ଆସିକାରେ ଭଗବାନ ସତ୍ୟ ସାଇବାବାଙ୍କ ୯୯ତମ ଜନ୍ମୋତ୍ସବ ପାଳିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଯାହାଙ୍କ ପ୍ରେମଶକ୍ତିର ପରିଚୟ ପାଇଁ ଜଗତବାସୀଙ୍କ ମନରେ ଆଶ୍ୱାସନା ଆସେ, ଯାହାଙ୍କ ଜ୍ଞାନଶକ୍ତିର ପରିଚୟ ପାଇଁ ବୈଜ୍ଞାନିକ, ଅଧ୍ୟାପକ, ବ୍ୟବସାୟୀ, ପ୍ରଶାସକ, ରାଜନେତା, କ୍ରିକେଟିୟର ଓ ସାଧାରଣ ଜନତା ନତମସ୍ତକ ହୁଅନ୍ତି, ଯାହାଙ୍କ ଧର୍ମ ଓ କର୍ମର ନିଦର୍ଶନ ଦେଖିଲେ ସୁବର୍ଣ୍ଣଯୁଗର ଆଗମନର ଆଭାସ ମିଳେ, ଯାହାଙ୍କ ଦିବ୍ୟଶକ୍ତିର ଝଲକ ଅବିଶ୍ୱାସ୍ୟ ପୁରାଣ ପୃଷ୍ଠାକୁ ବିଶ୍ୱାସଯୋଗ୍ୟ କରାଏ, ସେଭଳି ଜଣେ ପରମ ପୁରୁଷ ଭଗବାନ ସତ୍ୟସାଇ ବାବାଙ୍କ ୯୯ତମ ପୁଣ୍ୟ ଜନ୍ମୋତ୍ସବ ଶନିବାର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସ୍ଥାନୀୟ ସତ୍ୟସାଇ ସେବା ସମିତି ପକ୍ଷରୁ ପାଳିତ ହୋଇଯାଇଛି । ଭଗବାନ ସତ୍ୟସାଇ ବାବାଙ୍କ ୯୯ତମ ପୁଣ୍ୟ ଜନ୍ମୋତ୍ସବ ଅବସରରେ ସତ୍ୟସାଇ ସେବା ସମିତିର ଶ୍ରଦ୍ଧାଳୁଭକ୍ତ ମାନେ ଗୁରବାର ଭୋର ସମୟରୁ ମନ୍ଦିରରେ ରୀତିନୀତି ଅନୁଯାୟୀ ଓଁକାରମ୍, ସୁପ୍ରଭାତମ୍, ନଗର ସଂକୀର୍ତ୍ତନମ୍, ଷୋଡଶ ଉପଚାର ପୂଜା, ପ୍ରଶାନ୍ତି ଧ୍ୱଜା ଉତ୍ତୋଳନ ସାଙ୍ଗକୁ ସତ୍ୟ ସାଇବାବାଙ୍କ ଫଟୋ ଚିତ୍ର ନିକଟରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସନ୍ଧ୍ୟାରେ ଅନୁଷ୍ଠିତ ଆଧ୍ୟାତ୍ମିକ ସମ୍ମିଳନୀ ଓ ସତ୍ସଙ୍ଗ କାର୍ଯ୍ୟକ୍ରମରେ ସାଇ ଆଶ୍ରିତ ତଥା ଆଧ୍ୟାତ୍ମିକପ୍ରେମୀ ଅଜିତ୍ କୁମାର ପଟ୍ଟନାୟକ ଯୋଗଦେଇ ଭଗବାନ ସତ୍ୟସାଇ ବାବାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିବା ସହ ମଣିଷ ଜୀବନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂକ୍ରାନ୍ତରେ ଭଗବାନ ସତ୍ୟସାଇ ବାବାଙ୍କ ବାଣୀ ଗୁଡିକ ବେଦ ଉପନିଷଦର ବାଣୀସମ ଜୀବନ୍ତ ଓ ଅମର ବୋଲି ପ୍ରକାଶ କରି ଯେଉଁ ପଦ୍ଧତିରେ ନାମ ସଂକୀର୍ତ୍ତନ ହେଲେ ସର୍ବାଧିକ ଫଳ ମିଳେ, ଅନ୍ତର ପବିତ୍ର ହୁଏ, ନିଜ ହୃଦୟସ୍ଥ ଆତ୍ମଶକ୍ତିର ପ୍ରସ୍ଫୁଟନ ଘଟେ ସେ ସୂତ୍ର ଗୁଡିକ ଭଗବାନ ସତ୍ୟସାଇ ବାବାଙ୍କ ମୁଖରେ ସୁଦ୍ଧ ସ୍ଫଟିକ ପରିଷ୍କାର ଭାବେ ଶୋଭା ପାଇଆସୁଥିଲା ବୋଲି ଭାବବିହ୍ୱଳ କଣ୍ଠରେ ପ୍ରକାର କରି ମନ ଭିତରେ ସ୍ନେହ ଓ ପ୍ରେମ ଭାବନା ରହିଲେ ଆମେ ବାବାଙ୍କୁ ନିଶ୍ଚିତ ପାଇବା ଓ ବାବାଙ୍କ ଆଶୀର୍ବାଦ ଆମ ଉପରେ ରହିବ ବୋଲି ମତବ୍ୟକ୍ତ କରିଥିଲେ । ସତ୍ୟ, ଧର୍ମ, ଶାନ୍ତି ଓ ପ୍ରେମର ମୂର୍ତ୍ତୀମନ୍ତ ପ୍ରତୀକ ଆଧ୍ୟାତ୍ମିକ ଗୁରୁ ଭଗବାନ ସତ୍ୟ ସାଇବାବାଙ୍କ ୯୯ତମ ପୁଣ୍ୟ ଜନ୍ମୋତ୍ସବ ପାଳନ ଅବସରରେ ସତ୍ୟସାଇ ସେବା ସମିତି ଆସିକାର ଶ୍ରଦ୍ଧାଳୁ ଭକ୍ତମାନେ ସତ୍ସଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବାନ ସତ୍ୟସାଇବାବାଙ୍କ ଦିବ୍ୟ ଅଲୌକିକତା ସାଙ୍ଗକୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ୧୯୨୪ ମସିହା ଆଜିର ଦିନରେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ପୁଟପର୍ତ୍ତୀ ଗ୍ରାମରେ ମାତା ଇଶ୍ୱରାମ୍ମା ଓ ପିତା ପେଦାପେଙ୍ଗାପ୍ପା ରାଜୁଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ ଦିବ୍ୟ ଅବତାର ଭଗବାନ ସତ୍ୟସାଇ ବାବା । ୧୯୪୦ ମସିହା ଅକ୍ଟୋବର ମାସ ୨୦ ତାରିଖରେ ମାତ୍ର ୧୪ ବର୍ଷ ବୟସରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ସେ ଗୃହତ୍ୟାଗ କରି ନିଜକୁ ଶିରିଡି ସାଇଙ୍କ ଅବତାର ଘୋଷଣା କରିଥିଲେ । ସେହି ଦିନ ଠାରୁ ସାରା ଜଗତରେ ଶାନ୍ତି ପ୍ରତିଷ୍ଠା ସାଙ୍ଗକୁ ସମସ୍ତଙ୍କ କଲ୍ୟାଣ ନିମନ୍ତେ ଦିବ୍ୟ ସନ୍ଦେଶ ପ୍ରଦାନ କରି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏହି ଦିବ୍ୟ ଅବତାର । ସମସ୍ତଙ୍କୁ ଭଲ ପାଇବା ଓ ସମସ୍ତଙ୍କୁ ସେବା କରିବା ଭଗବାନ ସତ୍ୟସାଇ ବାବାଙ୍କ ମୁଖ୍ୟ ବାର୍ତ୍ତା ଥିଲା । ତେଣୁ ଆଜି ଭଗବାନ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମୋତ୍ସବ ଅବସରରେ ସେହି ଦିବ୍ୟ ଅବତାରଙ୍କ ପଥକୁ ଅନୁସରଣ କରିବାକୁ ସାଇ ଆଶ୍ରିତମାନେ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ । ଭଗବାନ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମୋତ୍ସବ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସିକା ସତ୍ୟସାଇ ସେବା ସମିତିର ଆବାହକ ଗଙ୍ଗାଧର ଗୌଡ, ଆଧ୍ୟାତ୍ମିକ ସଂଯୋଜକ କେ.କାମେଶ୍ୱର ଆଚାରୀ, ଆଧ୍ୟାତ୍ମିକପ୍ରେମୀ ଅଜିତ୍ କୁମାର ପଟ୍ଟନାୟକ, ଭବାନୀ ଶଙ୍କର ପଟ୍ଟନାୟକ, ମନୋଜ କୁମାର ଦାଶ, ପ୍ରଦୀପ ରାଉତ, ମନୋଜ କୁମାର ମିଶ୍ର, ନାରାୟଣ ରଥ, ମାଲେଶ୍ୱର ପାତ୍ର, ଭି.କ୍ରିଷ୍ଣାସ୍ୱାମୀ ରାଓ, ଧନଞ୍ଜୟ ମହାପାତ୍ର, ସନ୍ୟାସୀ ନାହାକ, ବୁଦ୍ଧିରାମ ନାହାକ, ଅବନୀକାନ୍ତ ପଟ୍ଟନାୟକ, ମଙ୍ଗୁଳୁ ନାହାକ, ସହଦେବ ନାହାକ, ପ୍ରଣତି ପଟ୍ଟନାୟକ, ଭି.ସରୋଜିନୀ, ଲକ୍ଷ୍ମୀ ରଥଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଭଗବାନ ସତ୍ୟସାଇ ବାବାଙ୍କ ଜନ୍ମୋମହୋତ୍ସବ ଅବସରରେ ବେଣିଆ, ପିତଳ, ବେଣାପାଟ, ଚିନିଶିଳ୍ପ ନୁଆଗାଁ, କୁଲାଗଡ, ସୁନାମୋହୀ, ଆସିକା ସମେତ ଆଖପାଖ ସତ୍ୟସାଇ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଟିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।