ଆଶୁତୋଷଙ୍କ ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ସରକାରୀ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଗଣିତ, ବିଜ୍ଞାନ ଓ ପରିବେଶ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ହାଟଡିହି ବ୍ଲକ ବିକେ ହାଇସ୍କୁଲର ଛାତ୍ର ଆଶୁତୋଷ ସାହୁଙ୍କ ପ୍ରକଳ୍ପଟି ରାଜ୍ୟ ସ୍ତରକୁ ମନୋନୀତ ହୋଇଛି । ଜିଲ୍ଲାର ବିଭିନ୍ନ ବ୍ଲକରୁ ୯୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ ସେଥି ମଧ୍ୟରୁ ୫ଟି ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲା । ସେଥିମଧ୍ୟରୁ ବାଲୁକେଶ୍ୱର ହାଇସ୍କୁଲ ସୋସୋ କାନପୁରର ଛାତ୍ର ଆଶୁତୋଷ ପ୍ରଥମସ୍ଥାନ ହାସଲ କରିଥିଲେ । ସେ ପଢ଼ିଆରିପଲ୍ଲୀ ପଞ୍ଚାୟତର ବିଶିଷ୍ଟ ଶିକ୍ଷାବିତ ପୁରୁଷୋତ୍ତମ ସାହୁ ଓ ମାତା ସରସ୍ୱତୀ ସାହୁଙ୍କ ପୁଅ ଅଟନ୍ତି । ତାଙ୍କ ପ୍ରକଳ୍ପଟି ରାଜ୍ୟସ୍ତରକୁ ମନୋନୀତ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି । ସେ ନିଶ୍ଚିତ ଭାବେ ରାଜ୍ୟ ସ୍ତରରେ ସଫଳତା ହାସଲ କରିବେ ବୋଲି ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି ।