ଆସିକାର ସାହିବସ୍ତିର ରାଜରାସ୍ତାରେ ବୁଲା କୁକୁରଙ୍କ ଉପଦ୍ରବ ବୃଦ୍ଧି

ଆସିକା, (ୱାଇଏନ୍‍ଏସ୍‍):ଆସିକା ଏନଏସି ପରିସରଭୁକ୍ତ କେତେକ ୱାର୍ଡରେ ଗତ କିଛି ଦିନ ହେଲା ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସାହିବସ୍ତିରେ ଦିନକୁ ଦିନ ବୁଲା କୁକୁରଙ୍କ ଉପଦ୍ରବ ବୃଦ୍ଧିପାଇବାରେ ଲାଗିଥିବା ବେଳେ ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ପ୍ରାତଃ ଭ୍ରମଣରେ ଯାଉଥିବା ନାଗରିକ ମାନଙ୍କୁ ପଲପଲ ହୋଇ ବୁଲୁଥିବା ବୁଲାକୁକୁରଙ୍କ ଭୟ ଘାରୁଥିବା ଲକ୍ଷ୍ୟ କରାଯାଇଛି । କେଉଁ ସମୟରେ କିଏ ବୁଲାକୁକୁରଙ୍କ କାମୁଡାର ଶିକାର ହେବ ତାହା କିଛି କହି ହେବ ନାହିଁ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସାହିବସ୍ଥି ଗୁଡିକରେ ମାଳମାଳ ହୋଇ ବୁଲାକୁକୁର ବୁଲୁଥିବା ବେଳେ ଭୋର ସମୟରେ ଲୋକଙ୍କୁ ଦେଖିଲେ ଭୁକିବା ସହ ଲୋକଙ୍କ ପାଖକୁ ଦୌଡି ଆସୁଥିବା ଦେଖିବାକୁ ମିଳୁଛି । ଏପରିକି ବିଭିନ୍ନ ସମୟରେ ବୁଲା କୁକୁର ମାନେ ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖୁଥିବା ଯୋଗୁଁ ବାଇକ ଚାଳକ ମାନେ ମଧ୍ୟ ଦୁର୍ଘଟଣାର ସମ୍ମୁଖିନ ମଧ୍ୟ ହେଉଛନ୍ତି । ସାହିବସ୍ତି ଗୁଡିକରେ ବିଭିନ୍ନ ସମୟରେ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଟ ନାଗରିକ ମାନେ ମଧ୍ୟ କୁକୁର କାମୁଡାର ଶିକାର ହେଉଥିବା ଅଭିଯୋଗ ହେଉଛି । କୁକୁର, ମାଙ୍କଡ ସମେତ ଅନ୍ୟାନ୍ୟ ଜୀବଜନ୍ତୁ କାମୁଡାରେ ଆହତ ବ୍ୟକ୍ତି ମାନେ ଇଞ୍ଜେକସନ୍ ନେବା ପାଇଁ ପ୍ରାୟତଃ ପ୍ରତିଦିନ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭିଡ ଜମାଉଥିବା ଦେଖବାକୁ ମିଳୁଛି । ଆସିକା ସହରର ବିଭିନ୍ନ ଜଳଖିଆ ଦୋକାନ, ଫାଷ୍ଟଫୁଡ ସେଣ୍ଟର ଗୁଡିକ ନିକଟରେ ମାଳମାଳ ବୁଲା କୁକୁର ବୁଲୁଥିବା ଦେଖିବାକୁ ମିଳୁଛି । ଆସିକା ସହରାଞ୍ଚଳର କେତେକ ରାସ୍ତାରେ ବୁଲା କୁକୁର ମାନେ ମାଳମାଳ ହୋଇ ବୁଲୁଥିବା ବେଳେ ବାଇକ କିମ୍ବା ଅନ୍ୟକୌଣସି ଗାଡି ଦେଖିଲେ ଭୋକି ଭୋକି ଗାଡି ନିକଟକୁ ଚାଲି ଆସୁଥିବା ଅଭିଯୋଗ ହେଉଛି । ବୁଲା କୁକୁରଙ୍କ ରାଜୁତି ସାହିବସ୍ତି ଗୁଡିକରେ ଦିନକୁ ଦିନ ବଢି ବଢି ଚାଲିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଏନଏସି କତ୍ତୃପକ୍ଷ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ବୁଲା କୁକୁରଙ୍କ ଉପଦ୍ରବ ଯୋଗୁଁ ଏବେ ଆସିକା ସହର ତଥା ଏହାର ଆଖାପାଖ ଅଞ୍ଚଳ ଦୁର୍ଘଟଣା ପ୍ରବଣ ହେବାରେ ଲାଗିଛି । ସାହିବସ୍ତି ଗୁଡିକରେ ଦଳଦଳ ହୋଇ ବୁଲା କୁକୁର ବୁଲୁଥିବା ଯୋଗୁଁ ବହୁ ଅଭିଭାବକ ସେମାନଙ୍କ ସନ୍ତାନ ସନ୍ତତିଙ୍କୁ କୁକୁର କାମୁଡିବା ଭୟରେ ଘରୁ ବାହାରକୁ ଛାଡିବାକୁ ନିରାପଦ ମଣୁନଥିବା ଦେଖିବାକୁ ମିଳୁଛି । ରାତ୍ରରେ ବାଇକରେ ଯିବା ବେଳେ ହେଉ ବା ଚାଲିଚାଲି ଯିବା ବେଳେ ହେଉ ବୁଲା କୁକର ଗୋଡାଉଛନ୍ତି ଆଉ ବେଳେ ବେଳେ ବାଇକ୍ ଭିତରକୁ ପଶି ଆସିବା ଫଳରେ ଦୁର୍ଘଟଣା ମଧ୍ୟ ଘଟୁଛି । ଯାହାରି ଫଳରେ ବାଇକ୍ ଚାଳକ ଗୁରୁତର ଆହତ ହେଉଛନ୍ତି । ଏଥିପାଇଁ କାହାକୁ ଦାୟୀ କରାଯିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବୁଲାକୁକୁରଙ୍କ ଉପଦ୍ରବରୁ ଆସିକା ସହରବାସୀଙ୍କୁ ରକ୍ଷା କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ