ଆସିକାରେ ହ୍ରାସ ପାଇବାରେ ଲାଗିଛି ପନିପରିବା ଦର
ଆସିକା, (ୱାଇଏନ୍ଏସ୍):ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଗତ କିଛି ଦିନ ହେଲା ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ପନିପରିବା ଦର ଆଶାତୀତ ଭାବେ ଦିନକୁ ଦିନ ହ୍ରାସ ପାଇଚାଲିଥିବାରୁ ସାଧାରଣ ଖାଉଟିଙ୍କ ମୁହଁରେ ହସ ଫୁଟିଥିବା ଲକ୍ଷ୍ୟ କରାଯାଇଛି । ସାଂପ୍ରତିକ ପରିସ୍ଥିତିରେ ସାଧାରଣ ଗ୍ରାହକଟିଏ ଶହେ ଟଙ୍କା ଧରି ବଜାର ହାଟକୁ ଗଲେ ୧୦ଟଙ୍କିଆ ବ୍ୟାଗରେ ପନିପରିବା ଭର୍ତ୍ତି କରିଆଣୁଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେଲା ଟମାଟୋ, ଫୁଲକୋବି, ପତ୍ରକୋବି, ବାଇଗଣ ସମେତ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ପନିପରିବାର ଦର ହ୍ରାସ ପାଇବାରେ ଲାଗିଛି । ଆସିକା ଅଞ୍ଚଳରେ ଚଳିତ ବର୍ଷ ପ୍ରଚୁର ପରିମାଣର ଫୁଲକୋବି, ଟମାଟୋ, ପତ୍ରକୋବି ସମେତ ବିଭିନ୍ନ କିସମର ପନିପରିବା ଅମଳ ହୋଇଥିବା ବେଳେ ସେଗୁଡିକୁ ସତେଜ କରି ରଖିବା ପାଇଁ ଶୀତଳଭଣ୍ଡାର ନଥିବାରୁ କ୍ଷେତରେ ଚାଷୀ କମ୍ ଦରରେ ବ୍ୟବସାୟୀଙ୍କୁ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଥିବା ଜଣାପଡିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ କେତେକ ବ୍ୟବସାୟୀ ନିଜ ନିଜର ଲାଭାଂଶକୁ ରଖି ଗ୍ରାହକଙ୍କୁ ପନିପରିବା ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । ଯାହାରି ଫଳରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ପନିପରିବା ଖାଉଟିଙ୍କ ନିକଟରେ କମ୍ ଦରରେ ପହଞ୍ଚିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି ।