ଆସିକା ସହରାଞ୍ଚଳରେ ମଶାଙ୍କ ଉପଦ୍ରବ ବୃଦ୍ଧି
ଆସିକା, (ୱାଇଏନ୍ଏସ୍) ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରଭୁକ୍ତ କେତେକ ସାହିବସ୍ତିରେ ବିଗତ କିଛି ମାସ ହେଲା ମଶାଙ୍କ ଉପଦ୍ରବ ଦିନକୁ ଦିନ ଆଶତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସହରର ବହୁ ଜନସାଧାରଣଙ୍କୁ ମଶା କଲବଲ କରିସାରିଲେଣି । ମଶାବଂଶକୁ ଦମନ ପାଇଁ ଆସିକା ଏନ୍ଏସି ପକ୍ଷରୁ ସମସ୍ତ ୱାର୍ଡରେ ମଶାଧୂଆଁ ସ୍ପ୍ରେ ଓ ନାଳନର୍ଦ୍ଦମାରେ ମଶାତେଲ ଛିଞ୍ଚନ ପ୍ରକ୍ରିୟା ଗତ କିଛି ଦିନ ହେଲା ପ୍ରାୟତଃ ବନ୍ଦ ହୋଇଯାଇଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ସଂଜ ନଇଁଲେ ଘରେ ହେଉ କି ବାହାରେ, କେଉଁଠିି ବି ମଶାଙ୍କ ଦାଉରୁ ନିସ୍ତାର ମିଳୁନାହିଁ । ଯାହାରି ଫଳରେ ସହରର କେତେକ ୱାର୍ଡର ଜନତାଙ୍କୁ ମ୍ୟାଲେରିଆ ଓ ଫାଇଲେରିଆ ଭଳି ରୋଗର ଭୟ ସୃଷ୍ଟି ହେଲାଣି । ଆସିକା ସହରବାସୀଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ମଶାବଂଶ ନିପାତ କରିବା ଅଭିଯାନ ଯଦି ସମସ୍ତ ୱାର୍ଡରେ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ କରାନଯାଏ ତେବେ ଆଗାମୀ କିଛି ଦିନ ମଧ୍ୟରେ ଆସିକା ସହରାଞ୍ଚଳ ମ୍ୟାଲେରିଆ ଓ ଫାଇଲେରିଆ ପ୍ରବଣ ସହରରେ ପରିଗଣିତ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ନାଳନର୍ଦ୍ଦମା ଓ ସନ୍ତସନ୍ତିଆ ଜାଗା ମଶାଙ୍କ ଜନ୍ମସ୍ଥାନ ପାଲଟିଛି । ନାମିଦାମୀ ବ୍ରାଣ୍ଡର ମଶା ଅଗରବତୀ ବି କାମ କରୁନି । ମଶା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ସନ୍ଧ୍ୟା ହେଉ ହେଉ ଘରର ଝରକା କବାଟ ବନ୍ଦ କରିରଖୁଥିବା ଦେଖିବାକୁ ମିଳୁଛି । ଆସିକା ଏନ୍ଏସି ପରିସରଭୁକ୍ତ ଅଞ୍ଚଳର ସାହିବସ୍ତିରେ ମଶାତେଲ ସିଞ୍ଚନ ପାଇଁ ଉକ୍ତ କାରବାର ସହ କେବେବି ସଂପୃକ୍ତ ନଥିବା ଆସିକା ସହରର ଗୋଟିଏ ଷ୍ଟେସନାରୀ ଦୋକାନକୁ ଜନୈକ ଆତ୍ମଘୋଷିତ ରାଜନେତାଙ୍କ ମଧ୍ୟସ୍ଥତାରେ ଅତି ଚଞ୍ଚକତାର ସହ ଦାୟିତ୍ୱ ଦେବା ପାଇଁ ମସୁଧା ଚାଲିଛି ବୋଲି ଗଳିକନ୍ଦିରେ ଚର୍ଚ୍ଚା ଜୋର୍ ଧରିଥିବା ଲକ୍ଷ୍ୟ କରାଯାଇଛି । ସହରର ଅନେକ ପରିତ୍ୟକ୍ତ ଜଳାଶ୍ରୟ, ଅସ୍ୱଚ୍ଛ ପରିବେଶ ମଶାଙ୍କ ବଂଶବୃଦ୍ଧି ପାଇଁ ପ୍ରକୃଷ୍ଟ ସ୍ଥାନ ପାଲଟିଛି । ଏନ୍ଏସି ପକ୍ଷରୁ ମଶାବଂଶ ନିପାତ ପାଇଁ ପ୍ରତିଶେଧମୂଳକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନଥିବାରୁ ମଶାଙ୍କ ବଂଶ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନ୍ଏସି ଅଧୀନସ୍ଥ ୧୫ ନମ୍ବର ୱାର୍ଡର ଜୋକବନ୍ଧ ଭଳି କେତେକ ପରିତ୍ୟକ୍ତ ଜଳଶ୍ରୟ ଗୁଡିକରେ ମଶାତେଲ ସିଞ୍ଚନ ସହ ମଶା ଲାଭ୍ରା ଖାଉଥିବା ଗମ୍ବୁସିଆ ମାଛ ଛାଡିବା ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି । ଆସିକା ଏନ୍ଏସି ପରିସରଭୁକ୍ତ କେତେକ ସାହିବସ୍ତିର ଜନସାଧାରଣଙ୍କ ଶରୀରରୁ ରକ୍ତ ଶୋଷିବାରେ ପାରଙ୍ଗମ ମଶାଙ୍କ ଦୌରାତ୍ମ୍ୟରେ ବହୁ ବ୍ୟକ୍ତି କଲବଲ ଓ ଅସ୍ତବ୍ୟସ୍ତ ହୋଇଗଲେଣି । ମଶାବଂଶ ନିପାତ ପାଇଁ ଏନ୍ଏସି ପକ୍ଷରୁ ଫଗିଂ ମେସିନ୍ ଜରିଆରେ ମଶାଧୁଆଁ ଛଡାଯିବା ସାଙ୍ଗକୁ ନାଳନର୍ଦ୍ଦମା ଗୁଡିକରେ ମଶାତେଲ ମଧ୍ୟ ସ୍ପ୍ରେ କରାଯାଉଥିଲେ ମଧ୍ୟ ନାନା କାରଣରୁ ମଶାବଂଶ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଏନ୍ଏସି ପରିସରଭୁକ୍ତ ଅଞ୍ଚଳରେ ମଶାବଂଶକୁ ଦମନ କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।