ଆସନ୍ତା ୮ରେ ଭଦ୍ରକ ତରାଗଣ ଠାରେ ପାଳିତ ହେବ ଦତ୍ତାତ୍ରେୟ ଜୟନ୍ତୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଇଛାପୁର ବାରିକଛକ ତରାଗଣ ଠାରେ ଆସନ୍ତା ୮ ତାରିଖ ଗୁରବାର ପଣ୍ଡୁ ପୂର୍ଣ୍ଣିମୀ ଦିନ ଦତ୍ତାତ୍ରେୟ ଶାନ୍ତିତପୋବନ ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଦତ୍ତାତ୍ରେୟ ଜୟନ୍ତୀ ଉତ୍ସବ ପାଳିତ ହେବ । ଉକ୍ତ ଉତ୍ସବରେ ମାର୍ଗଦର୍ଶକ ପଣ୍ଡିତ ଗଗନ ଗୁରୁଜୀ ମାର୍ଗଦର୍ଶନ କରିବା ସହିତ ପ୍ରାଚୀନ ମୁନି ଋଷି ମାନଙ୍କ ଗ୍ରନ୍ଥରୁ ଆଧାରିତ ବିଷୟବସ୍ତୁ ମାନ ଆଲୋଚନା କରିବେ । ସମାଜରେ ମଣିଷ ଠିକ୍ ଭାବରେ ଜୀବନ ଜୀଇଁବାର ଉପାୟ ଏବଂ ସାଂସାରିକ ବାଧାବିଘ୍ନରୁ କିପରି ନିଜ ସଂସାରକୁ ସୁରକ୍ଷିତ ରଖି ପାରିବେ ତାହାର ଉପାୟ ମାନ ବତାଇବା ସହିତ ବିଭିନ୍ନ ଅଜଣା ବିପଦ ଓ ରୋଗବ୍ୟାଧି ସଂପର୍କରେ ମାର୍ଗଦର୍ଶନ କରିବେ । ଭଗବାନ ଦତ୍ତାତ୍ରେୟ ବିଷ୍ଣୁଙ୍କର ଷଷ୍ଠ ଅବତାର ଥିବା ବେଳେ ସେ ଅତ୍ରି ମୁନିଙ୍କ ପୁତ୍ର ଭାବେ ମାତା ସତୀ ଅନସୂୟାଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ । ଭଗବାନ ଦତ୍ତାତ୍ରେୟ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କର ସ୍ୱରୂପ ନେଇ ଜନ୍ମଗ୍ରହଣ କରି ମଣିଷ ସମାଜର ମଙ୍ଗଳ ନିମନ୍ତେ ବହୁ ମୂଲ୍ୟବାନ ତଥ୍ୟ ମାନ ସମର୍ପଣ କରିଛନ୍ତି । ଉକ୍ତ ଉତ୍ସବରେ ବିଭିନ୍ନ ରୋଗର ନିରାକରଣ ପାଇଁ ଜଡିବୁଟିରେ ପ୍ରସ୍ତୁତ ଖିଚୁଡି ବ୍ୟବସ୍ଥା କରାଯାଇଛି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ଏହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦତ୍ତାତ୍ରେୟଙ୍କର ପ୍ରିୟବାର ଗୁରବାର ହୋଇଥିବାରୁ ଏଥର ଏହା ପୂର୍ଣ୍ଣିମା ତିଥି ଗୁରୁବାରରେ ପଡୁଛି । ଏଥିପାଇଁ ଏହି ଉତ୍ସବରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବାର ରହିଛି ।