ଆସନ୍ତା ୨୦ରେ ପାଟକୁରା ନିର୍ବାଚନ ୨୪ରେ ଭୋଟ ଗଣତି
ଜୁଲାଇ ୨୦ ଶନିବାର ଦିନ ଓଡ଼ିଶା ବିଧାନସଭାର ପାଟକୁରା-୯୬ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଭିନ୍ନ କାରଣରୁ ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇ ଥର ନିର୍ବାଚନକୁ ଘୁଂଚାଇ ଦିଆଯାଇଥିଲା । ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୪ ତାରିଖ ବୁଧବାର ଭୋଟ ଗଣତି କରାଯିବ । ୨୬ ତାରିଖ ଶୁକ୍ରବାର ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରାଯିବ ।
ଏହି ନିର୍ବାଚନ ମଣ୍ଡଳୀ ପାଇଁ ସମସ୍ତ ପୋଲିଂ ବୁଥରେ ଇଭିଏମ ଏବଂ ଭିଭିପାଟ ଯୋଗେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଆବଶ୍ୟକ ସଂଖ୍ୟକ ଇଭିଏମ ଏବଂ ଭିଭିପାଟ ମେସିନ ଉପଲବ୍ଧ କରାଯାଇଛି, ଯଦ୍ଦ୍ୱାରା ସୁରୁଖୁରୁରେ ଭୋଟ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇପାରିବ ।
ଭୋଟ ଗ୍ରହଣ ସମୟରେ ମତଦାତାଙ୍କ ପରିଚୟକୁ ବାଧ୍ୟତାମୂଳକ କରାଯାଇଛି । ଭୋଟ ପରିଚୟପତ୍ର ଭୋଟରଙ୍କ ମୁଖ୍ୟ ପରିଚୟପତ୍ର ଭାବେ ବିବେଚିତ ହେବ । ତେବେ ଜଣେ ହେଲେ ମତଦାତା ଯେପରି ମତାଧିକାର ସାବ୍ୟସ୍ତ କରିବାରୁ ବଂଚିତ ନହୁଅନ୍ତି ସେଥିପାଇଁ ଭୋଟର ତାଲିକାରେ ନାମ ଥିବା ମତଦାତାଙ୍କୁ ଚିହ୍ନଟ କରିବା ଲାଗି ଅତିରିକ୍ତ ପରିଚୟପତ୍ର ପାଇଁ ମାର୍ଗଦର୍ଶିକା ଜାରି କରାଯିବ ।
ନିର୍ବାଚନ ତାରିଖ ଘୋଷଣା ହେବା ଠାରୁ ଉକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭାବେ ଏବଂ ଏହି ନିର୍ବାଚନ ମଣ୍ଡଳୀ ଥିବା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।
ପୂର୍ବରୁ ସାଧାରଣ ନିର୍ବାଚନ ସହିତ ଓଡ଼ିଶା ବିଧାନସଭାର ୧୪୭ଟି ଆସନ ପାଇଁ ୪ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଥିଲେ । ପାଟକୁରା-୯୬ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶେଷ ପର୍ଯ୍ୟାୟ ଅର୍ଥାତ୍ ୨୯.୪.୨୦୧୯ରେ ଭୋଟ ଗ୍ରହଣ କରାଯିବା ଲାଗି ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ୧୨.୪.୨୦୧୯ ସୁଦ୍ଧା ନାମାଙ୍କନପତ୍ର ଦାଖଲ ଏବଂ ଯାଂଚ କାର୍ଯ୍ୟ ଶେଷ ହୋଇସାରିଥିଲା । ତେବେ ଏହି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜୁ ଜନତା ଦଳର ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ୨୦.୪.୨୦୧୯ରେ ଦେହାନ୍ତ ଘଟିବା ଯୋଗୁ ଏହି ନିର୍ବାଚନ ମଣ୍ଡଳୀରେ ମତଦାନକୁ ସ୍ଥଗିତ ରଖାଯାଇଥିଲା ।
ପରେ ୧୯.୫.୨୦୧୯ ପାଟକୁରାରେ ନିର୍ବାଚନ ଅନୁଷ୍ଠିତ ହେବା ଲାଗି ତାରିଖ ଧାର୍ଯ୍ୟ କରାଯାଇଥିଲେ ହେଁ ସାମୁଦ୍ରିକ ବାତ୍ୟା ‘ଫନି’ ଯୋଗୁ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ତାରିଖ ଘୁଂଚାଇବା ଲାଗି ସୁପାରିସ କରିଥିଲେ । ବର୍ତମାନ ଇଲେକ୍ଟୋରାଲ ରୋଲ, ପର୍ବପର୍ବାଣୀ ଆଦି କାରଣକୁ ଦୃଷ୍ଟିରେ ରଖି ଚଳିତ ମାସ ୨୦ ତାରିଖରେ ପାଟକୁରା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବା ଲାଗି ନିଷ୍ପତି ନିଆଯାଇଛି ।


