ଆସିକା ଲୋକସଭା ଆସନ : ଅସମାହିତ ସମସ୍ୟା ହେବ ନିର୍ବାଚନୀ ଆୟୁଧ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଓଡ଼ିଶାରେ ୨୧ ଗୋଟି ଲୋକସଭା ଆସନ ମଧ୍ୟରୁ ଆସିକା ସଂସଦୀୟ କ୍ଷେତ୍ରର ପରିଚିତ ସ୍ୱତନ୍ତ୍ର । ସ୍ୱାଧିନତା ପରଠାରୁ ଅନେକ ସରକାର ଆସିଛନ୍ତି , ତଥାପି ଏହି ସଂସଦୀୟ କ୍ଷେତ୍ରରେ ଅନେକ ଜଟିଳ ସମସ୍ୟା ଏବେ ବି ଅସମାହିତ । ଏହି କ୍ଷେତ୍ର କୃଷିପ୍ରବଣ ଅଂଚଳ । ଶତକଡ଼ା ୫୦ ଭାଗ ଲୋକେ କୃଷି ଉପରେ ନିର୍ଭରଶୀଳ । ୧୯୭୭ ମସିହାରେ ଆସିକା ସଂସଦୀୟ କ୍ଷେତ୍ର ଗଠିତ ହୋଇଥିଲା । ଏହା ପୂର୍ବରୁ ୧୯୫୨ ମସିହାରେ ଆସିକା ଅଂଚଳ ବ୍ରହ୍ମପୁର.ଛତ୍ରପୁର ଓ ଭଂଜନଗର ଲୋକସଭା ଆସନରେ ନାମିତ ଥିଲା । ୨୦୦୯ ମସିହା ସୀମା ନିର୍ଦ୍ଧାରଣ ପରେ ଆସିକା, କବିସୂର୍ଯ୍ୟନଗର, ପୋଲସରା, ହିଂଜିଳି, ସାନଖେମୁଣ୍ଡି, ସୋରଡ଼ା ବିଧାନସଭା କ୍ଷେତ୍ରକୁ ନେଇ ପରିପୃଷ୍ଟ । ଏହି ଆସନରୁ ୨ ଥର, ସ୍ୱାଧିନ, ୬ ଥର କଂଗ୍ରେସ, ଥରେ ସିପିଆଇ, ୩ ଥର ଜନତାଦଳ ଓ ୬ ଥର ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ନିର୍ବାଚିତ ହୋଇଥିଲେ । ତେବେ ଏହି ନିର୍ବାଚନ ମଣ୍ଡଳୀ ଠାରୁ ୧୯୯୬ ମସିହାରେ କଳିଙ୍ଗର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳେ ୩ ଥର ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୟୀ ହୋଇଥିଲେ । ୧୯୫୨ ମସିହାରେ ଉମାଚରଣ ପଟ୍ଟନାୟକ, ୧୯୫୭ ରେ ଦ୍ୱିତୀୟ ଥର ଭାବେ ସ୍ୱାଧିନ ପ୍ରାର୍ଥୀ ଭାବେ ଉମାଚରଣ ପଟ୍ଟନାୟକ, ୧୯୬୨ ରେ କଂଗ୍ରେସ ପ୍ରାର୍ଥୀ ମୋହନ ନାୟକ, ୧୯୬୭ରେ କଂଗ୍ରେସ ପ୍ରାର୍ଥୀ ଅନନ୍ତ ତ୍ରିପାଠି ଶର୍ମା, ୧୯୭୧ ମସିହାରେ ସିପିଆଇ ପ୍ରାର୍ଥୀ ଦ୍ୱିତୀକୃଷ୍ଣ ପଣ୍ଡା, ୧୯୭୭ ମସିହାରେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ରଥ, ୧୯୮୦ ରେ ପୁର୍ନବାର ରାମଚନ୍ଦ୍ର ରତ, ୧୯୮୪ ରେ କଂଗ୍ରେସରୁ ସୋମନାଥ ରଥ, ୧୯୮୯ରେ ଜନତାଦଳରୁ ଅନନ୍ତ ନାରାୟଣ ସିଂହଦେଓ, ୧୯୯୧ ରେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ରଥ, ୧୯୯୬ ରେ ନ୍ତା ଦଳରୁ ବିଜୁ ପଟ୍ଟନାୟକ, ୧୯୯୭ ଉପନିର୍ବାଚନରେ ନବୀନ ପଟ୍ଟନାୟକ, ୧୯୯୮ ଓ ୧୯୯୯ ରେ ନବୀନ ପଟ୍ଟନାୟକ, ୨୦୦୦ରେ ବିଜେଡ଼ିର କୁମୁଦିନି ପଟ୍ଟନାୟକ, ୨୦୦୪ରେ ବିଜେଡ଼ିର ହରିହର ସ୍ୱାଇଁ, ୨୦୦୯ ରେ ବିଜେଡ଼ିର ନିତ୍ୟାନନ୍ଦ ପ୍ରଧାନ, ୨୦୧୪ ରେ ବିଜେଡ଼ିର ଲଡ଼ୁ କିଶୋର ସ୍ୱାଇଁ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡ଼ିରୁ ପ୍ରମିଳା ବିଷେଶୟୀ, ବିଜେପିରୁ ଅନିତା ଶୁଭଦର୍ଶନୀ ଓ ସିପିଆଇ ଓକଂଗ୍ରେସ ମେଂଟ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ଉକ୍ତ ସଂସଦୀୟ କ୍ଷେତ୍ରରେ ରାସ୍ତାଘାଟ ବିକାଶ ଘଟିଥିଲେ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନସାଧାରଣ ଅବହେଳାର ଶିକାର ହେଉଛନ୍ତି । ଅଧିକାଂଶ ଡ଼ାକ୍ତରଖାନାରେ ଡ଼ାକ୍ତର ଅଭାବ ଲାଗି ରହିଛି । ତେବେ ହିଂଜିଳିକାଟୁ ସହରକୁ ପୌରପରିଷଦରେ ପରିଣତ କରିବା, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ପ୍ରତି ନିର୍ବାଚନ ମଣ୍ଡଳୀରେ ଆଦର୍ଶ ବିଦ୍ୟାଳୟ, କଲ୍ୟାଣ ମଣ୍ଡପ, ଜୁଡ଼ିସିଆଲ ନ୍ୟାୟଳୟ ସମେତ ହିଂଜିଳିକାଟୁ କଲେଜକୁ ସ୍ୱଂୟଶାସିତ କଲେଜରେ ପରିଣତ କରିବା ବିକାଶର ଏକ ନମୁନା । ଏହି ୭ ଗୋଟି ନିର୍ବାଚନ ମଣ୍ଡଳୀରେ ଲକ୍ଷାଧିକ ନିର୍ମାଣ ଶ୍ରମିକ ଅଛନ୍ତି । ଏହା ଏକ ଶିଳ୍ପବିହୀନ ସଂସଦୀୟ କ୍ଷେତ୍ର । ଉକ୍ରଟ ବେକାରୀ ସମସ୍ୟାରେ ବେକାର ଯୁବକ, ଯୁବତୀ କାଳାତିପାତ କରୁଛନ୍ତି । ଏବେ ବି ଏହି ସଂସଦୀୟ କ୍ଷେତ୍ରରେ ୨୭ ଭାଗ ମହିଳା ନିରକ୍ଷର ରହିଛନ୍ତି ।
ଅନ୍ୟପକ୍ଷରେ ମିଶନଶକ୍ତି ମାଧ୍ୟମରେ ଲକ୍ଷଲକ୍ଷ ମହିଳା ସାମିଲ ହୋଇଛନ୍ତି । ଦେଶୀ ଓ ବିଦେଶୀ ମଦର ବହୁଳ ପ୍ରସାର ସମାଜିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି । ଦୀର୍ଘଦିନ ହେଲା ଆସିକା ସୁତାକଳ ବନ୍ଦ ରହିଥିବା ବେଳେ ଆସିକା ଚିନିଶିଳ୍ପ ଆର୍ଥିକ ଦୁରାବସ୍ଥା ଦେଇ ଗତିକରୁଛି । ପର୍ଯ୍ୟଟନ କ୍ଷେତ୍ରରେ କିଛି ପୁଂଜି ବିନିଯୋଗ ହୋଇଥିଲେ ମଧ୍ୟ ଆବଶ୍ୟକୀୟ ନିଯୁକ୍ତି ସୃଷ୍ଟି ହୋଇପାରୁନାହିଁ । ଏଠାରେ କୃଷି ଭିତିକ ଶିଳ୍ପ ପ୍ରତିଷ୍ଠା, ଶୀତଳ ଭଣ୍ଡାର, ସରକାରୀ ଇଂଜିନିୟର ମହାବିଦ୍ୟାଳୟ, ମହିଳା ପଲିଟେକନିକ, କୃଷି ଓ ବୌଷୟିକ ବିଶ୍ୱବିଦ୍ୟାଳୟ ସମେତ ବ୍ରହ୍ମପୁର ଭାୟା ସମ୍ବଲପୁର ଭାୟା ଫୁଲବାଣୀ ଓ ଗୋପାଳପୁର – ତାଳଚେର ରେଳପଥ ନିର୍ମାଣ ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଥିବା ଚିଲିକାର ସୁଦୀର୍ଘ ବେଳାଭୂମିର ଉପଯୋଗର ଆବଶକ୍ତା ରହିଛି । ଏହି ସଂସଦୀୟ କ୍ଷେତ୍ରର ବିକାଶର ରୂପରେଖ ସେଭଳି କିଛି ବଦଳି ପାରିନି । ଆସିକା ସଂସଦୀୟ କ୍ଷେତ୍ରରେ ୫୦ ଭାଗ ଗ୍ରାମକୁ ଏବେ ବି ବିଶୁଦ୍ଧ ପାନୀୟ ଜଳ ମିଳି ପାରିନି । ଦୀର୍ଘଦିନ ହେଲା ଉକ୍ତ ସଂସଦୀୟ କ୍ଷେତ୍ରରେ ପୂର୍ତ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ ବିଭାଗର ଡ଼ିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ସହ ଏକ ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲିବା ପାଇଁ ଦାବୀ ହୋଇ ଆସୁଛି । ଏହା ସତ୍ୱେ ଏହି ଆସନ ବିଜେଡ଼ି ଗୋଲାପ ଶେଯ ପାଲଟିଛି । ବିଜେଡ଼ି ଚଳିତ ଥର ମିଶନ ଶକ୍ତି କୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ୭୦ ବର୍ଷିୟା ମହିଳା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିଛି ।


