ଆସିକା ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ପ୍ରଥମ ଚିନିକୁ ଠାକୁରଙ୍କୁ ସମର୍ପଣ

ଆସିକା, (ୱାଇଏନ୍‍ଏସ୍‍):ପୂର୍ବ ପ୍ରଚଳିତ ପ୍ରଥା ଅନୁଯାୟୀ ଚଳିତ ଆଖୁପେଡା ଋତୁରେ ଆସିକା ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ପ୍ରଥମ ଚିନିକୁ ଓଡଗାଁର ପ୍ରସିଦ୍ଧ ମନ୍ଦିର ରଘୁନାଥ ଜିଉ, ଚିନିଶିଳ୍ପ ନୁଆଗାଁର ଜଗନ୍ନାଥ ମନ୍ଦିର, ପୁରୁଷୋତ୍ତମପୁର ନିକଟସ୍ଥ ମା ତାରାତାରିିଣୀଙ୍କ ମନ୍ଦିର, ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମନ୍ଦିରକୁ ସମର୍ପଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ପରାମର୍ଶକ୍ରମେ ପରିଚାଳନା ପରିଷଦର ସଦସ୍ୟ ବସନ୍ତ କୁମାର ଦଳେଇ, କର୍ମଚାରୀ ସଂଘର ସଂପାଦକ ଶିବରାମ ରାଉଳ, କର୍ମଚାରୀ ସଂଘର କାର୍ଯ୍ୟକାରୀ କମିଟି ସଦସ୍ୟ ଏମ୍‍.ରାମବାବୁ ଦୋରା, ଚିନିଶିଳ୍ପର କର୍ମଚାରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସୁମନ୍ତ କୁମାର ପଟ୍ଟନାୟକ, ରାଜେଶ୍‍ କୁମାର ନାହାକଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ବିଭିନ୍ନ ମନ୍ଦିରକୁ ଗସ୍ତ କରି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ଚିନିଶିଳ୍ପର ଉତ୍ତରୋତ୍ତର ଉନ୍ନତି କାମନା କରିବା ସାଙ୍ଗକୁ ଚଳିତବର୍ଷର ଉତ୍ପାଦିତ ପ୍ରଥମ ଚିନିକୁ ସମର୍ପଣ କରିଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟରରେ ଋଣ ନଆଣି ଆସିକା ସମବାୟ ଚିନିଶିଳ୍ପ ତାର ନିଜସ୍ୱ ପାଣ୍ଠିରୁ ଚଳିତ ଆଖୁପେଡା ଋତୁରେ ସମବାୟ ଚିନିଶିଳ୍ପକୁ ଆଖୁ ଯୋଗାଇଥିବା ୨୯୦୦ଜଣ ଆଖୁଚାଷୀଙ୍କୁ ୧୬ହଜାର ୪୬୯.୫୭ ମେଟ୍ରିକଟନ୍‍ ଆଖୁ ମୂଲ୍ୟ ବାବଦକୁ ଗତ ଜାନୁଆରୀ ୧୭ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଆଖୁର ପ୍ରାପ୍ୟ ବାବଦକୁ ୬କୋଟି ୩ଲକ୍ଷ ୬୦ହଜାର ଟଙ୍କା ପ୍ରଦାନ କରିସାରିଥିବା ଯୋଗୁଁ ଆଖୁଚାଷୀଙ୍କ ମହଲରେ ଆନନ୍ଦର ଲହରୀ ଖେଳି ଯାଇଥିଲା ଜଣାପଡିଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଆର୍ଜନ କରି ଆସିଥିବା ଆସିକା ସମବାୟ ଚିନିଶିଳ୍ପ ବିଗତ କିଛିବର୍ଷ ତଳେ ପ୍ରତ୍ୟେକ ବର୍ଷ ଆଖୁପେଡା ଋତୁରେ ଆଖୁଚାଷୀଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟର୍ ଉପରେ ନିର୍ଭର କରୁଥିଲା । ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ଚିନିକୁ ବନ୍ଧକ ରଖି ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟର୍‌ରେ ସମବାୟ ଚିନିଶିଳ୍ପ ବ୍ୟାଙ୍କରୁ କୃଷିଭିତ୍ତିକ ବ୍ୟବସାୟିକ ଋଣ ଆଣି ଆଖୁଚାଷୀ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରୁଥିଲା । ଆସିକା ସମବାୟ ଚିନିଶିଳ୍ପର ୬୨ତମ ଆଖୁପେଡା ଋତୁ ଗତ ଜାନୁଆରୀ ମାସ ୧୭ତାରିଖରୁ ଆରମ୍ଭ ହୋଇଥିଲା ବେଳେ ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଳକ ସମେତ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓ ଚିଲିକା, ନୟାଗଡ ଜିଲ୍ଲାର ନୟାଗଡ, ଓଡଗାଁ, ରଣପୁର, ନୁଆଗାଁ ବ୍ଲକ ପରିସରଭୁକ୍ତ ୧୯୯୨ଏକର ପରିମିତ ଜମିରେ ଆଖୁଚାଷ ହୋଇଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ଦିଗ୍‍ଦର୍ଶନ ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ସମବାୟ ଚିନିଶିଳ୍ପର ଭାରପ୍ରାପ୍ତ ସଂପାଦକ ଚିତ୍ତଚିନ୍ମୟ ରଂଜନ ନାୟକ, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀଙ୍କ ସୁଚିନ୍ତିତ ଯୋଜନା ଓ ଆଖୁଚାଷୀ କଲ୍ୟାଣକାରୀ ପଦକ୍ଷେପ ଯୋଗୁଁ ଚଳିତ ବର୍ଷର ଆଖୁପେଡା ଋତୁ ଆରମ୍ଭର କିଛି ଦିନ ମଧ୍ୟରେ ଚାଷୀଙ୍କୁ ସେମାନଙ୍କ ପ୍ରଥମ ୧୫ ଦିନର ଆଖୁଯୋଗାଣର ପ୍ରାପ୍ୟ ପ୍ରଦାନ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ଆସିକା ସମବାୟ ଚିନିଶିଳ୍ପର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସହ ଆଖୁଚାଷ ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ଆଖୁଚାଷୀମାନେ ଆଖୁଚାଷ କରିବା ଲାଗି ଯେପରି ଆଗ୍ରହ ପ୍ରକାଶ କରିପାରିବେ ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଚଳିତ ବର୍ଷ ଆଖୁପେଡା ଋତୁ ଆରମ୍ଭରୁ ଆଖୁ ଯୋଗାଣ ଓ ଆଖୁପେଡା କାର୍ଯ୍ୟ ସୁରୁଖୁରୁରେ ଚାଲିଥିିଲା ବେଳେ ଦୈନିକ ପ୍ରାୟ ହାରାହାରି ୧୨ ଶହ ଟନ୍‍ ଆଖୁପେଡା ହେଉଥିବା ବେଳେ ରବିବାର ସକାଳ ୬ଟା ସୁଦ୍ଧା୨୫୭୫୦ ମେଟ୍ରିକ୍‍ ଟନ୍‍ ଆଖୁ ପେଡା ସରିଥିବା ବେଳେ ୨୮୨୪୦ ବ୍ୟାଗ୍‍ (ପକେଟ୍‍) ଚିନି ଉତ୍ପାଦନ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଆଖୁପେଡା ଋତୁ ଗତ ଜାନୁୟାରୀ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଖୁଚାଷୀଙ୍କ ସ୍ୱାର୍ଥକୁ ସମବାୟ ଚିନିଶିଳ୍ପ ଅଧିକ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଇଛି । ଆଖୁଚାଷର ବହୁଳ ପ୍ରସାର ଓ ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ଚିନିଶିଳ୍ପ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିସାରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ