ଆଶ୍ୱିନରେ ଚାଷଜମି ଫାଟି ଆଁ ଟ୍ୟାଙ୍କର ଯୋଗେ ଚାଷଜମିରେ ପାଣି ମଡାଉଛି ଚାଷୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶାରଦୀୟ ଦୁର୍ଗାପୂଜା ପାଇଁ ଚାରିଆଡେ ଦେଖାଦେଇଛି ଉତ୍ସବର ମାହୋଲ । ହେଲେ ସମସ୍ତଙ୍କ ମୁହଁରେ ଆହାର ଯୋଗାଇ ଆସୁଥିବା ଚାଷୀକୂଳ ହୋଇପଡିଛି ନିରାଶ । ଚାଷଜମିକୁ ପାଣି ଅଭାବରୁ ଆଶ୍ୱିନ ମାସରେ ଚାଷଜମି ଫାଟି ଆଁ ହୋଇପଡିଛି । ଯାହା ଫଳରେ ଚଳିତ ବର୍ଷ ଖରିଫ ଧାନ ଚାଷ ନଷ୍ଟ ହେବା ନେଇ ଚାଷୀକୂଳ ଆଶଙ୍କା ପ୍ରକାଶ କରିଛି । ଗତ ପ୍ରାୟ ୧ମାସରୁ ଉର୍ଦ୍ଧ୍ୱ ସମୟ ଧରି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକରେ ବର୍ଷା ହୋଇନାହିଁ । ଏପରି ସ୍ଥଳେ କେନାଳ ଗୁଡିକ ମଧ୍ୟ ପ୍ରାୟତଃ ଶୁଖିଲା ପଡିଥିବା ବେଳେ ଚାଷ ଜମିକୁ ପାଣି ଆସୁନଥିବା କାରଣରୁ ଚାଷ ଜମି ଗୁଡିକ ପାଣି ଅଭାବରୁ ଜମି ଫାଟି ଆଁ କରିବାକୁ ବସିଛି । ଏପରିକି ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟ ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ଯାହାଫଳରେ ଚାଷଜମିକୁ ପାଣି ଯୋଗାଣ ହୋଇପାରୁନାହିଁ । ଏଭଳି ସ୍ଥିତି ଜାରୀ ରହିଲେ ସ୍ଥାନୀୟ ବ୍ଳକର ଖରିଫ ଧାନ ଚାଷ ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ନେଇ ଆଶଙ୍କା ପ୍ରକାଶ କରିଛି ସ୍ଥାନୀୟ ବ୍ଳକର ଚାଷୀକୂଳ । ଗଞ୍ଜାମ ଜିଲ୍ଲାରେ ଅକ୍ଟୋବର ମାସରେ ହାରାହାରି ୧୭୭.୭ମିମି ବର୍ଷା ହେଉଥିବା ପୂର୍ବରୁ ରେକର୍ଡ ରହିଛି । ହେଲେ ଚଳିତ ବର୍ଷ ଅକ୍ଟୋବର ମାସରେ ଗଞ୍ଜାମ ଜିଲ୍ଲାରେ ୧୬.୫୯ମିମ ବର୍ଷା ହୋଇଥିବା ରେକର୍ଡ କରାଯ୍ଧବଥିବା ବେଳେ ହିଞ୍ଜିଳିକାଟୁ ବ୍ଳକରେ ମାତ୍ର ଚଳିତ ମାସରେ ୩ ଓ ୪ ତାରିଖରେ ମାତ୍ର ୨ ଦିନ ବର୍ଷା ହୋଇଥିବା ବେଳେ ୩୪ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆଗକୁ ବର୍ଷା ନହେଲେ ଚଳିବ ବର୍ଷ ଖରିଫ ଧାନ ପସଲ ନଷ୍ଟ ହେବା ସହ ଗଜା ମରୁଠି ହେବା ସୁନିଶ୍ଚିତ ବୋଲି ସ୍ଥାନୀୟ ଅଞ୍ଚଳୀ ଚାଷୀକୂଳ ଆଶଙ୍କା କରିଛି । ଚଳିତ ବର୍ଷ ବିଳମ୍ବିତ ବର୍ଷା ହେବା କାରଣରୁ ହିଞ୍ଜିଳିକାଟୁ ବ୍ଳକରେ ବିଳମ୍ବରେ ଖରିଫ୍ ଧାନଚାଷ ଆରମ୍ଭ କରାଯାଇଥିଲା । ସ୍ଥାନୀୟ ବ୍ଳକର କିଛି ପଞ୍ଚାୟତରେ ଚାଷୀ ମାନେ ୨/୩ ଥର ଲେଖାଏଁ ତଳି ପକାଇଥିଲେ ମଧ୍ୟ ପାଣି ଅଭାବରୁ ତଳି ପୋଡି ନଷ୍ଟ ହୋଇଯାଇଥିବା ନଜିର ରହିଛି । ଏପରିକି ନିକଟବର୍ତ୍ତୀ ଗ୍ରାମଞ୍ଚଳର କିଛି ଚାଷଜମି ରୂଆ ନହୋଇ ପଡିଆ ପଡିଥିବା ଦେଖିବାକୁ ମିଳିଛି । ଆଗକୁ ଯଦି ବର୍ଷା ନହୁଏ ତେବେ ଚଳିତ ବର୍ଷ ଧାନ ପସଲ ଅଗାଡି ହୋଇଯିବ ବେ ାଲି ଚାଷୀକୂଳ କହିଛନ୍ତି । ଫସଲ ବଞ୍ଚାଇବା ଲକ୍ଷ୍ୟରେ କିଛି ଚାଷୀ ଟ୍ୟାଙ୍କର ଯୋଗେ ଚାଷଜମିରେ ପାଣଶି ମଡାଉଥିବା ଦେଖିବାକୁ ମିଳିଛି । ଚଳିତ ମାସ ୨୩ କିମ୍ବା ୨୪ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯଦି ବର୍ଷା ହୁଏ ତେବେ ଚାଷୀକୂଳ ପାଇଁ ଆଶ୍ରୀବାଦ ସାବ୍ୟସ୍ତ ହେବ । ନଚେତ ଚଳିତ ବର୍ଷତ ଖରିଫ ଧାନ ଚାଷ ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚାଷୀକୂଳ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଚାଷଜମିକୁ ଜଳସେଚନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ଥାନୀୟ ବ୍ଳକର ଚାଷୀକୂଳ ନିବେଦନ କରିଛନ୍ତି ।