ଆସିକା ସହରରେ କାମ କରୁନି ସରକାରଙ୍କ ପଲିଥିନ୍‍ ନିଷେଧ ଆଇନ

ଆସିକା, (ୱାଇଏନ୍‍ଏସ୍‍):ପରିବେଶର ସୁରକ୍ଷା ଲାଗି ସରକାର ପଲିଥିନ୍‍କୁ ସଂପୁର୍ଣ୍ଣ ନିଷେଧ କରିବା ସତ୍ତ୍ୱେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପଲିଥିନ୍‍ର ବହୁଳ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି । ପଲିଥିନ୍‍ର ବହୁଳ ବ୍ୟବହାର ଯୋଗୁଁ ପରିବେଶ ଦୂଷିତ ହେବା ସାଙ୍ଗକୁ ମାଟିର ଉର୍ବରତା ମଧ୍ୟ ନଷ୍ଟ ହେବାରେ ଲାଗିଛି । ଏହା ସହ ସହରର ଅଧିକାଂଶ ନାଳନର୍ଦ୍ଦମା ପୋତି ହେବାର ମୁଖ୍ୟ କାରଣ ସାଜିଛି ଏହି ପଲିଥିନ୍‍ । ସହରର ସାହିବସ୍ତିରେ ଖାଦ୍ୟ ଅନ୍ୱେଷଣରେ ଗଳିକନ୍ଦିରେ ଘୁରି ବୁଲୁଥିବା ପଶୁମାନେ ରାସ୍ତାରେ ପଡିଥିବା ଖାଦ୍ୟସାମଗ୍ରୀରେ ଲାଗିଥିବା ପଲିଥିନ୍‍ ଖାଇ ଅସୁସ୍ଥ ହେବା ସାଙ୍ଗକୁ ନାନା ପ୍ରକାର ପେଟ ରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ଆଲୋଚିତ ହେଉଛି । ଆସିକା ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳରେ ପଲିଥିନ୍‍ର ବହୁଳ ବ୍ୟବହାର ଦିନକୁ ଦିନ ଏତେମାତ୍ରାରେ ବଢିଚାଲିଛି ଯେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ଏହା ଏକ ଅଂଶବିଶେଷ ହୋଇଯାଇଛି । ଅତୀତରେ ଆସିକା ଏନ୍‍ଏସି ପକ୍ଷରୁ ବେଆଇନ ପଲିଥିନ୍‍ର ବ୍ୟବହାର ଓ କାରବାରକୁ ରୋକିବା ପାଇଁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯିବା ସାଙ୍ଗକୁ ପଲିଥିନ୍‍ ଜବତ ସାଙ୍ଗକୁ ପଲିଥିନ୍‍ ବ୍ୟବହାର ନକରିବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଥିଲା । ତେବେ ବିଗତ କିଛି ଦିନ ହେଲା ତାହା ବନ୍ଦ ହୋଇପଡିଥିବା ଯୋଗୁଁ ଆସିକା ସହରରେ ପଲିଥିନ୍‍ର ବହୁଳ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ସରକାର ପଲିଥିନ୍‍ର ବ୍ୟବହାର ଓ ବିକ୍ରୀ ଉପରେ ନିଷେଧାଦେଶ ଜାରି କରିଥିଲେ ବି ତାହା ଆସିକା ଏନ୍‍ଏସି ଅଞ୍ଚଳରେ ପ୍ରହଶନରେ ପରିଣତ ହେବା ସହ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀଙ୍କ ଆନ୍ତରିକତା ଓ ଇଛାଶକ୍ତିର ଅଭାବ ସାଙ୍ଗକୁ ଉଦାସୀନ ମନୋବୃତ୍ତି ସାଙ୍ଗକୁ ବାଟବଣା ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି । ଆସିକା ଏନ୍‍ଏସି ଅଞ୍ଚଳରେ ପଲିଥିନ୍‍ର ବହୁଳ ବ୍ୟବହାରକୁ ରୋକିବା ଦିଗରେ ଏନ୍‍ଏସି ପକ୍ଷରୁ ଗତ କିଛି ଦିନ ହେଲା ସେଭଳି କୌଣସି ପଦକ୍ଷେପ ନିଆଯାଇନଥିବା ଯୋଗୁଁ ପଲିଥିନ୍‍ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି । ସକାଳୁ ସକାଳୁ ସହରର ମୁଖ୍ୟ ରାସ୍ତାରେ ବୁଲି ଦେଖିଲେ ଏହି ନିଷେଧ ପଲିଥିନ୍‍ର କିପରି ବହୁଳ ବ୍ୟବହାର ଚାଲିଛି ତାହା ଜଳ ଜଳ ଦେଖାଯିବ । ଆସିକା ଅଞ୍ଚଳର ବହୁ ବ୍ୟବସାୟ କେନ୍ଦ୍ରରେ ଖୋଲାଖୋଲି ଭାବେ ପଲିଥିନ୍‍ର ବ୍ୟବହାର ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଏହାକୁ ରୋକିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ନିରବତା ଅବଲମ୍ବନ କରିବା ଘଟଣାକୁ ନେଇ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଏନ୍‍ଏସି ଅଂଚଳରେ ପଲିଥିନ୍‍ର ବେଆଇନ ବ୍ୟବହାର ଓ କାରବାରକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ