ଆସ ବୁଲି ଯିବା ମାଁ ବାଳକୁମାରୀ
ବ୍ରହ୍ମପୁର,(ମନୋଜ କୁମାର ସାହୁ ) : ପାହାଡ ଗଛଲତା ଭରା ପ୍ରାକୃ୍ତିକ ସୈାନ୍ଦର୍ଯ୍ୟର ଘେରରେ ପାହାଡ ଶିର୍ଷରେ ପୂଜା ପାଉଛନ୍ତି ମାଁ ବାଳକୁମାରୀ । ଏହି ପୀଠ ଗଂଜାମ ଜିଲ୍ଲା ବ୍ରହ୍ମପୁର ସହର ଠାରୁ ମାତ୍ର ୩୧ କିଲୋମିଟର ଦୂର ଟାମଣା ଘାଟି ଦେଇ ଯିବାକୁ ପଡିଥାଏ । ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ମାଁଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ବିଭିନ୍ନ ସ୍ଥାନରୁ ବସ୍ ଓ କାର ଯୋଗେ ପିକନିକ କରିବାକୁ ଆସିଥାନ୍ତି । ପ୍ରତିମାସର ସଂକ୍ରାନ୍ତି, ରବିବାର ଓ ନବରାତ୍ରରେ ପ୍ରବଳ ଗହଳି ଚହଳି ଦେଖିବାକୁ ମିଳିଥାଏ । ଭକ୍ତ ମାନଙ୍କ ଗମନାଗମନ ସୁବିଧା ନିମନ୍ତେ ପିଚୁ ସଡକ ମାଁ ଙ୍କ ପୀଠ ପର୍ଯ୍ୟନ୍ତ ସଂଯୋଗ ହୋଇଛି ।ଏଥିସହ ଶ୍ରଦ୍ଧାଳୁଙ୍କ ମନକୁ ପ୍ରାକୃତିକ ପରିବେଶ ଆକୃଷ୍ଟ କରିଥିବା ବେଳେ ଅଧିକ ଆକୃଷ୍ଟ କରିବା ନିମନ୍ତେ ପାହାଡର ପାଦଦେଶରୁ ଆରମ୍ଭ କରି ମାଁ ଙ୍କ ପୀଠ ପର୍ଯ୍ୟନ୍ତ ପାଚେରୀ ରେ କାନ୍ଥ ଆଦି ନାନା ରଙ୍ଗ ତୁଳିରେ ବିଭିନ୍ନ ଦେବାଦେବୀ ଠାରୁ ଆରମ୍ଭ କରି ଭାରତୀୟ ସଂସ୍କୃତିର ନାନାପଟ୍ଟ ଚିତ୍ର ବିଭିନ୍ନ ରଙ୍ଗ ତୁଳି ମାଧ୍ୟମରେ ଚିତ୍ରିତ କରାଯାଇଛି ।ଯାହା ଶ୍ରଦ୍ଧାଳୁଙ୍କ ମନକୁ ବେଶ୍ ଆକୃଷ୍ଟ କରିପାରିଛି ।ଏଥିସହ ମାନସିକ ଧାରୀ ମାନେ ନିଜର ମାନସିକ ପୁରଣ ନିମନ୍ତେ ମା ଙ୍କ ପୀଠକୁ ଲାଗିରହିଥିବା ବଟବୃକ୍ଷ୍ୟରେ ଡୋରି ବାନ୍ଧି ଥାନ୍ତି । ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ମାଁଙ୍କୁ ଶ୍ରଦ୍ଧାର ସହ ଡାକିଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣହୁଏ ।ଅନ୍ୟ ପଟେ ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବା ସ୍ଥାନୀୟ ଅଂଚଳବାସୀ ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।