ଆସାମର ତିନସୁକିଆ ବାଘଜନ ଅଏଲ ଇଣ୍ଡିଆ ତୈଳକୂପରେ ଅଗ୍ନିକାଣ୍ଡ
ଆସାମର ତିନସୁକିଆ ଜିଲ୍ଲା ବାଘଜନ ତୈଳକ୍ଷେତ୍ର ଅନ୍ତର୍ଗତ ବାଘଜନ-୫ ଗ୍ୟାସ ଉତ୍ପାଦନ କୂପରେ ମେ ୨୭, ୨୦୨୦ରେ କାର୍ଯ୍ୟ ସଞ୍ଚାଳନ କରାଯିବା ସମୟରେ ହଠାତ ଏହି କୂପଟି ସକ୍ରିୟ ହୋଇ ଉଠିଥିଲା ଏବଂ ଏଥିରେ ନିଆଁ ଲାଗିଯାଇଥିଲା ବୋଲି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଫଳରେ କୂପରୁ ଅନିୟନ୍ତ୍ରିତ ଭାବେ ଗ୍ୟାସ ବାହାରିବାକୁ ଲାଗିଥିଲା। ଏହାପରେ ଅଏଲ ଇଣ୍ଡିଆ ପକ୍ଷରୁ ଓଏନଜିସିର ସହାୟତା ନିଆଯାଇଥିଲା, ଯାହାକି ତୁରନ୍ତ ଏଠାରେ ନିଜର ବିପର୍ଯ୍ୟୟ ପରିଚାଳନା ଦଳ (ସିଏମଟି)କୁ ନିୟୋଜିତ କରିଥିଲା। ଅଏଲ ଇଣ୍ଡିଆ ପକ୍ଷରୁ ମଧ୍ୟ ଏଠାରେ ସିଙ୍ଗାପୁରର ଏକ ଫାର୍ମ ମେସର୍ସ ଆଲର୍ଟ ଡିଜାଷ୍ଟର କଣ୍ଟ୍ରୋଲକୁ ନିୟୋଜିତ କରାଯାଇଥିଲା। ବିଶେଷଜ୍ଞଙ୍କ ପରାମର୍ଶକୁ ପାଳନ କରି ଏବଂ ସମସ୍ତ ସୁରକ୍ଷା ସତର୍କତା ଅବଲମ୍ବନ ସହିତ ଏହି କୂପକୁ ବନ୍ଦ କରିବା ଲାଗି ଯୋଜନା କରାଯାଇଥିଲା। କୂପ ଥିବା ଅଞ୍ଚଳକୁ ଖାଲି କରିବା ଲାଗି ଅପରେସନ ଜାରି ରହିଥିବା ସମୟରେ ୯ ଜୁନ ୨୦୨୦ ମଧ୍ୟାହ୍ନ ସମୟରେ କୂପରେ ନିଆଁ ଲାଗିଯାଇଥିଲା। ଫଳରେ ଆଖପାଖ ୨୦୦ ମିଟର ପର୍ଯ୍ୟନ୍ତ ନିଆଁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନସୁଦ୍ଧା ଜଣାପଡ଼ିନାହିଁ। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଗତକାଲି ଅଏଲ ଇଣ୍ଡିଆ, ଓଏନଜିସି, ଅନ୍ତର୍ଜାତୀୟ ବିଶେଷଜ୍ଞ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ସ୍ଥିତି ସମୀକ୍ଷା କରିଛନ୍ତି। ଧନଜୀବନ ହାନି ସଂକ୍ରାନ୍ତରେ ଲୋକମାନଙ୍କର ଆଶଙ୍କାକୁ ଦୂର କରିବା ଉପରେ ଆସାମ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ ଅଏଲ ଇଣ୍ଡିଆ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ସହମତିକ୍ରମେ ପ୍ରଭାବିତ ପରିବାରଗୁଡ଼ିକୁ ରିଲିଫ ଓ କ୍ଷତିପୂରଣ ଯୋଗାଇ ଦିଆଯିବ। ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ପୁଣିଥରେ ଭିଡିଓ କନଫରେନ୍ସ ଜରିଆରେ ଘଟଣାସ୍ଥଳରେ ଉପସ୍ଥିତି ବିପର୍ଯ୍ୟୟ ପରିଚାଳନା ଦଳ, ଅଏଲ ଇଣ୍ଡିଆ ଲିମିଟେଡ ଓ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଏକ ସ୍ଥିତି ସମୀକ୍ଷା ବୈଠକ କରିଛନ୍ତି। ଖବର ମିଳିଛି ଯେ କୂପର ପ୍ଲିନ୍ଥ କ୍ଷେତ୍ରକୁ ଛାଡ଼ି ଦେଲେ ଆଖପାଖ ଅଞ୍ଚଳରେ ନିଆଁକୁ ନିୟନ୍ତ୍ରିତ କରାଯାଇସାରିଛି। ତେବେ ତୈଳକୂପକୁ ବନ୍ଦ କରାନଯିବା ପର୍ଯ୍ୟନ୍ତ କୂପରୁ ବାହାରୁଥିବା ଗ୍ୟାସ ଜଳିବା ଜାରି ରହିବ। ଆଖପାଖ ୨୦୦ ମିଟର ଅଞ୍ଚଳରେ ବ୍ୟାପିଥିବା ନିଆଁ ୧୫ଟି ଘର ସମ୍ପୂର୍ଣ୍ଣ ଜାଳି ଦେଇଥିବା ବେଳେ ଆହୁରି ୧୦-୧୫ଟି ଘର ଆଂଶିକ ଭାବେ ଜଳିଯାଇଛି। ଅଏଲ ଇଣ୍ଡିଆ ଲିମିଟେଡର ଦୁଇ ଜଣ ଆଗ୍ନିକ ପ୍ରାଣ ହରାଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ ଅଏଲ ଇଣ୍ଡିଆର ଦୁଇ ଜଣ ଏବଂ ଓଏନଜିସିର ଜଣେ ଆଗ୍ନିକ ନିକଟସ୍ଥ ପାଣିକୁଣ୍ଡ ଭିତରକୁ ଡେଇଁପଡ଼ିଥିଲେ। ଓଏନଜିସିର ଆଗ୍ନିକ ଆଘାତପ୍ରାପ୍ତ ହୋଇଥିବା ବେଳେ, ଅଏଲ ଇଣ୍ଡିଆର ଦୁଇ ଆଗ୍ନିକ ନିଜକୁ ବଞ୍ଚାଇ ପାରିନଥିଲେ। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କୂପ ବନ୍ଦ କରିବା କାର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ ପୋଡ଼ିଯାଇଥିବା ପାଉଁଶ, ଅଗ୍ନି ଯନ୍ତ୍ରାଂଶ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ହଟାଇ ଦିଆଯିବ। ଘଟଣାସ୍ଥଳରେ କୌଣସି କାର୍ଯ୍ୟକଳାପ ଆରମ୍ଭ କରାଯିବା ପୂର୍ବରୁ ନିରନ୍ତର ଜଳଯୋଗାଣ ବ୍ୟବସ୍ଥା କରାଯିବ। ଏସବୁ ବ୍ୟବସ୍ଥା ପାଇଁ ୫-୬ ଦିନ ସମୟ ଲାଗିପାରେ। ସମ୍ପୂର୍ଣ୍ଣ ଅପରେସନ ଶେଷ ହେବା ପାଇଁ ପାଖାପାଖି ୪ ସପ୍ତାହ ଲାଗିବ । ନିକଟସ୍ଥ ପ୍ରଭାବିତ ଇଲାକାରୁ ପାଖାପାଖି ୧୬୦୦ ପରିବାରକୁ ସ୍ଥାନାନ୍ତର କରାଯାଇ ନିରାପଦ ସ୍ଥାନରେ ନିର୍ମିତ ରିଲିଫ କ୍ୟାମ୍ପରେ ରଖାଯାଇଛି। ତ୍ବରିତ ସହାୟତା ସ୍ବରୂପ ପ୍ରତ୍ୟେକ ପରିବାରକୁ 30ହଜାର ଟଙ୍କା ଲେଖାଏଁ ଦେବା ଲାଗି ଅଏଲ ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦିବ୍ରୁ-ସାଇଖୋଓ୍ବା ଜାତୀୟ ଉଦ୍ୟାନ ଏବଂ ମାଗୁରି ମୋଟାପଙ୍ଗ ବିଲ ଆର୍ଦ୍ରଅଞ୍ଚଳ ନିକଟରେ ଏହି କୂପ ରହିଛି । ତେଣୁ ପରିବେଶ ଉପରେ ଏହାର ପ୍ରଭାବକୁ ଅନୁଧ୍ୟାନ ପାଇଁ ଏକ ମାନ୍ୟତାପ୍ରାପ୍ତ ସଂସ୍ଥାକୁ ଅଏଲ ଇଣ୍ଡିଆ ପକ୍ଷରୁ ନିୟୋଜିତ କରାଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ ନିରନ୍ତର ଭାବେ ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରାଯାଉଛି ।