ଆସିକାର ସମସ୍ତ ଏଟିଏମ୍ କାଉଣ୍ଟରରେ ସୁରକ୍ଷା କର୍ମୀ ନିୟୋଜିତ ଦାବୀ

ଆସିକା, (ୱାଇଏନ୍‍ଏସ୍‍):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଏଟିଏମ୍ କାଉଣ୍ଟର ଗୁଡିକରେ ୨୪ ଘଣ୍ଟିଆ ସୁରକ୍ଷା କର୍ମୀ ନିୟୋଜିତ କରିବା ଦିଗରେ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି । ସହର ମଧ୍ୟରେ ଥିବା ବହୁ ଏଟିଏମ୍ କାଉଣ୍ଟର ଗୁଡିକରେ ସୁରକ୍ଷା କର୍ମୀ ନଥିବା ଯୋଗୁଁ ଏଟିଏମ୍ ଉପରେ ନିର୍ଭର କରୁଥିବା ବିଭିନ୍ନ ବ୍ୟାଙ୍କର ଜମାକାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ସହରର ବହୁ ପ୍ରମୁଖ ରାସ୍ତା ପାଶ୍ୱର୍ରେ ବିଭିନ୍ନ ବ୍ୟାଙ୍କର ଏଟିଏମ୍ ରହିଛି । ହାତଗଣତି କେତେକ ବ୍ୟାଙ୍କର ଏଟିଏମ୍ କାଉଣ୍ଟର ଗୁଡିକୁ ଛାଡିଦେଲେ ଅଧିକାଂଶ ବ୍ୟାଙ୍କର ଏଟିଏମ୍ କାଉଣ୍ଟର ଗୁଡିକରେ ସୁରକ୍ଷା ବ୍ୟବସ୍ଥା ନଥିବା ଦେଖିବାକୁ ମିଳୁଛି । ଫଳରେ ସୁରକ୍ଷା କର୍ମୀ ନଥିବା ଏଟିଏମ୍ କାଉଣ୍ଟର ଗୁଡିକରୁ ଅର୍ଥ ଉଠାଣ କରିବାକୁ ଜମାକାରୀମାନେ ନିରାପଦ ମଣୁ ନାହାନ୍ତି । ଅପର ପକ୍ଷରେ କେତେକ ଏଟିଏମ୍‌ରେ ଯାନ୍ତ୍ରିକ ତୃଟି, ଲିଙ୍କ ଫେଲ ଓ ବିଦ୍ୟୁତ୍ ସରାବରାହ ବିଚ୍ଛିନ୍ନ ସମୟରେ ଟଙ୍କା ଉଠାଣ କ୍ଷେତ୍ରରେ ନାନା ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ଏଟିଏମ୍ କାଉଣ୍ଟରରେ ଥରେ ଜଣେ ବ୍ୟକ୍ତି ପ୍ରବେଶ କରିବାର ନିୟମ ଥିବା ବେଳେ କେତେକ ଏଟିଏମ୍ କାଉଣ୍ଟରକୁ ଥରକେ ଏକାଧିକ ବ୍ୟକ୍ତି ପ୍ରବେଶ କରୁôଥିବା ମଧ୍ୟ ଅଭିଯୋଗ ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଜମାକାରୀଙ୍କ ଆବଶ୍ୟକତା ସମୟରେ ଟଙ୍କା ଉଠାଣକୁ ଦୃଷ୍ଟିରେ ରଖି ଏଟିଏମ୍‍ ସ୍ଥାପନ କରାଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ପ୍ରମୁଖ ଜାଗା ମାନଙ୍କରେ କେତେକ ବ୍ୟାଙ୍କ ପକ୍ଷରୁ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଏଟିଏମ୍‍ ରହିଥିଲା ବେଳେ ଏହି ସବୁ ଏଟିଏମ୍‍ ମଧ୍ୟରୁ ହାତଗଣତି କେତେକ ଏଟିଏମ୍‍କୁ ଛାଡିଦେଲେ ଅଧିକାଂଶ ଏଟିଏମ୍‍ରେ ସୁରକ୍ଷା କର୍ମୀ କିମ୍ବା ରାତ୍ର ଜଗୁଆଳ ରହୁନଥିବା ଦେଖିବାକୁ ମିଳୁଛି । ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଅଞ୍ଚଳର ସମସ୍ତ ଏଟିଏମ୍ କାଉଣ୍ଟର ଗୁଡିକରେ ସୁରକ୍ଷା କର୍ମୀ ନିୟୋଜିତ କରି ଜମାକାରୀମାନେ ଯେପରି ନିର୍ଭୟରେ ଟଙ୍କା ଉଠାଣ କରିପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ