ଆସିକା ସହରରେ ନିଆରା ବ୍ୟବସ୍ଥା ଡିଜିଟାଲ୍ ଯୁଗରେ ବି ଜାରି ରହିଛି ଧେଣ୍ଡୁରାର ପ୍ରଭାବ
ଆସିକା, (ୱାଇଏନ୍ଏସ୍):ସାଂପ୍ରତିକ ପରିସ୍ଥିତିରେ ଡିଜିଟାଲ୍ ଯୁଗରେ କୌଣସି ଖବର ପାଇବାକୁ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କୁ ଅପେକ୍ଷା କରିବାକୁ ପଡୁନାହିଁ । ସଙ୍ଗେ ସଙ୍ଗେ ସାମାଜିକ ଗଣମାଧ୍ୟମରେ ଯେକୌଣସି ଖବର ଆଖିପିଛୁଳାକେ ନିମିଷକ ମଧ୍ୟରେ ବ୍ୟାପିଯାଉଛି । ଅତୀତରେ ପତ୍ର ଲେଖି ଡାକବିଭାଗ ଜରିଆରେ ଚିଠି ପ୍ରେରଣ କରାଯାଉଥିବା ଓ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଧେଣ୍ଡୁରା ଦେଇ ଜଣେ ବ୍ୟକ୍ତିଙ୍କ ଦ୍ୱାରା ସୂଚନା ମଧ୍ୟ ପ୍ରଦାନ କରାଯାଉଥିଲା । ଏହି ବ୍ୟବସ୍ଥା ଦୀର୍ଘ ବର୍ଷ ଧରି ଗ୍ରାମାଞ୍ଚଳ ଓ ସହରାଂଚଳରେ ଜାରି ରହିଥିଲା । ବର୍ତ୍ତମାନ ସୋସିଆଲ୍ ମିଡିଆର ପ୍ରଭାବରେ ଫେସ୍ବୁକ୍, ୱାଟ୍ସଆପ୍, ଟୁଇଟର୍, ଇଷ୍ଟାଗ୍ରାମ୍, ୟୁଟ୍ୟୁବ୍ ବ୍ୟବହାର କରି ଯେକୌଣସି ମୁହୂର୍ତ୍ତରେ ନିମିଷକ ମଧ୍ୟରେ ସ୍ୱଳ୍ପ ସମୟରେ ଚାରିଆଡେ ଖବର ପହଂଚି ପାଉଛି । ଯାହାରି ଫଳରେ ସାଧାରଣ ଜନତା ଉପକୃତ ହୋଇପାରୁଛନ୍ତି । ହେଲେ ଆଜି ବି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପୁରୁଣା ପ୍ରଚଳିତ ପ୍ରଥା ଅନୁଯାୟୀ ଆବଶ୍ୟକତା ସମୟରେ ନିଆରା ବ୍ୟବସ୍ଥା ସ୍ୱରୂପ ଧେଣ୍ଡୁରା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ବିଷୟରେ ସୂଚନା ଦିଆଯାଉଥିବା ଦେଖିବାକୁ ମିଳିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କୌଣସି ମନ୍ଦିରରେ ହେଉଥିବା ବିଭିନ୍ନ କାର୍ଯ୍ୟ ହେଉ କିମ୍ବା ମହାପ୍ରଭୂଙ୍କ ନଗର ପରିକ୍ରମା ହେଉ ଆଜିବି ଧେଣ୍ଡୁରା ମାଧ୍ୟମରେ ପ୍ରଚାର ଜାରି ରହିଥିବା ଦେଖିବାକୁ ମିଳୁଛି । ଆସିକା ଏନ୍ଏସି ଅଧୀନସ୍ଥ ୧୫ ନମ୍ବର ୱାର୍ଡର ଦେବରାଜ ଘଡେଇ ନାମକ ଜଣେ ବ୍ୟକ୍ତି ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିଲେ ବି ନିଜର କୌଳିକ ବୃତ୍ତିକୁ ଏହି ଧେଣ୍ଡୁରା ବଜାଇ ବଜାୟ ରଖିଥିବା ଜଣାପଡିଛି । ସେ ଧେଣ୍ଡୁରା ବଜାଇ ସହରର ବିଭିନ୍ନ ସାହିବସ୍ତି ବୁଲି ଆବଶ୍ୟକତା ସମୟରେ ଅଞ୍ଚଳବାସୀଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରୁଥିବା ବେଳେ ଘରୁ ଲୋକମାନେ ବାହାରକୁ ଆସି ସେହି ସୂଚନାକୁ ଧ୍ୟାନ ଦେଇ ଶୁଣୁଥିବା ଜଣାପଡିଛି । ଡିିଜିଟାଲ୍ ଯୁଗରେ ବି ଆସିକା ସହରରେ ଧେଣ୍ଡୁରାର ପ୍ରଭାବ ଅତୁଟ ରହିଥିଲା ବେଳେ ଏହି ଧେଣ୍ଡୁରା ମାଧ୍ୟମରେ ବହୁ ବ୍ୟକ୍ତି ନାନା ସୂଚନା ପାଇ ବିଶେଷ ଉପକୃତ ହେଉଥିବା ଲକ୍ଷ୍ୟ କରାଯାଇଛି ।


