ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଆରମ୍ଭ ହେବ ନିଃଶୁଳ୍କ ଡାଏଲିସିସ୍‍ ସେବା

ଆସିକା, (ଯୁଗାବ୍ଦ ନ୍ୟୁଜ):ଆଗାମୀ କିଛି ଦିନ ମଧ୍ୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଇତିହାସରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୁଆଁ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା କିଡନୀ ରୋଗାକ୍ରାନ୍ତ ରୋଗୀଙ୍କୁ ମିଳିବ ଉନ୍ନତ ମାନର ସ୍ୱାସ୍ଥ୍ୟସେବା । ଡାଏଲିସିସ୍‍ ସେବା ପାଇଁ ଆବଶ୍ୟକ ପଡୁଥିବା ଅତ୍ୟାଧୁନିକ ଯନ୍ତ୍ରପାତି ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଶେଷ ହୋଇସାରିଥିଲା ବେଳେ ଲୋକାର୍ପଣ ପାଇଁ କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଥିବା ଜଣାପଡିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ଆସିକା ବ୍ଳକ ଓ ଏନ୍‍ଏସି ସମେତ ଧରାକୋଟ, ଶେରଗଡ, କବିସୂର୍ଯ୍ୟନଗର, ବୁଗୁଡା ତଥା ଏହାର ଆଖପାଖ ଅଂଚଳର ହଜାର ହଜାର ଜନତା ନିର୍ଭରଶୀଳ । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଡାଏଲିିସିସ୍‍ ସେବା ନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର କିଡନୀ ରୋଗାକ୍ରାନ୍ତ ରୋଗୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା କେତେକ ଘରୋଇ ଚିକିତ୍ସାଳୟକୁ ଡାଏଲିସିସ୍‍ ପାଇଁ ଯାଇ ଖର୍ଚ୍ଚାନ୍ତର ସମ୍ମୁଖୀନ ହେଉଥିଲେ । ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ୍‍ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ୬ ଶଯ୍ୟା ବିଶିଷ୍ଟ ଡାଏଲିସିସ୍‍ ସେବା କେନ୍ଦ୍ର ଖୋଲିବା ଲାଗି ଆନୁସାଙ୍ଗିକ ଭିତ୍ତିଭୂମୀକୁ ସୁଦୃଢ କରାଯିବା ସାଙ୍ଗକୁ ଡାକ୍ତର, ଟେକନିସିଅନ୍‍, ଆଟେଣ୍ଡାଣ୍ଟ ଓ ସୁଇପର୍‍ ନିଯୁକ୍ତି କରିଥିବା ଯୋଗୁଁ ସାଧାରଣରେ ସ୍ୱାସ୍ଥ୍ୟ ବିଭାଗର ଏହି ଐତିହାସିକ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ନିଃଶୁଳ୍କ ଡାଏଲିସିସ୍‍ ସେବା ଆରମ୍ଭ ହେବା ପରେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀମାନେ ହାତପାଆନ୍ତାରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବାରେ ସକ୍ଷମ ହୋଇପାରିବେ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଡାଏଲିସିସ୍‍ ସେବା ବ୍ୟୟବହୁଳ ହୋଇଥିବାରୁ କିଡନୀ ରୋଗୀଙ୍କୁ ଏହି ସେବା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା କିଡନୀ ରୋଗାକ୍ରାନ୍ତଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ବେଶ୍‍ ପ୍ରଶଂସନୀୟ ବୋଲି ମତ ପ୍ରକାଶ ପାଉଥିଲା ବେଳେ ଏହି ଡାଏଲିସିସ୍‍ ସେବା ଆରମ୍ଭ ହେଲେ ବହୁ କିଡନୀ ରୋଗୀ ଉପକୃତ ହେବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ସଚେନତ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ