଡ଼ଃ ଭବାନୀ ଶଙ୍କର ଦାଶ,ଜ଼ିଲ୍ଲା ସମ୍ପାଦକ ଶ୍ରୀ ଅର୍ଜୁନ କୁମାର ବେହେରା ଏବଂ ଜ଼ିଲ୍ଲା ପ୍ରଭାରୀ ଶ୍ରୀ ଲିଙ୍ଗରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ରାଜ୍ୟର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ଵ ଆଶାକର୍ମୀ ମାନେ ବିଭିନ୍ନ ଦୁର୍ବିପାକ ସମୟରେ ମାଆ ଓ ଶିଶୁଙ୍କ ସେବା ଓ ଯତ୍ନ କରି ଆସିଛନ୍ତି । ଯାହା ଫଳରେ ଓଡ଼ିଶା ଜାତୀୟ ସ୍ତରରେ ଏଥିପାଇଁ ‘”ଏ ” ଗ୍ରେଡ଼ ପାଇଆସିଛି । ଆଶାକର୍ମୀ ମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ତେଣୁ ରାଜ୍ୟ ସରକାର ଆଶାକର୍ମୀ ମାନଙ୍କର ଦାବି ଗୁଡିକ ଉପରେ ବିଚାର କରି ଏଗୁଡ଼ିକ ତୁରନ୍ତ ପୂରଣ କରିବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଦାବି ଗୁଡିକ ହେଲା :- ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରିବା, ଆଶାକର୍ମୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା,ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପ୍ରଦାନ କରାଯାଇନାହିଁ, ମାସିକ ୧୮ ହଜାର ଟଙ୍କା ବେତନ ଦେବା, ଆଶାକର୍ମୀ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ଦେବା, ସାମାଜିକ ସୁରକ୍ଷା ଯୋଗାଇ ଦେବା, ଅବସର କାଳୀନ ସହାୟତା ୫ ଲକ୍ଷ ଟଙ୍କା ସହ ମାସିକ ୫ ହଜାର ଟଙ୍କା ପେନସନ ଯୋଗାଇ ଦେବା, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବାସହ ପରିବାରର ଜଣକୁ ନିଯୁକ୍ତି ଦେବା । ରାଜ୍ୟ ସରକାର ଆଶାକର୍ମୀ ମାନଙ୍କର ଦାବି ଗୁଡିକ ତୁରନ୍ତ ପୂରଣ ନକଲେ ଆଗାମୀ ଦିନରେ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ଏବଂ ରାଜ୍ୟ ବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ବାଧ୍ୟ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ