ଆସନ୍ତାକାଲି ବାଲେଶ୍ୱର ବନ୍ଦ ପାଇଁ ବିଭିନ୍ନ ସଂଗଠନ ତରଫରୁ ବ୍ୟାପକ ପ୍ରଚାର ଅଭିଯାନ
ବାଲେଶ୍ୱର, (ସରୋଜ ପଣ୍ଡା) :-ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗତ ଦୁଇଦିନ ଧରି ସହରରେ ପ୍ରଚାରପତ୍ର ବଣ୍ଟନ ଓ ପଥପ୍ରାନ୍ତ ସଭାରେ ଆସନ୍ତାକାଲି ୧୬ ତାରିଖ ଦିନ ୧୨ଘଣ୍ଟିଆ ବନ୍ଦକୁ ସମର୍ଥନ କରିବାକୁ ବିଭିନ୍ନ ଗଣସଂଗଠନ ପକ୍ଷରୁ ନିିବେଦନ କରାଯାଇଛି । ଆଜି ବୁଧବାର ପୂର୍ବାହ୍ନରେ ବଙ୍କାଖଜୁରୀ ଛକ, ସୁନହଟ ଛକ, ଗୋଳା-ପୋଖରୀ ଛକ, ମଣ୍ଡଳ ମାର୍କେଟ୍ ଓ ସିନେମା ଛକ ପ୍ରଭୃତି ଅଞ୍ଚଳରେ ବ୍ୟାପକ ପ୍ରଚାର ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି । ଆଜି ଅପରାହ୍ନରେ ଶତାଧିକ ମୋଟର ସାଇକେଲ୍ ଆରୋହୀ ସହର ପରିକ୍ରମା କରି ଆସନ୍ତାକାଲି ବାଲେଶ୍ୱର ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ବାଲେଶ୍ୱରରେ ଚୋରି, ଡକାୟତ, ହତ୍ୟା, ରାହାଜାନୀ ଓ ବ୍ୟାପକ ନିଶାକାରବାର ବିରୁଦ୍ଧରେ ପୋଲିସ୍ର ନିଷ୍କ୍ରିୟତାକୁ ଦାୟୀକରି ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ଜିଲ୍ଲା ଓକିଲ ସଂଘ ଓ ବାଲେଶ୍ୱର ସିଭିଲ୍ ସୋସାଇଟି ତରଫରୁ ଜନଗଣଙ୍କୁ ଅବଗତ କରାଯାଇଛି । ଏହି ଆହ୍ୱାନକୁ ସମର୍ଥନକରି ବାଲେଶ୍ୱରର ପ୍ରାୟ ୬୦ ଊର୍ଦ୍ଧ୍ୱ ଗଣସଂଗଠନ, ସାମାଜିକ ସଂଗଠନ, ଶ୍ରମିକ ଓ ମହିଳା ସଂଗଠନ ପ୍ରଭୃତିଙ୍କ ସମେତ ବହୁ ରାଜନୈତିକ ଦଳ ବାଲେଶ୍ୱର ବନ୍ଦକୁ ସେମାନଙ୍କର ଅକୁଣ୍ଠ ସମର୍ଥନ ଜ୍ଞାପନ କରିଛନ୍ତି । ଆଜିର ପଥପ୍ରାନ୍ତ ସଭା ଓ ପ୍ରଚାର ଅଭିଯାନରେ ଜିଲ୍ଲା ଓକିଲ ସଂଘର ସଭାପତି ମନୋଜ ନାୟକ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସମେତ ବିଭିନ୍ନ ସଂଗଠନ ତରଫରୁ ଗୌରାଙ୍ଗ ପାଣିଗ୍ରାହୀ, ଜୟନ୍ତ ଦାସ, ଅବଦୁଲ ରଫିକ୍, ବିକ୍ରମ ପଣ୍ଡା, ବନ୍ଦନା ପାତ୍ର, ଶ୍ୟାମସୁନ୍ଦର ଜେନା, ଆଇନଜୀବୀ ସଞ୍ଜିତ୍ ପତି ଓ ବିଚିତ୍ରାନନ୍ଦ ଦାସ, କମଳାକାନ୍ତ ଗ୍ରହାଚାର୍ଯ୍ୟ, ଅଭୟ କୁମାର ସ୍ୱାଇଁ, ସନ୍ତୋଷ କୁମାର ସାହୁ ଓ ଯତୀନ୍ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।


