ଆହ୍ବାନ
ଦେଖ ଆଖି ଖୋଲି ସୀମା ସେପାରିରେ
ତାଜା ରକତର ସୁଅ
କାହାର ଝରୁଛି ରୂଧିର ଏମିତି
ଛାତିରେ ଉଠୁଛି କୋହ
ଅବୋଧ କଳିକା ଧର୍ଷିତା ଶରୀର
ପଡ଼ିଛି ଉଲଗ୍ନ ହୋଇ
ମଣିଷ ପଣିଆ ମୃତ କି କେଜାଣି
ସଭିଏଁ ନୀରବ କାହିଁ ?
ଧରମ ନାମରେ କିଆଁ ଜଳେ ଘର
ପଶୁତ୍ବର ବାଜା ବାଜେ
ମୃତ ଶବ କୋଳେ ଅବୋଧ ଶିଶୁଟି
ମାଆର ପରଶ ଖୋଜେ
ବୃଦ୍ଧା ମାଆ ଆଗେ ଭେଣ୍ଡିଆ ପୁଅର
ରକ୍ତାକ୍ତ ଶରୀର ଗଡ଼େ
ବୁଢ଼ା ବାପା ଆଗେ ବଢିଲା ଝିଅର
ଇଜ୍ଜତ ପବନେ ଉଡ଼େ ।
ନାରୀର ଇଜ୍ଜତ ଖଣ୍ଡବିଖଣ୍ଡିତ
ଦୁଃଶାସନଙ୍କର ହାତେ
ସନ୍ତ୍ରାସବାଦୀଙ୍କ ଚାଲଇ ଶାସନ
ଗୁଳି ବୋମା ମାରଣାସ୍ତ୍ରେ ।
ଜଙ୍ଗଲି ପଣିଆ ଆପଣେଇ ନେଇ
ବ୍ୟଭିଚାରୀ ହତ୍ୟାକାରୀ
ନିଜ ବଡପଣ ଦେଖେଇ ଚଲାଏ
ନିରୀହ ବେକରେ ଛୁରୀ
ଇଏ ଯଦି ଧର୍ମ ଏ କେମିତିକା ଧର୍ମ
ବୁଝି ହୁଏ ନାହିଁ ଜମା
ଏମିତି ଚାଲିଲେ ରକ୍ତମୁଖା ହେଲେ
କିଏ ଦବ ପୁଣି କ୍ଷମା ?
ବିଜ୍ଞାନ ବଳରେ ବଳୀୟାନ ହୋଇ
ଆଧୁନିକ ଆଲୋକରେ
ଆଜିର ମଣିଷ ପାଦ ଥାପିଲାଣି
କେଉଁ କେଉଁ ଇଲାକାରେ
ବିକୃତ ଚିନ୍ତାରେ କାହିଁକି ପାଗଳ
କିଛି ଅମଣିଷ ପଣିଆରେ
ସେମିତି ମଣିଷ କି ଖୁସି ପାଆନ୍ତି
ଘୁଷୁରୀ ଚିନ୍ତାଧାରାରେ ?
ମାନବୀୟ ଗୁଣ ମାନବବାଦ
ଅଟଇ ଶ୍ରେଷ୍ଠ ଧରମ
ଈଶ୍ୱରଙ୍କ ନାମେ ମିଛେ କିଆଁ କର
ହତ୍ୟା ଅନ୍ୟାୟ ଅପକର୍ମ
ଦେଉଛି ସମୟ ଆହ୍ବାନ ଆଜିର
ମଣିଷକୁ ଭଲପାଅ
ପାପର ରାସ୍ତାରେ ବାଟୋଇଟେ ହେଲେ
ନରକେ ପଡିବା ଥୟ ।
ଶାନ୍ତି ମୈତ୍ରୀ ପ୍ରୀତି ଭାଇଚାରା ଭାବ……..
ନାହିଁ ଯାହା ହୃଦୟରେ
ଭାଇ ବୋଲି ତାକୁ କାହିଁକି ମଣିବି
କହିବକି କେହି ବାରେ
ସହିବାର ସୀମାରେଖା ଡେଇଁଲାଣି
ଆଉ ସହିବାର ନାହିଁ
ରାକ୍ଷସ ବିନାଶ ହେଉ ମୂଳମନ୍ତ୍ର
ବିଶ୍ବରେ ଶାନ୍ତି ପାଇଁ ।
ଆହ୍ବାନ ଆଜିର ଶୁଅ ନାହିଁ ଆଉ
ଚିନ୍ତାକର ଭବିଷ୍ୟତ
ମାନବୀୟ ଗୁଣ ସୁବର୍ଣ୍ଣ ସୂରୁଜ
ହେଉଅଛି ରତରତ
ହୁଅ ଜାଗ୍ରତ ହୁଅ ସଚେତନ
ହୁଅ ସବୁ ଏକତ୍ରିତ
ବୀର ପରାକ୍ରମେ ଧର କରବାଳ
କର ଦୁଷ୍ଟ ପାପୀ ପରାହତ ।
ଭାସ୍କର ବାରିକ୍
ବାସୁଦେବପୁର,ଭଦ୍ରକ
ଦୂରଭାଷ ୯୪୩୭୩୨୦୩୫୦


