ଆସିଲା ‘ପୃଥ୍ୱୀରାଜ’ର ଟିଜର
ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ସୋମବାର ନିଜର ୫୨ ତମ ଜନ୍ମଦିନ ପାଳନ କରିସାରିଛନ୍ତି । ଏହି ଅବସରରେ ପ୍ରଶଂସକଙ୍କ ପାଇଁ ଉପହାର ସ୍ୱରୂପ ସେ ତାଙ୍କ ଆଗାମୀ ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର ଭିଡିଓ ରିଲିଜ୍ କରିଛନ୍ତି । ଭିଡିଓ ଶେୟାର କରି ଅକ୍ଷୟ ଲେଖିଛନ୍ତି, ମୋ ଜନ୍ମଦିନ ଅବସରରେ ମୋର ପ୍ରଥମ ଐତିହାସିକ ଫିଲ୍ମ ବିଷୟରେ ସୂଚନା ଦେଇ ଖୁବ୍ ଖୁସି ଅନୁଭବ କରୁଛି । ମୋର ସୌଭାଗ୍ୟ ଯେ ମୋତେ ଏଥିରେ ନାୟକ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଛି । ସେ ପୁନଶ୍ଚ ଲେଖିଛନ୍ତି, ଏହା ମୋର ସବୁଠାରୁ ବଡ ଫିଲ୍ମ ମଧ୍ୟରୁ ଗୋଟିଏ । ୟଶରାଜ ଫିଲ୍ମସର ପ୍ରଯୋଜନା ଓ ଡ. ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମାଣ କରାଯାଉଛି । ‘ପୃଥ୍ୱୀରାଜ’ ଆସନ୍ତାବର୍ଷ ଦୀପାବଳି ଅବସରରେ ରିଲିଜ୍ କରିବ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି । ଟିଜର ଭିଡିଓରେ ଅକ୍ଷୟଙ୍କ ଚେହେରା କିମ୍ବା ପୃଥ୍ୱୀରାଜ୍ଙ୍କ ଲୁକ୍ ଦେଖିବାକୁ ମିଳିନାହିଁ । ଭିଡିଓରେ ଦମଦାର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍, ଫିଲ୍ମର ଲୋଗୋ ଓ ଯୁଦ୍ଧ ଭୂମିରେ ପୃଥ୍ୱୀରାଜ ଚୌହ୍ୱାନଙ୍କ ସହ ଠିଆ ହୋଇଥିବା ହଜାର ହଜାର ସୈନ୍ୟମାନଙ୍କୁ ଦେଖିବାକୁ ମିଳିଛି । ଏହି ଟିଜର ଭିଡିଓ ସେୟାର ହେବାର କିଛି ମିନିଟ୍ ମଧ୍ୟରେ ହଜାର ହଜାର ଲାଇକ୍ ଓ ରିଟ୍ୱିଟ୍ ମିଳିଛି ।