ଆସିକା ବ୍ଳକର ୨୨ ହେକ୍ଟର ଜମିରେ ଲାଗିଛି କୁଫ୍ରି ପୋଖରାଜ୍ ଓ କୁଫ୍ରିଜ୍ୟୋତି ଆଳୁ ବିହନ
ଆସିକା, (ୱାଇଏନ୍ଏସ୍):ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷିତ ଆଳୁ ଉତ୍ପାଦନ ମିଶନ୍ ପ୍ରଥମ ପର୍ଯ୍ୟାୟରେ ଆସିକା ବ୍ଳକ ପରିସରଭୁକ୍ତ କେତେକ ଗ୍ରାମ ପଂଚାୟତରେ ସଫଳ ହେବାକୁ ଯାଉଥିବା ଜଣାପଡିଛି । ଆଗାମୀ କିଛି ଦିନ ମଧ୍ୟରେ ଆଳୁ ଉତ୍ପାଦନ ହେବା ସମ୍ଭାବନା ରହିଛି । ଆଳୁଚାଷର ପ୍ରସାର ସାଙ୍ଗକୁ ଚାଷୀଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଆଳୁ ମିଶନ୍ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆସିକା ସହକାରୀ ଉଦ୍ୟାନ କୃଷି ଅଧିକାରୀ ଗୀତାଞ୍ଜଳୀ ସାହୁଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ପରିସରଭୁକ୍ତ ଅଞ୍ଚଳର ୨୨ ହେକ୍ଟର ଜମିରେ ପ୍ରଥମ ପର୍ଯ୍ୟାୟରେ କୁଫ୍ରି ପୋଖରାଜ ଓ କୁଫ୍ରିଜ୍ୟୋତି ଆଳୁ ଚାଷ କରିବା ଲାଗି ଆସିକା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲା ବେଳେ ଗତ ଡିସେମ୍ବର ମାସରେ ଆସିକା ବ୍ଳକର ହରିଡାପଦର, ଖଣ୍ଡଦେଉଳୀ, ଚଢେୟାପଲ୍ଲୀ, ଗଙ୍ଗାପୁର, କମାଗଡ, ସିଦ୍ଧନଇ, ଭେଟନଇ ଗ୍ରାମ ପଂଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମାଂଚଳର ପ୍ରାୟ ୧୧୨ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଏହି କୁଫ୍ରି ପୋଖରାଜ୍ ଆଳୁ ବିହନ ଯୋଗାଇ ଦିଆଯାଇଥିଲା ବେଳେ ଚାଷୀମାନେ ଯେପରି ଆଳୁ ଚାଷ କରିବା ଲାଗି ଆଗ୍ରହ ପ୍ରକାଶ କରିବେ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆଳୁଚାଷକୁ ଅଧିକ ପ୍ରାଧାନ୍ୟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ଜାରି ରହିଥିବା ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚଳିତ ଆର୍ଥିକ ବର୍ଷରେ ଆସିକା ଉଦ୍ୟାନ ଓ କୃଷି ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା ଅଞ୍ଚଳରେ ୨୨ ହେକ୍ଟର ଚାଷଜମିରେ ପଞ୍ଜାବର କୁଫ୍ରିଜ୍ୟୋତି ଓ କୁଫ୍ରି ପୋଖରାଜ୍ ଆଳୁ ଚାଷ କରାଯାଇଛି ବୋଲି ସହକାରୀ ଉଦ୍ୟାନ ଓ କୃଷି ଅଧିକାରୀ ଗୀତାଞ୍ଜଳୀ ସାହୁ ସୂଚନା ଦେଇଛନ୍ତି । ଉକ୍ତ ଆଳୁବିହନ କୁଫ୍ରି ପୋଖରାଜ୍ ଓ କୁଫ୍ରି ଜ୍ୟୋତି ଅତି ଉନ୍ନତ କିସମର ହୋଇଥିବା ବେଳେ ଆଳୁ ଉତ୍ପାଦନ ପରେ ଏହା ଚାଷୀଙ୍କୁ ବେଶ୍ ଲାଭଦାୟକ ହେବ ବୋଲି ଆଶା କରାଯାଉଛି । ବର୍ଷତମାମ ଅନ୍ୟ ରାଜ୍ୟରୁ ଆମଦାନୀ ହେଉଥିବା ଆଳୁର ଦର ବିଭିନ୍ନ ସମୟରେ ଅଧିକା ଉଚ୍ଚା ରହୁଛି । ଓଡିଶାରେ କିଭଳି ଅଧିକରୁ ଅଧିକ ଆଳୁ ଉତ୍ପାଦନ ହୋଇପାରିବ ଏବଂ ଚାଷୀ ଆତ୍ମନିର୍ଭିରଶୀଳ, ସ୍ୱାବଲମ୍ବୀ ହେବା ସହ ଆଳୁଚାଷ କରିବା ପାଇଁ କିଭଳି ଆଗ୍ରହ ଦେଖାଇବ ତାହାକୁ ଦୃଷ୍ଟିରେ ରଖି ଆସିକା ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଉଥିବା ଜଣାପଡିଛି । ପଞ୍ଜାବ ବିହନ କୁଫ୍ରିଜ୍ୟୋତି ଓ କୁଫ ପୋଖରାଜ୍ ଆଳୁ ଚାଷ କରିବା ପାଇଁ ପ୍ରତି ହେକ୍ଟର ପିଚ୍ଛା ଚାଷୀଙ୍କୁ ୧୩ କୁଇଣ୍ଟାଲ ଆଳୁ ବିହନ ଚାଷୀଙ୍କୁ ରିହାତି ଦରରେ ଆଳୁ ବିହନ ଯୋଗାଇ ଦିଆଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ଫସଲ ଅମଳ ହେଲେ ସବ୍ସିଡି ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡିଛି । ଆଗ୍ରହୀ ଆଖୁଚାଷୀମାନେ ପଞ୍ଜାବର କୁଫ୍ରିଜ୍ୟୋତି ଓ କୁଫ୍ରି ପୋଖରାଜ୍ କ୍ଷେତରେ ବିହନ ଲଗାଇବା ସମୟର ଫଟୋ ଓ ଅମଳ ସମୟର ଫଟୋ ଉଦ୍ୟାନ ଓ କୃଷି ବିଭାଗ ନିକଟରେ ଦାଖଲ କଲେ ସେମାନଙ୍କୁ ସବ୍ସିଡି ବାବଦକୁ କିଲୋ ପ୍ରତି ୧୦ ଟଙ୍କା ମଧ୍ୟ ସେମାନଙ୍କ ବ୍ୟାଙ୍କଖାତାକୁ ପ୍ରେରଣ କରିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।