ଆହତ ବୃଷଭକୁ ଚିକିତ୍ସା କରି ଅଟୋରେ ନେଲେ ସେବାକାରୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଛକ ଜାତୀୟ ରାଜପଥ ଉପରେ ଏକ ଷଣ୍ଢକୁ କୌଣସି ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ତାର ପଛ ଗୋଡ ଦୁଇଟିର ଖୁରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଷଣ୍ଢଟି ରାସ୍ତା ଉପରେ ଛଟପଟ ହେଉଥିଲା। ଏହି ସମୟରେ ରାଜପଥ ଉପରେ ଯାଉଥିବା ରାଜେନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ପୁର୍ଣ୍ଣଚନ୍ଦ୍ର ମାଝୀ, ନିକଟ ବାଙ୍କମୁହାଁ ଗ୍ରାମର ଗୋ-ମିତ୍ର ଅତିଶ ରାୟ, କ୍ଷୀରୋଦ ରାଉତ, ସୁରେଶ ସାହୁ ବୃଷଭଟିର ଏଭଳି ଅବସ୍ଥା ଦେଖି ଅଟକିଯାଇଥିଲେ। ସେମାନେ ବୃଷଭକୁ ରାସ୍ତା ପାର୍ଶ୍ୱକୁ ଆଣିଥିବା ବେଳେ ଘଟଣାସ୍ଥଳରେ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଲଲାଟ ପାଢ଼ୀ, କମଳାକାନ୍ତ ପରିଡା ପହଞ୍ଚି ଥିଲେ। ଷଣ୍ଢର ସଙ୍କଟାପନ୍ନ ଅବସ୍ଥା ଦେଖି ସାମ୍ବାଦିକ ଶ୍ରୀ ଲେଙ୍କା ପଶୁ ସଂପଦ ବିଭାଗର ଆମୁଲାନ୍ସ ସେବା ୧୯୬୨କୁ କଲ କରିଥିଲେ ସୁଦ୍ଧା ତତ୍କାଳ ସେବା ପାଇଁ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନଥିଲା। ଏପରିକି ସ୍ଥାନୀୟ ପଶୁସମ୍ପଦ ବିଭାଗ କାର୍ଯ୍ୟାଳୟ ଠାରେ ଥିବା ଆମ୍ବୁଲାନ୍ସଟି ମଧ୍ୟ ଘଟଣା ସ୍ଥଳକୁ ଆସିନଥିଲା। ଏହାରି ଭିତରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରୁ ଔଷଧ ଅଣାଯାଇ ସରପଞ୍ଚ, ଗୋ-ମିତ୍ର, ମେଡିକାଲ କର୍ମଚାରୀ ଓ ଅନ୍ୟମାନେ ମିଶି ଷଣ୍ଢଟିର ଚିକିତ୍ସା କରିଥିଲେ। ପରେ ଏକ ଅଟୋ ଯୋଗେ ବୃଷଭଟିକୁ ପଶୁ ସମ୍ପଦ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଆହତ ଗୋରୁଗାଈଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ନଥିବା କହିଥିଲେ। ସେବାକାରୀ ମାନେ କୌଣସି ଉପାୟ ନପାଇ ପାଳଦା ବାଙ୍କ ଓଭର ବ୍ରିଜ ତଳେ ଆହତ ଷଣ୍ଢ ଟିକୁ ଛାଡିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ସରକାର ପଶୁ ସଂପଦର ବିକାଶ ଓ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରୁଥିବା ବେଳେ ପ୍ରକୃତପକ୍ଷେ ଏହା ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ଆଜିର କଥାରୁ ସ୍ପଷ୍ଟ ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ