ଆସିକାର ୨ଟି କେନ୍ଦ୍ରରେ ଆରମ୍ଭ ହେଲା ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା
ଆସିକା, (ୱାଇଏନ୍ଏସ୍):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଶନିବାର ଠାରୁ ଆସିକାର ଆରିୟନ୍ ପବ୍ଳିକ ସ୍କୁଲ ଓ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଥିବା ଜଣାପଡିଛି । ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଥିଲା ବେଳେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପ୍ରଥମ ଦିନରେ ଇଂରାଜୀ ଭାଷା ପରୀକ୍ଷା ଦେଇଥିଲେ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ପରୀକ୍ଷାର ପ୍ରଥମ ଦିନର ପରୀକ୍ଷା ଆସିକାର ୨ଟି କେନ୍ଦ୍ରରେ ଶୃଙ୍ଖଳିତ ଭାବେ ଶେଷ ହୋଇଛି । ପ୍ରଥମ ଦିନର ଇଂରାଜୀ ଭାଷା ପରୀକ୍ଷାର ପ୍ରଶ୍ନପତ୍ର ସହଜ ଓ ସରଳ ଥିବାରୁ ବହୁ ପରୀକ୍ଷାର୍ଥୀ ପରୀକ୍ଷା ଦେଇସାରିବା ପରେ ଖୁସି ମନରେ ଘରକୁ ଫେରିଥିଲେ । ଆସିକା ଆରିୟନ୍ ପବ୍ଳିକ ସ୍କୁଲ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନରେ ୩୫୧ ଜଣ ପରୀକ୍ଷାର୍ଥୀ ଓ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୯୯ ଜଣ ପରୀକ୍ଷାର୍ଥୀ ପ୍ରଥମ ଦିନର ଇଂରାଜୀ ଭାଷା ପରୀକ୍ଷା ଦେଇଥିବା ଜଣାପଡିଛି । ଏହି ପରୀକ୍ଷାକୁ ଶୃଙ୍ଖଳିତ, ସ୍ୱଚ୍ଛ, କପିମୁକ୍ତ ଓ ତୃଟିଶୂନ୍ୟ ଭାବେ ସମାପ୍ତ କରିବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି ।