ଆସିକା ଏନ୍‍ଏସି କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ

ଆସିକା (ସରୋଜ କୁମାର ଦାଶ): ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଏକ ବିକଶିତ ଦେଶକୁ ଆଗେଇ ନେବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଶିଶୁ ମହୋତ୍ସବ ସୁରଭି ଏକ ମାଧ୍ୟମ ବୋଲି ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଏନ୍‍ଏସି କ୍ଳଷ୍ଟରର ସରକାରୀ ଏନ୍‍ଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ବକ୍ତାମାନେ ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଏନ୍‍ଏସି କ୍ଳଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିଶିରକାନ୍ତ ବେହେରାଙ୍କ ସଂଯୋଜନାରେ ସରକାରୀ ଏନ୍‍ଏସି ନୋଡାଲ୍‍ ହାଇସ୍କୁଲ ପରିସରରେ ମଙ୍ଗଳବାର କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଆସିକା ସହରର ଅତି ପୁରାତନ ସରକାରୀ ଏନ୍‍ଏସି ନୋଡାଲ୍‍ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ବଳରାମ ପଣ୍ଡା, ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ର ପ୍ରମୁଖ ଯୋଗଦେଇ ଏହି ଶିଶୁ ମହୋତ୍ସବ ସୁରଭି ୨୦୨୫ ପାଳନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଗୁତୁତ୍ୱାରୋପ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ କରିବା ନିମନ୍ତେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ବେଶ୍‍ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଆସିକା ଏନ୍‍ଏସି କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ଶତାଧୀକ ଛାତ୍ରଛାତ୍ରୀ ଯୋଗଦେଇ ବକ୍ତୃତା, ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ, ସୃଜନଶୀଳ ଲେଖନ, ଶ୍ରୁତଲିଖନ, ଗୀତ, ସାଧାରଣ ଜ୍ଞାନ, ନୃତ୍ୟ ଇତ୍ୟାଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ବାବନପୁର କ୍ଳଷ୍ଟରର ସିଆର୍‍ସିସି ରାଧାମୋହନ ଡାକୁଆ, ଏନ୍‍ଏସି କାଉନସିଲର ରାଘବ ସିୟ, ସମାଜସେବୀ ଅନନ୍ତ ଶତପଥୀ, ସରକାରୀ ଏନ୍‍ଏସି ନୋଡାଲ୍‍ ହାଇସ୍କୁଲର ସହକାରୀ ଶିକ୍ଷକ ପ୍ରଦୀପ କୁମାର ଶତପଥୀ ଓ ସୁରେନ୍ଦ୍ରନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ କୃତୀତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଏନ୍‍ଏସିି କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ପ୍ରତିଯୋଗିତା କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ କିଛି ଦିନ ପରେ ଆସିକା ଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ କରାଯାଇଥିଲା । ଏହି ଆସିକା ଏନ୍‍ଏସି କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିଶିରକାନ୍ତ ବେହେରା, ରାଧାମୋହନ ଡାକୁଆ, ଶିକ୍ଷକ ସଂଘ ନେତା ଶିବଶଙ୍କର ଜେନା, ସରକାରୀ ଏନ୍‍ଏସି ନୋଡାଲ୍‍ ହାଇସ୍କୁଲର ସହକାରୀ ଶିକ୍ଷକ ପ୍ରଦୀପ କୁମାର ଶତପଥୀ, ସୁରେନ୍ଦ୍ରନାଥ ପଟ୍ଟନାୟକ, ଶୁଭଶ୍ରୀ ପଣ୍ଡା, ପ୍ରସନ୍ନ କୁମାର ସାହୁ, ଅମୀୟ ରଂଜନ ନାୟକ, ଗଣେଶ ମହାନ୍ତି, ଭାଗ୍ୟଲକ୍ଷ୍ମୀ ପାଢୀ, ସୁଷମା ପ୍ରାମାଣିକ, କାମିନୀ ଦେବୀ, ସଂଜୁଲତା ସାବତ, ଅର୍ଚ୍ଚନା ପାଢୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ଏହି ଆସିକା ଏନ୍‍ଏସି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ପ୍ରତିଯୋଗିତା ପାଳନ କାର୍ଯ୍ୟକ୍ରମରେ କ୍ଳଷ୍ଟର ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ଶତାଧୀକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରତିଭା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ