ଆସିକାରେ ବିକ୍ରୀ ମୁଆଁ ସବୁଠାରୁ ନିଆରା
ଆସିକା, (ଯୁଗାବ୍ଦ ନ୍ୟୁଜ):ମହକୁଛି ମୁଆଁର ସ୍ୱାଦ । ମିଠା ତଥା ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ବିକ୍ରୀ ହେଉଛି ଭଳିକି ଭଳି ମୁଆଁ । ୨୫୦ ଗ୍ରାମ୍ରୁ ଆରମ୍ଭ କରି ୨କିଲୋ ଓଜନର ମୁଆଁ ରହିଛି । ତାହା ପୁଣି ବିଭିନ୍ନ ଆକାରର । ମୁଆଁର ସ୍ୱାଦ ଓ ପ୍ରଭୃତି ନେଇ ଦାମ୍ ୭୫ଟଙ୍କାରୁ ଆରମ୍ଭ କରି ସାଢେ ୩ଶହ ଟଙ୍କା ପର୍ଯ୍ୟନ୍ତ ଦରରେ ପାଇପାରିବେ ଗ୍ରାହକ । ତେବେ ସବୁଠାରୁ ସୁଆଦିଆ ଘିଅ ମୁଆଁ । ପୁଣି ରହିଛି ଚିନି ମୁଆଁ, ବାଦାମ ମୁଆଁ, କାଜୁ ମୁଆଁ । ଧନୁସଂକ୍ରାନ୍ତି ଠାରୁ ପ୍ରାୟତଃ ମୁଆଁ ବେପାରର ଜୋର ଧରିଥାଏ । ଏହି ଦିନ ସହରବାସିନ୍ଦା ମୁଆଁ କିଣି ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇବା ପରେ ମୁଆଁ ଖାଇବା ଆରମ୍ଭ କରିବାର ପୁରାତନ ପରମ୍ପରା ପ୍ରଚଳିତ ହୋଇଆସୁଛି । ଏହା ପରେ ଲୋକମାନେ ମୁଆଁ କିଣି ବନ୍ଧୁବାନ୍ଧବ ସହ ମକର ଓ ସଙ୍ଗାତ ଘରକୁ ମୁଆଁ ଦିଆ ନିଆ କରିଥାନ୍ତି । ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମୁଆଁର ବିକ୍ରୀବଟା ବଢିଥାଏ ତାପରେ ବେପାର ପ୍ରାୟ ମାନ୍ଦା ହୋଇଯାଏ । ମୁଆଁ ସିଜନ୍ (ଡିସେମ୍ବର-ଜାନୁଆରୀ)ରେ ଏବେ ପ୍ରସ୍ତୁତି କର୍ତ୍ତା ଓ ବିକ୍ରେତାଙ୍କ ବେପାର ଧିରେ ଧିରେ ଜୋର୍ ଧରୁଛି । ଘିଅ ମୁଆଁର ଚାହିଦା ଅଧିକ ଥିବାରୁ ବାହାରୁ ଲୋକେ ମଗାଇଥାନ୍ତି । ବନ୍ଧୁବାନ୍ଧବ, ଚିହ୍ନା ଲୋକଙ୍କ ଜରିଆରେ ଘିଅ ମୁଆଁ ନେଇଥାନ୍ତି । ଦାମ୍ ଅଧିକ ହେଲେ ସୁଦ୍ଧା ଆସିକା ସହରବାସୀ ଏଇ ସିଜନ୍ରେ ମୁଆଁକୁ ଉପହାର ଭାବେ ଦେଇଥାନ୍ତି । ଚିନି, ଘିଅ, ତେଲ ଦର ଭଢିଥିବାରୁ ମୁଆଁ ଦର ମଧ୍ୟ ବୃଦ୍ଧି ହୋଇଥିବାରୁ କାରବାର ମାନ୍ଦା ରହିଛି ବୋଲି କହିଛନ୍ତି କେତେକ ବ୍ୟବସାୟୀ । ଆସିକା ଅଞ୍ଚଳରେ ପ୍ରାୟ ୮ରୁ ୧୦ଟି ଭାଟି ରହିଛି । ସେଠି ମୁଆଁ ପ୍ରସ୍ତୁତ କରାଯାଇ ଆସିକା ସମେତ ଆଖପାଖ ଅଞ୍ଚଳ ଓ ଜିଲ୍ଲା ବାହାରକୁ ମଧ୍ୟ ପଠାଯାଏ । ମୁଆଁ ପ୍ରସ୍ତୁତିରେ ଲିଆ, ଚିନି, ଘିଅ, ନଡିଆ, କାଜୁ, ଦ୍ରାକ୍ଷା, ଲେମ୍ବୁରସ, ବାଦାମ୍ ଆବଶ୍ୟକ ହୋଇଥାଏ । ୫୦ କିଲୋ ମୁଆଁ କରିବାକୁ ୨ଘଣ୍ଟାରୁ ଅଧିକ ସମୟ ଲାଗିଥାଏ । ପ୍ରଥମେ ଚିନି ପାଗ କରାଯାଏ । ଗରମ ଚିନି ପାଗରେ ପୂର୍ବରୁ ପ୍ରସ୍ତୁତ ସଫା ଲିଆ ପକାଯାଇ ଘଣ୍ଟାଯାଏ । ତା ପରେ ଛାଞ୍ଚରେ ଢଳାଯାଏ । ସେଥିରେ ପଡେ କାଜୁ, ତରଳ ଗୁଡରେ ଘଣ୍ଟାଯାଇଥିବା ନଡିଆ ଖଣ୍ଡ, ଦ୍ରାକ୍ଷା, ବାଦାମ୍ ଆଦି । ଘିଅ ମୁଆଁ ପ୍ରସ୍ତୁତି ଟିକେ ସ୍ୱତନ୍ତ୍ର । ସେଥିରେ ପଡିବାକୁ ଥିବା ଲିଆକୁ ପୂର୍ବରୁ ଘିଅରେ ଛଣାଯାଇ ସ୍ୱାଦିଷ୍ଟ କରାଯାଇ ଥାଏ । ମକର ସଂକ୍ରାନ୍ତି ବେଳକୁ ଦୈନିକ ପ୍ରାୟ ୫୦ହଜାରରୁ ଅଧିକ ମୁଆଁ ବିକ୍ରିବଟା ହୁଏ ବୋଲି କହନ୍ତି ବ୍ୟବସାୟୀ ମାନେ । ଘିଆ ମୁଆଁର ସବୁଠୁ ଅଧିକ ଚାହିଦା ଥାଏ । ଶୀତ ପାଗରେ ମୁଆଁ ପାଗ ଭଲ ହୋଇଥାଏ । ଶୀତ ଦିନରେ ମୁଆଁ ବେପାର ଜୋର୍ ଧରେ । ସାଦା ମୁଆଁ ୧୨୦ଟଙ୍କା, ଘିଅ ମିକ୍ସ ୨୦୦ଟଙ୍କା ଓ ଘିଅ ଛଣା ୩୬୦ଟଙ୍କା ଦର ରହିଛି ବୋଲି କହିଛନ୍ତି ବ୍ୟବସାୟୀ ମାନେ । ଦିନକୁ ହାରାହାରି ୧୦୦କିଲୋ ବିକ୍ରୀ ହେଉଛି । ଗତବର୍ଷ ତୁଳନାରେ ଚଳିତବର୍ଷ ସାମାନ୍ୟ ଦର ବୃଦ୍ଧି ଯୋଗୁଁ ବେପାର ମାନ୍ଦା ରହିଥିବା ଦେଖିବାକୁ ମିଳିଛି ।