ଆସନ୍ତା ୨୩ରୁ ଆସିକାରେ ଆରମ୍ଭ ହେବ ଧାନକିଣା
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ୨୩ ତାରିଖରୁ ଆସିକା ଅଞ୍ଚଳରେ ଚଳିତ ଖରିଫ୍ ଋତୁ ପାଇଁ ଚାଷୀଙ୍କ ଠାରୁ ସରକାରୀ ନିର୍ଦ୍ଧାରିତ ଦରରେ ୧୮ଟି ପ୍ରାଥମିକ ସେବା ସମବାୟ ସମିତି ଓ ୧୪ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଖୋଲିବାକୁ ଥିବା ଧାନମଣ୍ଡି ଜରିଆରେ ଧାନକିଣା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଚାଷୀଙ୍କ ଠାରୁ ଧାନକ୍ରୟ ପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମନୋନୀତ ହୋଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକର୍ତ୍ତାମାନଙ୍କୁ ଏକ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆସିକା ବ୍ଳକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଳକ ଯୋଗାଣ ଅଧିକାରୀ ସର୍ମିଷ୍ଟା ଦଳବେହେରା, ତହସିଲଦାର ସଙ୍ଗୀତା ସେଣ, ସମବାୟ ସମିତି ସମୂହ ଆସିକା ସର୍କଲର ସହକାରୀ ନିବନ୍ଧକ ବିଜୟ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀଙ୍କ ସ୍ୱାର୍ଥକୁ ସରକାର ସର୍ବାଧିକ ପ୍ରାଥମିକ ଦେଉଥିବା ବେଳେ ଆଗାମୀ ଧାନକ୍ରୟ ଋତୁରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ଯେପରି କୌଣସି ସମସ୍ୟା ନଉପୁଜେ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେବା ସହ ଚାଷୀଙ୍କ ଠାରୁ ଧାନକ୍ରୟ ପାଇଁ କଣ ସବୁ ବ୍ୟବସ୍ଥା କରାଯାଇଛି, ଚାଷୀଙ୍କୁ ମଣ୍ଡିରେ ସୁବିଧା ସୁଯୋଗ ଉପରେ ରହିଥିବା ବିଭିନ୍ନ ନୀତିନିୟମ, ଚାଷୀ ଧାନବିକ୍ରୀ କରିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଜମାଖାତାକୁ ଟଙ୍କା ପ୍ରେରଣ, ଧାନର ଏଫ୍ଏକ୍ୟୁ ମାନ ନିର୍ଦ୍ଧାରଣ ସମେତ ବିଭିନ୍ନ ବିଷୟ ଉପରେ ସ୍ୱୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଚଳିତ ଖରିଫ୍ ଋତୁରେ ଆସିକା ବ୍ଳକ ଓ ଏନ୍ଏସି ପରିସରଭୁକ୍ତ ଅଞ୍ଚଳର ୮୧୩୯ ଜଣ ଚାଷୀ ମଣ୍ଡି ମାଧ୍ୟମରେ ସରକାରୀ ନିର୍ଦ୍ଧାରିତ ଦରରେ ଧାନ ବିକ୍ରୀ କରିବା ଲାଗି ନାମ ପଂଜୀକରଣ କରିଥିଲା ବେଳେ ଗତ ୨୦୨୩-୨୪ ଖରିଫ୍ ଋଚୁରେ ୮୨୧୫ ଜଣ ଚାଷୀ ନିଜ ପଂଜୀକରଣ କରିଥିଲେ । ସେଥି ମଧ୍ୟରୁ ୬୫୭୩ ଜଣ ଚାଷୀ ୨ ଲକ୍ଷ ୭୪ ହଜାର ୯୫୦ ମେଟ୍ରିକଟନ୍ ଧାନ ମଣ୍ଡି ମାଧ୍ୟମରେ ବିକ୍ରୀ କରିଥିବା ଜଣାପଡିଛି । ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଆସିକା ବ୍ଳକର ବଡଖୋଲି, ବରଗାଁ, ଧନିଜା, ହରିଡାପଦର, ମଙ୍ଗଳପୁର, ବାଲିସିରା, ଗହଙ୍ଗୁ, କାଳଷଣ୍ଢପୁର, ଘଟକୁରୀ, ଆସିକା, ମୁନିଗାଡି, ନିମିନା, ଜଗଦଳପୁର, ନୁଆଗାଁ, ପାଣ୍ଡିଆପଥର, ଦେବଭୁମୀ, ଗୁଣ୍ଠପଡା ସେବା ସମବାୟ ସମିତି ସମୂହ ବାବନପୁରର ଶ୍ରୀ ରଘୁନାଥ ଏସ୍ଏଚ୍ଜି, ଆଲିପୁରର ମା ଖମ୍ବେଶ୍ୱରୀ ଏସ୍ଏଚ୍ଜି, ବାଙ୍ଗରଡାର ଗାୟତ୍ରୀ ଏସ୍ଏଚ୍ଜି, ଚଢେୟାପଲ୍ଲୀର ଧରିତ୍ରୀ ଏସ୍ଏଚ୍ଜି, ଜୟପୁରର ମା ମଙ୍ଗଳା ଏସ୍ଏଚ୍ଜି, କେନ୍ଦୁପଦରର ଶିବପାର୍ବତୀ ଏସ୍ଏଚ୍ଜି, କମାଗଡର ତ୍ରିବେଣୀ ଏସ୍ଏଚ୍ଜି, ବାଲିଛାଇର ଜାଗୃତି ଏସ୍ଏଚ୍ଜି, ଆସିକା ଏନ୍ଏସିର ମା ପାର୍ବତୀ ଏସ୍ଏଚ୍ଜି, ଗଙ୍ଗାପୁରର ଗାୟତ୍ରୀ ଏସ୍ଏଚ୍ଜି, ଗହଙ୍ଗୁର ଜୟମା ସନ୍ତୋଷୀ ଏସ୍ଏଚ୍ଜି, ବଡଖୋଲିର ମା ମହାମାୟୀ ଏସ୍ଏଚ୍ଜି, ଖଣ୍ଡଦେଉଳୀର ମା ମଙ୍ଗଳା ଏସ୍ଏଚ୍ଜି, ନଳବଣ୍ଟାର ସାତଶଙ୍ଖ ଏସ୍ଏଚ୍ଜିକୁ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ସମବାୟ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ଆସନ୍ତା ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଥିଲା ବେଳେ କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ରାଜ୍ୟ ବଜେଟ୍ରୁ ୮୦୦ ଟଙ୍କା ଇନ୍ପୁଟ ସହାୟତା ରାଶି ସହିତ ସମୂଦାୟ ୩୧୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।