ଆସିକାରେ ଆଲୋକର ପର୍ବ ଦୀପାବଳୀ ଉତ୍ସବ ପାଳିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗୁରବାର ଓ ଶୁକ୍ରବାର ଦୁଇ ଦିନ ଧରି ଆଲୋକର ପର୍ବ ଦୀପାବଳୀ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିବା ଦେଖିବାକୁ ମିଳିଛି । ଆଲୋକର ପର୍ବ ଦୀପାବଳୀ ଅବସରରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ପିଠାପଣାର ଆସର ଜମିଥିବା ବେଳେ ପିତୃପୁରୁଷଙ୍କ ଡାଙ୍ଗ ଦେଖାଇ ପୂଜାର୍ଚ୍ଚନା କରି ଆତସବାଜି ଫୁଟାଇ ଖୁସି ମନାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଘରକୁ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା ବେଳେ ପ୍ରତ୍ୟେକେ ନିଜ ଘର ସମ୍ମୁଖରେ ଦୀପ ଜଳାଇଥିବା ଦେଖିବାକୁ ମିଳିଥିଲା । ସଂପଦ, ସମୃଦ୍ଧି ଓ ଆଲୋକର ପର୍ବ ଦୀପାବଳୀ ରବିବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ଶେଷ ହୋଇଯାଇଛି । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସବୁଠାରୁ ଶୁଭ ମୁହୁର୍ତ୍ତ ଦୀପାବଳୀ ରାତ୍ର ହୋଇଥିବାରୁ ଏହି ରାତ୍ରରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ଘରର ବିଭିନ୍ନ ସ୍ଥାନରେ ଉତ୍ସୁକତାର ସହ ଦୀପ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ଦୀପାବଳୀ ଅବସରରେ ଆସିକା ଅଞ୍ଚଳବାସୀ ଆତସବାଜି ଫୁଟାଇ ଆନନ୍ଦର ମଜା ନେଇଥିବା ବେଳେ ଅନ୍ଧକାର ଉପରେ ଆଲୋକର ବିଜୟ ଓ ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ଦିପାବଳୀ ଉତ୍ସବ ପାଳନ କରାଯାଉଥିବା ଯୋଗୁଁ ପରମ୍ପରା ଓ ପ୍ରଥା ଅନୁସାରେ ପୂର୍ବପୁରୁଷଙ୍କ ଆତ୍ମାର ସଦଗତି ପାଇଁ ବିଭିନ୍ନ ସ୍ଥାନରେ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତିମାନେ “ବଡବଡୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ” କହି ପିଣ୍ଡଦାନ କରି କାଉଁରିଆ କାଠି ଜାଳି ପୂର୍ବପୁରୁଷଙ୍କୁ ସୁମରଣ କରିଥିଲେ । ଆଲୋକର ପର୍ବ ଦିପାବଳୀକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଲାଗି ଆସିକା ଓ କୋଟିନଡା ପୁଲିସ ପ୍ରଶାସନ ପକ୍ଷରୁ ନିଜ ନିଜ ଥାନା ପରିସରଭୁକ୍ତ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଥିବା ଦେଖିବାକୁ ମିଳିଥିଲା ।