ଆସନ୍ତା ୩୧ରେ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ଚିହ୍ନଟ ଶିବିର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଆସନ୍ତା ୩୧ତାରିଖ ସକାଳ ୮ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ,“ସ୍ୱାଭିମାନ”ତଥା ଗୋଟିଏ ଛାତ ତଳେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସହଯୋଗ କାର୍ଯ୍ୟକ୍ରମ,ଜିଲ୍ଲା ଭିନ୍ନକ୍ଷମ ଏବଂ ଶସକ୍ତିକରଣ ବିଭାଗ,ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦାର ଶଶୀଭୂଷଣ ମେମୋରିଆଲ ହସପିଟାଲ(ଭିନ୍ନକ୍ଷମ ତଥା ଗ୍ରହଣ ଖଣ୍ଡିଆଙ୍କ ପାଇଁ ଉଦ୍ଦିଷ୍ଟ)ଙ୍କ ମିଳିତ ଆନୁକୁଲ୍ୟରେ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ଚିହ୍ନଟ ଶିବିର ଅନୁଷ୍ଠିତ ହେବ । ପୂର୍ବରୁ ଅସ୍ତ୍ରପ୍ରଚାର କରାଯାଇଥିବା ୯୧ ଜଣ ଓ ପରେ ଚିହ୍ନଟ ହୋଇଥିବା ୪୯ଜଣ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ରୋଗୀଙ୍କ ସମେତ ଶିବିରରେ ଯୋଗଦେଇଥିବା ଏହି କାଟେଗୋରୀର ସମସ୍ତ ରୋଗୀଙ୍କ ୩୧ତାରିଖରେ ପରୀକ୍ଷା ନିରିକ୍ଷା କରାଯିବ । ଏହି ଶିବିରରେ ଚିହ୍ନଟ ଓ ମନୋନ୍ୱିତ ହୋଇଥିବା ରୋଗୀଙ୍କ ଚିକିତ୍ସା ଓ ଅସ୍ତ୍ରପ୍ରଚାର ବାଲିକୁଦାର ଶଶୀଭୂଷଣ ମେମୋରିଆଲ ହସପିଟାଲରେ ମାଗଣାରେ କରାଯିବ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଏହି ରୋଗୀମାନଙ୍କୁ ସେହିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ଓ ଛାଡିବା କାର୍ଯ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରି ହେଉଥିବା ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ୧୮ଟି ଗାଡିରେ କରାଯିବ । ଏଠାରେ ଚିହ୍ନଟ ଓ ମନୋନ୍ୱିତ ହୋଇଥିବା ରୋଗୀଙ୍କୁ ବାଲିକୁଦାସ୍ଥିତ ଶଶୀଭୂଷଣ ମେମୋରିଆଲ ହସପିଟାଲକୁ ମଧ୍ୟ ନିଆଯିବାର ବ୍ୟବସ୍ଥା ବିନା ଦେୟରେ କରାଯିବ । ଏହି ଗ୍ରହଣ ଖଣ୍ଡିଆ ଓ ତାଳୁକଣା ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା କାର୍ଯ୍ୟକ୍ରମ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପରାମର୍ଶ ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଆୟୋଜିତ ହେଉଛି । ଏହି ଉପଲକ୍ଷେ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକ ପ୍ରକାଶ ଚନ୍ଦ୍ର ବାନାର୍ଜୀ,ଉପଖଣ୍ଡ ସାମାଜିକ ସାୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ,ସ୍ୱାସ୍ଥ୍ୟ ସମ୍ପର୍କ ଅଧିକାରୀ କୃଷ୍ଣ ଚନ୍ଦ୍ର ଲୁହା ପ୍ରମୁଖ ଉପସ୍ଥିତ ଥିଲେ ।