ଆସୁଛନ୍ତି ରାଷ୍ଟ୍ରପତି
ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୭ ଓ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା ନେଇ ଆଲୋଚନା କରାଯାଇଛି । ଏହି ବୈଠକରେ ଆଇଜି ଅପରେସନ, ଏଡିଜି କୋଷ୍ଟାଲ ସିକ୍ୟୁରିଟି, ଗୁଇନ୍ଦା ବିଭାଗ ଆଇଜି, ଗଞ୍ଜାମ ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ସେପ୍ଟେମ୍ବର ୨୭ ସନ୍ଧ୍ୟା ୬ଟା ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଞ୍ଚିବେ । ଏହା ପରେ ସେ ସିଧାସଳଖ ରାଜଭବନ ଅଭିମୁଖେ ଯିବେ । ସେଠାରେ ରାତ୍ରିଯାପନ କରିବେ । ଏହା ପରେ ୨୮ ତାରିଖ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଗୋପାଳପୁର ଆର୍ମି ଅଫିସ୍ ଯିବେ । ସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେହିଦିନ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।