ଆଶ୍ରୟର ‘ଦିବ୍ୟାଙ୍ଗ ସେବାଗ୍ରାମ’ ଓ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଥଇଥାନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅଧିକାର ନିମନ୍ତେ ନୟାଗଡ଼ ଜିଲ୍ଲା ଶରଣକୁଳ ଲଡ଼ୁବାବା ଶୈବକ୍ଷେତ୍ରରେ ଥିବା ବାଉଁଶିଆ ଗ୍ରାମରେ ସ୍ୱେଚ୍ଛାସେବୀ ସଂଗଠନ ଆଶ୍ରୟ ପକ୍ଷରୁ ଗଢିଉଠିଛି ‘ଦିବ୍ୟାଙ୍ଗ ସେବାଗ୍ରାମ’ । ରାଜ୍ୟରେ ଥିବା ଦିବ୍ୟାଙ୍ଗ ତଥା ଭିନ୍ନକ୍ଷମ, ଅନାଥ, ଅସହାୟ, ବେସାହାରା ବୃଦ୍ଧବୃଦ୍ଧାମାନଙ୍କ ପାଇଁ ଏହି ସେବାଶ୍ରମ ପାଲଟିଛି ଆଶ୍ରୟସ୍ଥଳ । ଏମାନଙ୍କୁ ନିଃଶୁଳ୍କ ସେବା ଯୋଗାଇ ଦେବାକୁ ଆଶ୍ରୟ ସଂଗଠନ ଏବଂ ଏହାର ସମସ୍ତ ସଦସ୍ୟମାନେ ଆଗେଇ ଆସିଛନ୍ତି । ସେବାଶ୍ରମ ପରିସରରେ ନିର୍ମିତ ‘ହରେକୃଷ୍ଣ ସେବା ସଦନ’ ମଧ୍ୟରେ ଅନ୍ୟୁନ ୨୦ ଜଣ ଦିବ୍ୟାଙ୍ଗ ଗୃହପ୍ରବେଶ କରିଛନ୍ତି । ଏଥିସହିତ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିବା ଅନ୍ୟୁନ ତିନିଶହ ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ‘ଆଶ୍ରୟ’ ସମ୍ମାନ ପ୍ରଦାନ କରାଯାଇଥିଲା । ଚଳଚ୍ଚିତ୍ର ଅଭିନେତା ବିଶ୍ୱରୂପ, ଅଭିନେତ୍ରୀ ଅମ୍ରିତା, କବି ଓ ଅଭିନେତା ଦେବ ପାତ୍ର, ସମ୍ବାଦପତ୍ର ଅଳଙ୍କରଣ ଶିଳ୍ପୀ ରବିନାରାୟଣ ସାହୁ, ମିଡ଼ିଆ ସଂଯୋଜକ ବାଳକୃଷ୍ଣ ରାଉତ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଅତିଥିଭାବେ ଯୋଗ ଦେଇ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଅନୁଷ୍ଠାନର ଦିଗ୍‌ଦ୍ରଷ୍ଟା ନିରଞ୍ଜନ ସାହୁ, ଆଇ.ଏ.ଏସ୍‌, ସମାଜସେବୀ ମାନସ ରଞ୍ଜନ ପଟ୍ଟନାୟକ, ପ୍ରଫେସର ଡଃ ବିଜୟଲକ୍ଷ୍ମୀ ମହାନ୍ତି, ଡଃ ସୁଚେତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କୁ ଆଶ୍ୱାସନା ଦେବା ସହିତ ଉତ୍ସାହିତ କରିଥିଲେ । ଏହା ବ୍ୟତୀତ ଦିବ୍ୟାଙ୍ଗମାନଙ୍କ ବିକାଶ ସମ୍ପର୍କିତ ଆଲୋଚନାଚକ୍ର, କୃତି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଏବଂ ଆଶ୍ରୟ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ସେବାଗ୍ରାମ ପରିସରରେ ଦିବ୍ୟାଙ୍ଗମାନଙ୍କର ବନ୍ଧୁମିଳନ, ପ୍ରସାଦ ସେବନ ଓ ଦିବ୍ୟାଙ୍ଗ ପ୍ରତିଭାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଆଶ୍ରୟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଲୋକନାଥ ଦାଶ ଉକ୍ତ ଉତ୍ସବର ପରିଚାଳନା କରିଥିଲେ । କୃଷ୍ଣଚନ୍ଦ୍ର ମହାପାତ୍ର, ରମେଶ କୁମାର ମହାପାତ୍ର, ଅନୀଲ କୁମାର ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ, ଶରତ ଚନ୍ଦ୍ର ପଲେଇ, ପ୍ରମୋଦ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ ଏବଂ ଆଶ୍ରୟ ପରିବାରର ଆହୁରି ଅନେକ ସଦସ୍ୟ ଏହି ଉତ୍ସବକୁ ସରସ ସୁନ୍ଦର କରିବାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ