ଆସିକାରେ ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନଏସି ଅନ୍ତର୍ଗତ ହରିହର ହାଇସ୍କୁଲ ପରିସରରେ ଶୁକ୍ରବାର ଧରଣୀର ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଶୀର୍ଷକ ବ୍ଳକସ୍ତରୀୟ ବାଲ୍‍ବିଜ୍ଞାନ ପଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ପରିଚାଳନା କମିଟିର ସଭାନେତ୍ରୀ ତଥା ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭାଗିରଥୀ ପାତ୍ର ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ବ୍ଳକସ୍ତରୀୟ ବିଜ୍ଞାନ ମେଳା ଆୟୋଜନର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବିଜ୍ଞାନର ଆବଶ୍ୟକତା ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିଥିଲେ । ଆସିକା ବ୍ଳକ ଓ ଏନ୍‌ଏସି ପରିସରଭୁକ୍ତ ଅଞ୍ଚଳରେ ଥିବା ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ ୮୩ଟି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବର୍ଜ୍ୟବସ୍ତୁ ପରିଚାଳନା, ଗାଣିତିକ ପ୍ରଦର୍ଶନ, ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ୧୧୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ବେଳେ ସେଥିମଧ୍ୟରୁ ୪ଟି ପ୍ରକଳ୍ପକୁ ଆସନ୍ତା କିଛି ଦିନ ପରେ ଅନୁଷ୍ଟିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ପ୍ରଦର୍ଶନୀ ପାଇଁ ମନୋନୀତ କରାଯାଇଥିଲା । ଏହି ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ବେଳେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିବା ପ୍ରକଳ୍ପ ଗୁଡିକୁ ପୁରସ୍କୃତ କରାଯାଇଥିଲା । ଏହି ବ୍ଳକସ୍ତରୀୟ ବିଜ୍ଞାନ ମେଳାକୁ ପରିଚାଳନା କରିବା ଦିଗରେ ଅତିରିକ୍ତ ଗୋଷ୍ଟୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ଓ ବିଭୁନନ୍ଦନ ପଣ୍ଡା, ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀ, ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ମହାପାତ୍ର, ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିବଶଙ୍କର ଜେନା ଓ ସିମାଂଚଳ ସେଠୀ, ସିଆର୍‍ସିସି ଆର୍‍. ସିଲା ଦୋରା, ଟୁଲୁ ସେଠୀ, ଶିଶିର କୁମାର ବେହେରା, ସରୋଜ କୁମାର ପ୍ରଧାନ, ରାଧାମୋହନ ଡାକୁଆ, ସୌଦାମିନୀ ହୋତା, ଚନ୍ଦ୍ରଶେଖର ସ୍ୱାଇଁ, ହରିବନ୍ଧୁ ବେହେରା, ରଂଜିତା ପାତ୍ର, କେ.ଲୀଲାବତୀ ଦେବୀ, ବଂଶୀଧର ପରିଡା, ଶିକ୍ଷକ ରମାକାନ୍ତ ମହାନ୍ତି, ରାମଚନ୍ଦ୍ର ପ୍ରଧାନ, ସୁଶିଲ୍‍ କୁମାର ପାତ୍ର, ପ୍ରଶାନ୍ତ କୁମାର ନାୟକ, ଶୁଭେନ୍ଦୁ କୁମାର ମିଶ୍ର, ଶିବରାମ ମହାଣା, ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ବ୍ଳକସ୍ତରୀୟ ବିଜ୍ଞାନ ମେଳାରେ ବିଚାରକ ଭାବେ ବିଘ୍ନରାଜ ଦାଶ, ପ୍ରତାପ କୁମାର ମହାପାତ୍ର, ହରପ୍ରସାଦ ମିଶ୍ର, ଅବନୀକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ଉଦ୍‌ଯାପନୀ ଉତ୍ସବରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ଏନ୍‍ଏସି ନଗରପାଳିକା ଶ୍ରୀମତୀ ବିନେତା ସ୍ୱାଇଁ, ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ଓ ବିଭୁନନ୍ଦନ ପଣ୍ଡା, ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଏହି ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ବରିଷ୍ଟ ବର୍ଗରେ କୃତିତ୍ୱ ହାସଲ କରିଥିବା ଅନିକେତ୍‍ କୁମାର ସାହୁ, ବୁଦ୍ଧିରାମ ବେହେରା, କନିଷ୍ଠ ବର୍ଗରେ କୃତିତ୍ୱ ହାସଲ କରିଥିବା ଆଦର୍ଶ ସ୍ୱାଇଁ ଓ ସୁପ୍ରିୟା ପ୍ରଧାନଙ୍କୁ ପୁରସ୍କୃତ କରିବା ସହ ବିଜ୍ଞାନ ସାଧାରଣ ଜୀବନକୁ ଗତିଶୀଳ କରିବାରେ ଲାଗିଥିବା ବେଳେ ବିଜ୍ଞାନକୁ ଛାଡି କେହି ବି ଆଗକୁ ଅଗ୍ରସର ହୋଇପାରିବେ ନାହିଁ । ମାନବ ସମାଜର କଲ୍ୟାଣପାଇଁ ଅଭିପ୍ରେତ ବିଜ୍ଞାନ କୌଣସି ମତେ ଦୂରୁପଯୋଗ ହେବା ଉଚ୍ଚିତ ନୁହେଁ । ପରିବେଶ ସୁରକ୍ଷା, ଜୈବିକ କୃଷି ବ୍ୟାପକତା ଆମପାଇଁ ଆହ୍ୱାନ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇ ଗବେଷଣାତ୍ମକ ମନୋଭାବ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ ଗୁଡିକୁ ଦେଖିବା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ