ଆସିକା ମେକ୍ ମାଇକେଲ ସଂସ୍କୃତ କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଦ୍ୟାର୍ଥୀମାନଙ୍କୁ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପାଠ୍ୟକ୍ରମରେ ସଂସ୍କୃତ ଶିକ୍ଷା ପ୍ରଦାନ ଓ ମେଧାବୀ ତଥା ପ୍ରତିଭାବାନ୍ ବିଦ୍ୟାର୍ଥୀ ସୃଷ୍ଟି କରିବା ଲକ୍ଷ୍ୟରେ ସ୍ଥାପିତ ହୋଇଥିବା ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ସ୍ଥାନୀୟ ସୋନାମିଞ୍ଚିନ୍ ଟାଉନ୍ ହଲ୍ର ଖେଳପଡିଆରେ ଉଦ୍ଘାଟିତ ହୋଇଯାଇଛି । ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିବା ସହ ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ସୁସ୍ଥ, ଶାରୀରିକ ଓ ମାନସିକ ବିକାଶରେ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ଭଲ ଖେଳକୁଦ କରିବା ସହ ନିଜର ପ୍ରତିଭା, ପାରଦର୍ଶିତା ଓ ପାରଙ୍ଗମତାକୁ ଲୋକଲୋଚନକୁ ଆଣି କ୍ରୀଡା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟରେ ଅଧ୍ୟୟନରତ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପାଠ୍ୟକ୍ରମର ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦୌଡ, ଲମ୍ବଡିଆଁ, ଉଚ୍ଚାଡିଆଁ ସମେତ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଆସିକା ଆଥ୍ଲେଟିକ୍ ଆସୋସିଏସନ୍ ଟାଉନ୍ ହଲ୍ର ସଂପାଦକ ଏମ୍.ତାରିଣୀ ସେନାପତି, କ୍ରୀଡାବିତ୍ ଅନିଲ୍ କୁମାର ସ୍ୱାଇଁ, ଶିକ୍ଷାନୁଷ୍ଠାନର ଅଧ୍ୟାପକ ବାବାନାଥ ମିଶ୍ର, ସନାତନ ପଣ୍ଡା, ଶିଶିର କୁମାର ମିଶ୍ର, ମନୋରଂଜନ ସାହୁ, କବିତା କୁମାରୀ ଦାଶ, କର୍ମଚାରୀ ଟୁନା ମହାରଣା ପ୍ରମୁଖ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନାରେ ସହଯୋଗ କରୁଥିବା ବେଳେ ଏହି ପ୍ରତିଯୋଗିତାକୁ ଉପଭୋଗ କରିବା ଲାଗି ଟାଉନ୍ ହଲ୍ ଖେଳପଡିଆରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବର ଉଦ୍ଘାଟନୀ ଦିବସରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନେ ଆସିକା ଏନ୍ଏସି ଅଧୀନସ୍ଥ ୧୩ ନମ୍ବର ୱାର୍ଡର ହାଟପଦା ଛକ ଠାରୁ କିଛି ମିଟର ଦୂରରେ କାଳୀମୁଖୀ ସାହିରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଅଧୀଷ୍ଠାତ୍ରୀ ଦେବୀ ମା ଶ୍ୟାମାକାଳୀଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା ସାରି ଏକ ମଶାଲ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଟାଉନ୍ ହଲ୍ ଖେଳ ପଡିଆରେ ପହଞ୍ôଚବା ପରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ କ୍ରୀଡାଧ୍ୱଜା ଉତ୍ତୋଳନ କରିବା ପରେ ଆନୁଷ୍ଠାନିକ ଭାବେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।


