ଆସକ୍ତି, କାମନା ଓ ବାସନାର ଅନ୍ତ ଆନନ୍ଦର ପଥ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ପ୍ରତ୍ୟେକ ଜୀବ ବା ମନୁଷ୍ୟର ଗୋଟିଏ ହିଁ ଲକ୍ଷ୍ୟ ଆନନ୍ଦ ପ୍ରାପ୍ତ କରିବା; ଅତଃ ସେ ସର୍ଵଦା ଆନନ୍ଦର ଅନ୍ୱେଷଣ କରିଥାଏ। କାରଣ ମନୁଷ୍ୟର ସ୍ୱଭାବ ହେଉଛି ଆନନ୍ଦର ସ୍ଵରୂପ। ସେ ନିଜର ଅଜ୍ଞାନତା ଯୋଗୁଁ ତା’ର ସ୍ଵରୂପର ବିସ୍ମୃତି ଘଟିଥାଏ କିନ୍ତୁ ସ୍ୱଭାବର ନୁହେଁ। ତେଣୁ ଆନନ୍ଦ ପାଇବା ପାଇଁ ଜୀବ ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ବାରମ୍ବାର ପ୍ରେରିତ କରିଥାଏ। ଆମ୍ଭେମାନେ ଜାଣୁ ମନ ଏକ ଜଡ ପଦାର୍ଥ ଏଵଂ ସେ ମାୟା ବା ପ୍ରକୃତିରୁ ଉତ୍ପତ୍ତି ହୋଇଛି; ଏହି କାରଣରୁ ମନ ଜଗତରୁ ଅର୍ଥାତ୍ କୌଣସି ବ୍ୟକ୍ତି, ବସ୍ତୁ କିମ୍ବା ପରିବେଶରୁ ଯେଉଁ ମୋହ ବା ଲୋଭ ରଖି ବହୁବାର ସୁଖ ପାଇବା ପାଇଁ ଚେଷ୍ଟାକରେ ତାହାକୁ ଆସକ୍ତି କୁହାଯାଏ। ଏହାର ଆକ୍ଷରିକ ଅର୍ଥ ଭୋଗାଭିଳାଷ। ଯେ କି ମଣିଷକୁ ସଂସାରର ମାୟା ଜାଲରେ ବାନ୍ଧି ରଖେ। ତେଣୁ ଶ୍ରୀମଦ୍ ଭଗବଦ୍ଗୀତାର ଦ୍ବିତୀୟ ଅଧ୍ୟାୟରେ କୁହାଯାଉଛି ଯେ:
ଧ୍ୟାୟତୋ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୂପଜାୟତେ ।
ସଙ୍ଗାତ୍ସଞ୍ଜାୟତେ କାମଃ କାମାତ୍କ୍ରୋଧୋଽଭିଜାୟତେ ।।୬୨।।
ଅର୍ଥାତ୍ ମଣିଷର ଇନ୍ଦ୍ରିୟ ସମୂହମାନେ ଯେତେବେଳେ ଭୋଗ୍ୟବସ୍ତୁ ଗୁଡ଼ିକୁ ବାରମ୍ବାର ଚିନ୍ତନ କରିବା ଫଳରେ ତା’ ପ୍ରତି ଆସକ୍ତି ଜାତହୁଏ । ସେହି ଆସକ୍ତିରୁ କାମନା ଏବଂ କାମନା ପୂର୍ଣ୍ଣ ନ ହେଲେ କ୍ରୋଧ ଜାତ ହୋଇଥାଏ।
ଯେବେ ଆମେ କୌଣସି ଦ୍ରବ୍ୟକୁ ନିଜର ବୋଲି ଭାବି ତା’ ସହିତ ମାନସିକ ସ୍ତରରେ ଜଡ଼ିତ ହୋଇଯାଉ, ସେତେବେଳେ ଆସକ୍ତି ଜନ୍ମ ନେଇଥାଏ। ଏହି ଆସକ୍ତିର ପରିମାଣ ଯେବେ ପ୍ରବଳ ମାତ୍ରାରେ ଇଚ୍ଛା ଜନ୍ମାଏ ତାହାକୁ କାମନା କୁହାଯାଏ। ଏହା ମୁଖ୍ୟତଃ ଶାରୀରିକ ବା ସାଂସାରିକ ସୁଖ ପାଇବା ପାଇଁ ମନରେ ବ୍ୟାକୁଳତା ସୃଷ୍ଟି କରିଥାଏ। ଏ ସମୟରେ ଯଦି ପ୍ରାରବ୍ଧର କର୍ମଫଳ ଶୁଭ ପ୍ରସବ କରେ, ତେବେ ଅନେକ ଅଭିଳାଷ ବା କାମନା ପୂର୍ତ୍ତି ହୋଇଯାଏ। ଯଦି ପ୍ରାରବ୍ଧର କର୍ମଫଳ ଅଶୁଭ ପ୍ରସବ କରେ ତେବେ ଅଭିଳାଷ ଅପୂର୍ଣ୍ଣ ହୋଇ ରହିଯାଏ। ଯା’ଫଳରେ ସେ ପୁର୍ନବାର ପାଇବାକୁ ଇଚ୍ଛା କଲେ ମଧ୍ୟ ତାହା ଫଳବତୀ ହୁଏନାହିଁ। ଏ’ପରି ବାରମ୍ବାର ହେବାଦ୍ୱାରା କମନା ସଂସ୍କାର ରୂପେ ଅନ୍ତଃକରଣରେ ବାସ କରିନିଏ। ସେହି ସଂସ୍କାର ନାମ ହେଉଛି ବାସନା।
ଏ ବାସନା ଜଣେ ମନୁଷ୍ୟର ଇହ (ବର୍ତ୍ତମାନ) ଜନ୍ମର ସଂସ୍କାର ଏବଂ ଅନେକାନେକ ଜନ୍ମର ସଂସ୍କାରକୁ ନେଇ ଅନ୍ତଃକରଣରେ ସୂକ୍ଷ୍ମ ଭାବରେ ରହିଥାଏ । ଏହା ଫୁଲର ସୁବାସ ପରି ଅଦୃଶ୍ୟ ଭାବରେ ରହେ, ଯାହା ମଣିଷକୁ କର୍ମ କରିବା ପାଇଁ ପ୍ରେରିତ କରିଥାଏ। ଶାସ୍ତ୍ର ଅନୁଯାୟୀ, ମଣିଷର ମୃତ୍ୟୁ ହେଲେ ମଧ୍ୟ ତାର ‘ବାସନା’ ଶେଷ ହୁଏ ନାହିଁ। ଏହି ବାସନା ହିଁ ଜୀବାତ୍ମାକୁ ପୁନର୍ଜନ୍ମ ନେବା ପାଇଁ ବାଧ୍ୟ କରେ। ଯେ’ପରି ଗୋଟିଏ କପଡ଼ାରେ ଅତର ଢାଳିଦେଲେ ତାହା ଶୁଖି ଗଲାପରେ ମଧ୍ୟ ସୁଗନ୍ଧ ରହିଯାଏ, ସେହିପରି ଶରୀର ନଷ୍ଟ ହେଲେ ମଧ୍ୟ ମନର ବାସନା ରହିଥାଏ। ଏ ବାସନା ଦୁଇ ଭାଗରେ ବିଭକ୍ତ ଯଥା: ଶୁଭ ଓ ଅଶୁଭ। ଯେଉଁ ବାସନା ମଣିଷକୁ ଭକ୍ତି, ସେବା ଓ ପୁଣ୍ୟ କର୍ମ ଆଡ଼କୁ ଅଗ୍ରସର କରାଏ ତା’କୁ ଶୁଭ ଏବଂ ଯେଉଁ ବାସନା ମଣିଷକୁ ଭୋଗ-ବିଳାସ, କ୍ରୋଧ ଓ ଅଧର୍ମ ପଥକୁ ଟାଣିନିଏ ତା’କୁ ଅଶୁଭ ବାସନା କୁହାଯାଏ।
ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆସକ୍ତି, କାମନା ଓ ବାସନା ମଣିଷକୁ ମୁକ୍ତି ପଥରୁ ଦୂରେଇ ରଖେ। ଏହି ତିନିରୁ ମୁକ୍ତ ହେବା ପାଇଁ ବୁଦ୍ଧିର ଆବଶ୍ୟକତା ରହିଛି। ଯାହା ଦୁଇପ୍ରକାର ଯଥା: ବିଦ୍ୟା ବୁଦ୍ଧି ଓ ଅବିଦ୍ୟା ବୁଦ୍ଧି। ବିଦ୍ୟା ବୁଦ୍ଧି ଅର୍ଥାତ୍ ସତ୍ୟର ପରିଜ୍ଞାନ ବା ଆତ୍ମଜ୍ଞାନ। ଯେ ମଣିଷକୁ ସତ୍ୟ ଓ ଅସତ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ଜ୍ଞାତ କରିଥାଏ ଏବଂ ମୋହ, ମାୟା, ଓ ବନ୍ଧନରୁ ମୁକ୍ତ କରି ମୋକ୍ଷ ଆଡ଼କୁ ନେଇଯାଏ। ଏହାକୁ ଶୁଦ୍ଧ ଚେତନା ବା ଉଚ୍ଚତର ଜ୍ଞାନ ବୋଲି ମଧ୍ୟ କୁହାଯାଇଛି। ସେପରି ଅବିଦ୍ୟା ବୁଦ୍ଧି ଅର୍ଥାତ୍ ଅଜ୍ଞାନ ବା ମାୟା, ଯେ ମଣିଷକୁ ସଂସାରର କେବଳ ବାହ୍ୟ ରୂପ (ମାୟା)କୁ ଦେଖାଇଥାଏ ଏବଂ ମୃତ୍ୟୁର ଚକ୍ରରେ ବାନ୍ଧି ରଖେ। ଏହି କାରଣରୁ ମଣିଷ ଭ୍ରମରେ ପଡ଼ି ନିଜକୁ ବୁଦ୍ଧିମାନ ମନେକରେ କିନ୍ତୁ ପ୍ରକୃତରେ ସେ ଜ୍ଞାନରୁ ବଞ୍ଚିତ ଥାଏ। ଅବିଦ୍ୟା ବୁଦ୍ଧି ସତ୍ୟଭଳି ଅନୁଭୂତ ହେଲେ ମଧ୍ୟ ତାହା ସତ୍ୟ ନୁହେଁ। ସେ ସର୍ବଦା ବନ୍ଧନ ଦେଇଥାଏ।
ଅବିଦ୍ୟା ବୁଦ୍ଧି ହେଉଛି ତମ ସଦୃଶ୍ୟ ଏବଂ ବିଦ୍ୟା ବୁଦ୍ଧି ଆଲୋକ ସମାନ ଅଟେ। ଏହି ତମକୁ ନାଶ କରିବାକୁ ହେଲେ ଆଲୋକର ନିତାନ୍ତ ଆବଶ୍ୟକ, ଯଦ୍ୱାରା ଜ୍ଞାନୋଦୟ ହୋଇପାରିବ। ତେଣୁ ଶାସ୍ତ୍ରରେ କୁହାଯାଇ ଯେ , ଜ୍ଞାନେନ ମୁକ୍ତିଃ, ଅର୍ଥାତ୍ ଜ୍ଞାନ ଦ୍ଵାରା ହିଁ ଜୀବ ମୁକ୍ତି ପାଇଥାଏ। ଏହି ବିଦ୍ୟା ବୁଦ୍ଧି ଜାଗ୍ରତ କରିବାକୁ ହେଲେ ବିବେକର ନିତାନ୍ତ ଜରୁରୀ, କାରଣ ବିବେକରୁ ହିଁ ବୈରାଗ୍ୟ ଉତ୍ପତ୍ତି ହୁଏ। ଯେତେବେଳେ ପର୍ଯ୍ୟନ୍ତ ମଣିଷର ବୈରାଗ୍ୟ ସୃଷ୍ଟି ହୋଇନାହିଁ, ଯେତେବେଳ ପର୍ଯ୍ୟନ୍ତ ଅନ୍ତକରଣ ବିଶୁଦ୍ଧ ହୋଇପାରିବ ନାହିଁ। କାରଣ ବୈରାଗ୍ୟ ହିଁ ଅନ୍ତଃକରଣକୁ ଶୁଦ୍ଧ କରିଥାଏ । ଯଦ୍ଦ୍ୱାରା ଜୀବ ଶିବତ୍ଵକୁ ପ୍ରାପ୍ତି କରି ଜୀବନ ମୁକ୍ତ ବା ଆନନ୍ଦ ପଥର ପଥିକ ହୋଇଯାଏ।
ଖମ୍ବେଶ୍ଵରୀ ପାଟଣା
ଆସିକା, ଗଞ୍ଜାମ।


