ଆସିକାର ବରଗାଁ ସମେତ ଅନ୍ୟ ଦୁଇ ପଞ୍ଚାୟତ ଯକ୍ଷ୍ମାମୁକ୍ତ ଘୋଷଣା

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକର ବରଗାଁ ସମେତ ଅନ୍ୟ ଦୁଇ ପଞ୍ଚାୟତ ଚଢେୟାପଲ୍ଲୀ ଓ ବାଲିଛାଇକୁ ମିଶାଇ ଗଂଜାମ ଜିଲ୍ଲାର ୫୩ଟି ପଂଚାୟତକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଯକ୍ଷ୍ମାମୁକ୍ତ ଘୋଷଣା କରାଯାଇଥିବା ଜଣାପଡିଛି । ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଜରିଆରେ ଆସିକା ବ୍ଳକର ବରଗାଁ, ଚଢେୟାପଲ୍ଲୀ ଓ ବାଲିଛାଇ ପଂଚାୟତକୁ ଯକ୍ଷ୍ମାମୁକ୍ତ ପଂଚାୟତ ଭାବେ ଘୋଷଣା କରାଯାଇଛି ବୋଲି ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରା ସୂଚନା ଦେଇଛନ୍ତି । ସମଗ୍ର ରାଜ୍ୟରେ ଥିବା ୩୧୪ଟି ବ୍ଳକର ୬୮୦୨ ପଂଚାୟତ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ମୋଟ ୫୨୧ଟି ପଂଚାୟତକୁ ଯକ୍ଷ୍ମାମୁକ୍ତ ଘୋଷଣା କରାଯାଇଥିବା ଜଣାପଡିଛି । ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଜରିଆରେ ଦେଶ ଜିତିବ ଯକ୍ଷ୍ମା ହାରିବ ସ୍ଳୋଗାନ୍‍ ଦେଇ ପଂଚାୟତ ସ୍ତରରେ ନିର୍ବାପ୍ତ ପ୍ରତିନିଧିମାନଙ୍କୁ ସାମିଲ୍‍ କରି ଯକ୍ଷ୍ମା ରୋଗ ଓ ଏହାର ନିରାକରଣ ସଂପର୍କରେ ସଚେତନ କରାଯିବା ସହ ସେହି ଅଞ୍ଚଳକୁ ଯକ୍ଷ୍ମା ରୋଗୀ ମୁକ୍ତ କରିବାକୁ ଗତ କିଛି ମାସ ତଳେ ଜିଲ୍ଲା ସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ଯକ୍ଷ୍ମାମୁକ୍ତ ଘୋଷଣା ହୋଇଥିବା ଆସିକା ବ୍ଳକର ବରଗାଁ ସମେତ ଅନ୍ୟ ଦୁଇ ପଂଚାୟତ ଚଢେୟାପଲ୍ଲୀ ଓ ବାଲିଛାଇ ଗ୍ରାମ ପଂଚାୟତର ସରପଂଚମାନଙ୍କୁ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (ଟିବି) ମୁକ୍ତ ପଂଚାୟତ ତାଲିକା ଘୋଷଣା ହୋଇସାରିଛି । ଏ ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ ଓଡିଶା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଏନ୍‍ଟିଇପି ଜରିଆରେ ଗତ ୨୦୨୩ ମସିହା ମାର୍ଚ୍ଚ ମାସ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା (ଟିବି) ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯକ୍ଷ୍ମାମୁକ୍ତ ପଞ୍ଚାୟତ ଅଭିଯାନର ଶୁଭାରମ୍ଭ କରିଥିଲେ । ଏହାକୁ ନେଇ ସମସ୍ତ ଗ୍ରାମାଂଚଳ ସ୍ତରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା ଓ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍‍ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଯକ୍ଷ୍ମାମୁକ୍ତ ପଂଚାୟତ କାର୍ଯ୍ୟକ୍ରମର ସଫଳତା ପାଇଁ ଜନପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀମାନେ ନିଷ୍ଠା ଓ ତ୍ୟାଗର ସହ କାର୍ଯ୍ୟ କରିଥିଲେ । ଏହାରି ଫଳରେ ପ୍ରଥମ ପର୍ଯ୍ୟାୟରେ ଆସିକା ବ୍ଳକର ବରଗାଁ, ଚଢେୟାପଲ୍ଲୀ ଓ ବାଲିଛାଇ ଗ୍ରାମ ପଂଚାୟତକୁ ଯକ୍ଷ୍ମାମୁକ୍ତ ପଂଚାୟତ ଭାବେ ସଫଳତା ମିଳିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ପଂଚାୟତ ଗୁଡିକୁ ଯକ୍ଷ୍ମାମୁକ୍ତ କରିବାରେ ଜନପ୍ରତିନିଧିମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଉଛି । ଆସନ୍ତା ଡିସେମ୍ବର ମାସ ୭ ତାରିଖରୁ ରାଜ୍ୟସ୍ତରରେ ଯକ୍ଷ୍ମା (ଟିବି) ମୁକ୍ତ ପଂଚାୟତ ପାଇଁ ୧୦୦ ଦିନିଆ ଅଭିଯାନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ଜରିଆରେ ଅଧିକରୁ ଅଧିକ ପଂଚାୟତକୁ ଏଥିରେ ସାମିଲ୍‍ କରି ଯକ୍ଷ୍ମାମୁକ୍ତ ପଂଚାୟତ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଲକ୍ଷ୍ୟ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ