ଆହାର ବେଳେ ଜୱାଦ ପାହାର : ମଞ୍ଚାରେ ଶୁଖୁଛି ପାଚିଲା ଧାନ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବର୍ଷକ ବାର ମାସର ଆହରକୁ ସାଇତି ରଖିବା ପାଇଁ ଚାଷୀ ପ୍ରସ୍ତୁତ ହେଉଥିବା ବେଳେ ଜୱାଦ ପାହାର ସେମାନଙ୍କ ସ୍ଵପ୍ନକୁ ମାଟିରେ ମିଶାଇ ଦେଇଛି । ସୂଚନା ଅନୁସାରେ ଚଳିତ ମାସ ୪ ଓ ୫ ତାରିଖ ଦୁଇ ଦିନ ଧରି ଭଣ୍ଡାରିପୋଖରୀ ବ୍ଳକ ଅଂଚଳରେ ଜୱାଦ ଜନିତ ବର୍ଷା ବୃଷ୍ଟି ହୋଇଥିଲା । ଫଳରେ ଖରିଫ ଧାନ ଚାଷ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ବ୍ଲକର ୨୩ଗୋଟି ପଞ୍ଚାୟତ ଅଧିନ ପ୍ରାୟ ୧୬ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ଧାନ ଚାଷ ହୋଇଥିଲା । ପ୍ରତିଯୋଗିତାମୂଳକ ସମୟରେ ଚାଷୀ ଭାଇ ମାନେ ବର୍ଷକ ଆହାର ପରେ ଦୁଇ ପଇସା ଲାଭ ପାଇଁ ସ୍ୱର୍ଣ୍ଣ, ହଜାରେ ନ, କଳାଚମ୍ପା ପ୍ରଭୃତି ଧାନ ଚାଷ କରିଥିଲେ । ଉକ୍ତ ଚାଷ ୯୦ଦିନ ମଧ୍ୟରେ ଅମଳ ଉପଯୋଗୀ ହୋଇଥିବାରୁ ନଭେମ୍ବର ଶେଷ ଓ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରାୟ ସବୁ କ୍ଷେତ ପାଚି ଯାଇଥିଲା । ଏତିକି ବେଳେ ଲଘୁଚାପ ଜନିତ ଅଦିନିଆ ଜୱାଦ ବର୍ଷା ହେବା କାରଣରୁ ଧାନ କିଆରୀରେ ପାଣି ଠିଆ ହୋଇଯାଇଛି । ଏପରିକି କିଛି ପାଚିଲା ଧାନ ଶୋଇଯାଇଥିବା ବେଳେ ତା ଉପରେ ପାଣି ମଧ୍ୟ ମାଡିଯାଇଛି । ଫଳରେ କିଛି ଚାଷ ଜମିରେ ପାଚିଲା ଧାନ ଗଜା ହୋଇଥିବା ବେଳେ କେତେକ ଜାଗାରେ କୃଷକ ମାନେ ପାଣିରୁ ଧାନ ଗଛକୁ କାଟି ବିଲ ମଝିରେ ମଞ୍ଚା ତିଆରି କରି ସୁଖାଉଥିବା ଦେଖାଯାଉଛି । ସେଥିରେ ମଧ୍ୟ କ୍ଷତ ସୁରକ୍ଷିତ ହେଉନଥିବା ବେଳେ ଅନେକ ପାଚିଲା ଧାନ ପାଣିରେ ପଡି ପଚି ଯାଉଛି ତ ପୁଣି କେତେକ କ୍ଷେତକୁ ଆମଦାନୀ ପାଇଁ ଚାଷୀ ବିକଳ୍ପ ଚେଷ୍ଟା କରୁଥିଲେ ସୁଦ୍ଧା ତାହା ମଧ୍ୟ ସମ୍ଭବ ନହୋଇ ଗଜା ହୋଇଯାଉଛି । ବିଶେଷ କରି ଭାଗଚାଷୀ, ନାମମାତ୍ର ଓ ମଧ୍ୟମ ଚାଷୀ ମାନେ ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି । ମାଣେ ଦୁଇ ମାଣେ ଚାଷ କରି ସମ୍ପୂର୍ଣ୍ଣ କ୍ଷେତ ନଷ୍ଟକୁ ସହି ପାରୁନାହାନ୍ତି କିଛି ଛୋଟ ଚାଷୀ। ବର୍ଷା ପରବର୍ତ୍ତୀ କାଉଁଳିଆ ପାଗ ପୁଣି ପାଚିଲା ଧାନ ଗଛ ମୂଳେ ପାଣିକୁ ଦେଖି ଚାଷୀର ହୋସ ବୁଡିଯାଉଛି । ଏ ଭଳି ଅବସ୍ଥା ବ୍ଲକର ରାଜେନ୍ଦ୍ରପୁର, କୁଲଣା, ନାଆମୀ, ନେରଡ଼ା, ପାଟୁଳି, ରହଣିଆ, ମାଳଦା, ସରସଦା, ଜଳମଣ୍ଡୁଆ, ନିର୍ଗୁଣ୍ଡି, ବାଲିପୋଖରୀ ପ୍ରମୁଖ ଅଞ୍ଚଳରେ ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଅଦିନିଆ ବର୍ଷାକୁ୧୫ଦିନ ବିତିଯାଇଥିଲେ ସୁଦ୍ଧା ରାଜସ୍ୱ କିମ୍ବା କୃଷି ବିଭାଗ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିନଥିବାରୁ ଚାଷୀ ମାନେ କ୍ଷୋଭ ପ୍ରକାଶ କରିବା ସହ ସରକାର ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ କ୍ଷୟକ୍ଷତି ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।


