ଆସିକାରେ ଗଠନ ହେଲା ଠିକାଦାର ସଂଘ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଓ ଏନ୍ଏସି ପରିସରଭୁକ୍ତ ବିଭିନ୍ନ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ବହୁ ଠିକାଦାରମାନଙ୍କୁ ନେଇ ଏକ ସଂଘ ଗଠନ ହୋଇଥିବା ଜଣାପଡିଛି । ଆସିକାର ଅଧୀଷ୍ଟାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଠିକାଦାରମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଠିକାଦାର ସଂଘ ଗଠନ କରାଯିବା ସାଙ୍ଗକୁ ସେମାନଙ୍କ ସୁବିଧା ଅସୁବିଧା ଓ ତାର ସମାଧାନ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆସିକା ବ୍ଳକ ଓ ଏନ୍ଏସି ପରିସରଭୁକ୍ତ ଅଞ୍ଚଳରେ ସରକାରଙ୍କ ଆର୍ଥିକ ଅନୁଦାନରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ସୁଚାରୂ ରୂପେ ସଂପାଦନ କରିବା, ସଠିକ୍ ସମୟରେ ଉନ୍ନୟନମୂଳକ କାର୍ଯ୍ୟ ସାରି ବିଲ୍ ହାସଲ କରିବା, ପରସ୍ପର ମଧ୍ୟରେ ଭାଇଚାରାର ସଂପର୍କ ରଖି କାର୍ଯ୍ୟ କରିବା, କୌଣସି ସମସ୍ୟା ସୃଷ୍ଟି ହେଲେ ସମ୍ମିଳିତ ଭାବେ ତାର ସମାଧାନ କରିବା ଏବଂ ଆପୋଷ ଆଲୋଚନା ମାଧ୍ୟମରେ ବରିଷ୍ଠ ଓ କନିଷ୍ଠ ଠିକାଦାରମାନଙ୍କ ସହଯୋଗରେ ଉନ୍ନୟନମୂଳକ କାର୍ଯ୍ୟ କରିବା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଆସିକା ଠିକାଦାର ସଂଘକୁ ସୁଦୃଢ ଓ ସୁପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଆସିକା ଠିକାଦାର ସଂଘର ସଭାପତି ରୂପେ ରାମଚନ୍ଦ୍ର ଜେନା ଓ ଉପଦେଷ୍ଟା ରୂପେ ଶିବ ନାୟକଙ୍କୁ ମନୋନୀତ କରାଯାଇଥିଲା ବେଳେ ସଂଘର ସଂପାଦକ ରୂପେ ପ୍ରଦୀପ ପଣ୍ଡା, କୋଷାଧ୍ୟକ୍ଷ ରୂପେ ରବିନ୍ଦ୍ର ଗୌଡ, କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ରାଜେଶ୍ ଜେନା, ସୁନିଲ୍ ନାହାକ, କୈଳାଶ ଚନ୍ଦ୍ର ସ୍ୱାଇଁ, ପ୍ରସନ୍ନ ଗୌଡ, ନିଳାମ୍ବର ସ୍ୱାଇଁ, ସଂଜୀବ କୁମାର ପାତ୍ର, କୋରେଶ୍ ରଣା, ପାଣ୍ଡବ ପାତ୍ର ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ଠିକାଦାର ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଠିକାଦାର ସଂଘର ନୂତନ ମନୋନୀତ କାର୍ଯ୍ୟକର୍ତ୍ତାଙ୍କୁ ସଂଘର ବହୁ ସଦସ୍ୟ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ସଂଗଠନକୁ ସୁଦୃଢ ପାଇଁ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା ।