ଆସିକାର ନିରଞ୍ଜନ ମହିଳା ମହାବାଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକ ମରୁଡି

ଆସିକା, (ଯୁଗାବ୍ଦ ନ୍ୟୁଜ):ଉଚ୍ଚଶିକ୍ଷାର ବିକାଶ ଲାଗି ଆସିକା ଏନ୍‌ଏସି ଅଞ୍ଚଳରେ ସ୍ଥାପିତ ହୋଇଥିବା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗରେ ବହୁ ସ୍ଥାୟୀ ଅଧ୍ୟାପକ ପଦବୀ ଖାଲିପଡିଥିଲେ ମଧ୍ୟ ତାହାକୁ ପୂରଣ କରିବା ଦିଗରେ ଉଚ୍ଚ ଶିକ୍ଷାବିଭାଗ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଯୋଗୁଁ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଏ ସଂପର୍କରେ ଖବର ନେବାରେ ଜଣାଯାଏ ନାରୀଶିକ୍ଷାର ବିକାଶ ଲାଗି ୧୯୮୦ ମସିହା ସେପ୍ଟେମ୍ବର ମାସ ୬ତାରିଖରେ ସ୍ଥାପିତ ହୋଇଥିବା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟକୁ ୧୯୯୩ ମସିହା ଫେବୃଆରୀ ମାସ ୧ ତାରିଖରେ ରାଜ୍ୟ ସରକାର ନିଜ ଅଧିନକୁ ନେଇଥିଲେ । ତେବେ ଦୀର୍ଘ ବର୍ଷ ହେଲା ଯୁକ୍ତଦୁଇ କଳା ଓ ବିଜ୍ଞାନ ବିଭାଗରେ ଆବଶ୍ୟକତା ଅନୁଯାୟୀ ସ୍ଥାୟୀ ଗଣିତ ଅଧ୍ୟାପକ, ରସାୟନ ବିଜ୍ଞାନ ଅଧ୍ୟାପକ, ଭୌତିକ ବିଜ୍ଞାନ ଅଧ୍ୟାପକ, ଜୀବ ବିଜ୍ଞାନ ଅଧ୍ୟାପକ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ, କମ୍ପ୍ୟୁଟର ବିଜ୍ଞାନ ଅଧ୍ୟାପକ, ଅର୍ଥଶାସ୍ତ୍ର ଅଧ୍ୟାପକ, ଶିକ୍ଷା ଅଧ୍ୟାପକ, ଇଂରାଜୀ ଅଧ୍ୟାପକ, ଇତିହାସ ଅଧ୍ୟାପକ, ଗୃହବିଜ୍ଞାନ ଅଧ୍ୟାପକ, ଓଡିଆ ଅଧ୍ୟାପକ, ତର୍କଶାସ୍ତ୍ର ଅଧ୍ୟାପକ, ରାଜନୀତି ବିଜ୍ଞାନ ଅଧ୍ୟାପକ ପଦବୀ ଖାଲିପଡିଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ନିରଂଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଜିଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇନଥିବାରୁ ବହୁ ବିଭାଗରେ ସ୍ଥାୟୀ ଅଧ୍ୟାପକ ପଦବୀ ଖାଲି ପଡିଛି । ସେହିଭଳି ଯୁକ୍ତତିନି କଳା ପାଠ୍ୟକ୍ରମରେ ଆବଶ୍ୟକତା ଅନୁଯାୟୀ ସ୍ଥାୟୀ ଅର୍ଥଶାସ୍ତ୍ର ଅଧ୍ୟାପକ, ଶିକ୍ଷା ଅଧ୍ୟାପକ, ଇଂରାଜୀ ଅଧ୍ୟାପକ, ଭୂଗୋଳ ଅଧ୍ୟାପକ, ଇତିହାସ ଅଧ୍ୟାପକ, ଗୃହବିଜ୍ଞାନ ଅଧ୍ୟାପକ, ଓଡିଆ ଅଧ୍ୟାପକ, ତର୍କଶାସ୍ତ୍ର ଅଧ୍ୟାପକ, ରାଜନୀତି ବିଜ୍ଞାନ ଅଧ୍ୟାପକ, ମନସ୍ତତ୍ତ୍ୱ ବିଜ୍ଞାନ ଅଧ୍ୟାପକ, ସମାଜ ବିଜ୍ଞାନ ଅଧ୍ୟାପକ ଭଳି ବହୁ ପ୍ରାଧ୍ୟାପକ ପଦବୀ ସାଙ୍ଗକୁ ବହୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାପକ ଖାଲିପଡିଥିବା ବେଳେ ସେସବୁକୁ ପୂରଣ କରିବା ଦିଗରେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଉକ୍ତ ମହାବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ଜ୍ଞାନ ଆହରଣ କରିବା ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଆଲୋଚିତ ହେଉଛି । ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଅଧିକାଂଶ ପାଠ୍ୟକ୍ରମରେ ସ୍ଥାୟୀ ଅଧ୍ୟାପକ ପଦବୀ ଖାଲି ପଡିଥିଲା ବେଳେ ଅତିଥି ଅଧ୍ୟାପକ ମାନଙ୍କୁ କେତେକ ବିଷୟରେ ନିଯୁକ୍ତି ଦିଆଯାଇ ଶିକ୍ଷାଦାନ କରାଯାଉଥିବା ଜଣାପଡିଛି । ଆସିକା ନିରଂଜନ ସରକାରୀ ସ୍ନାତକ ମହିଳା ମହାବିଦ୍ୟାଳୟରେ ଗତ ୨୦୧୩ ମସିହାରୁ ସ୍ଥାୟୀ ଅଧ୍ୟକ୍ଷ ପଦବୀ ମଧ୍ୟ ଖାଲି ପଡିଥିଲା ବେଳେ ମଂଜୁରୀପ୍ରାପ୍ତ ୨୭ଟି ପଦବୀ ମଧ୍ୟରୁ ମାତ୍ର ୧୦ ଜଣ ଅଧ୍ୟାପକ ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷାଦାନ କରୁଥିଲା ବେଳେ ୧୭ଟି ଅଧ୍ୟାପକ ପଦବୀ ଖାଲି ପଡିଥିବା ଜଣାପଡିଛି । ନାରୀ ଶିକ୍ଷାର ବିକାଶ ଲାଗି ସ୍ଥାପିତ ହୋଇଥିବା ଆସିକା ନିରଂଜନ ସରକାରୀ ସ୍ନାତକ ମହିଳା ମହାବିଦ୍ୟାଳୟ ଓ ନିରଂଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ଶ୍ରେଣୀର କଳା ଓ ବିଜ୍ଞାନ ପାଠ୍ୟକ୍ରମ ଏବଂ ଯୁକ୍ତତିନି ଶ୍ରେଣୀର କଳା ପାଠ୍ୟକ୍ରମରେ ୧୮୩୧ ଜଣ ଛାତ୍ରୀ ପାଠ ପଢୁଥିବା ଜଣାପଡିଛି । ଆସିକା ନିରଂଜନ ସରକାରୀ ସ୍ନାତକ ମହିଳା ମହାବିଦ୍ୟାଳୟ ଓ ନିରଂଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ ଦାୟିତ୍ୱରେ ଥିବା ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଉଚ୍ଚକୋଟୀର ପାଠପଢା ଶୈଳୀ ଯୋଗୁଁ ଏହି ଶିକ୍ଷାନୁଷ୍ଠାନର ବହୁ ଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇ ଚାଲିଛନ୍ତି । ଉଚ୍ଚଶିକ୍ଷାର ବିକାଶ ଲାଗି ସ୍ଥାପିତ ହୋଇଥିବା ଏହି ମହିଳା ମହାବିଦ୍ୟାଳୟର ଭବିଷ୍ୟତ ଅଧ୍ୟାପକ ଅଭାବରୁ ଦିନକୁ ଦିନ ବିଗିଡିଯିବାକୁ ବସିଛି । ଦିନେ ଯେଉଁ ମହାବିଦ୍ୟାଳୟର ଶିକ୍ଷାଦୀକ୍ଷା ଓ ପରିଚାଳନାରେ ସୁନାମ ଅର୍ଜନ କରୁଥିଲା ଆଜି ସେହି ଶିକ୍ଷାନୁଷ୍ଠାନର ସିରି ତୁଟିବାକୁ ବସିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ନାରୀ ଶିକ୍ଷାର ବିକାଶ ଲାଗି ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଉଥିଲା ବେଳେ ତାହା କେବଳ ସ୍ଳୋଗାନ୍‌ରେ ସୀମିତ ରହିଯାଇଥିବା ଚର୍ଚ୍ଚା ହେଉଛି । ସ୍ଥାନୀୟ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟକୁ ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯାଇପାରେ । ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଉଚ୍ଚଶିକ୍ଷା ବିଭାଗ ଏବଂ ଗଣଶିକ୍ଷା ବିଭାଗର ପ୍ରତ୍ୟେକ୍ଷ ନିୟନ୍ତ୍ରଣରେ ପରିଚଳିତ ହୋଇ ଆସୁଥିବା ଆସିକା ଅଞ୍ଚଳର ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଖାଲି ପଡିଥିବା ସ୍ଥାୟୀ ଅଧ୍ୟାପକ ପଦବୀ ବର୍ଷବର୍ଷ ଧରି ପୂରଣ ହେଉନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ସରକାରୀ ନିରଂଜନ ସରକାରୀ ମହିଳା ବିଦ୍ୟାଳୟର ଭିତ୍ତିଭୂମୀର ବିକାଶ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଅନୁଦାନ ଯୋଗାଉଥିଲା ବେଳେ ଖାଲି ପଡିଥିବା ଅଧ୍ୟାପକ ପଦବୀ ଗୁଡିକ ପୂରଣ ଦିଗରେ ପଦକ୍ଷେପ ନନେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ନାରୀଶିକ୍ଷାର ବିକାଶ ଲାଗି ଆସିକା ଏନ୍‌ଏସି ପରିସରଭୁକ୍ତ ଅଞ୍ଚଳରେ ସ୍ଥାପିତ ହୋଇଥିବା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଖାଲି ପଡିଥିବା ସ୍ଥାୟୀ ଅଧ୍ୟକ୍ଷ ଓ ଅଧ୍ୟାପକ ପଦବୀ ଗୁଡିକ ପୂରଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢମତ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ