ଆୟକର ଆଦାୟ କରୁନଥିବା ଦେଶ
ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ରୋଜଗାରକ୍ଷମ ପ୍ରତି ବ୍ୟକ୍ତିଙ୍କୁ ଇନକମ୍ ଟ୍ୟାକ୍ସ ବା ଆୟକର ଦେବାକୁ ପଡ଼ିଥାଏ । ବ୍ୟକ୍ତି ଜଣଙ୍କ ଚାକିରି କରନ୍ତୁ ବା ବେପାର ରୋଜଗାରର କିଛି ପ୍ରତିଶତ ଆୟକର ବିଭାଗକୁ ଦେବା ସୁନିଶ୍ଚିତ ବୋଲି ଏହି ଦେଶରେ ସମସ୍ତେ ଜାଣିଛନ୍ତି । ଯେଉଁମାନେ ଆୟକର ଫାଙ୍କିବା ପରି ଅପରାଧ କରିଥାନ୍ତି ସେମାନଙ୍କୁ ଆଇନ ବ୍ୟବସ୍ଥା ଅନୁଯାୟୀ ଦଣ୍ଡିତ ମଧ୍ୟ କରାଯାଇଥାଏ ।
କିନ୍ତୁ ଦୁନିଆରେ ଏପରି ବହୁ ଦେଶ ଅଛି, ଯେଉଁଠିକାର ନାଗରିକଙ୍କୁ ନିଜ ଆୟ ଉପରେ କୌଣସି ଶୁଳ୍କ ଦେବାକୁ ପଡ଼ିନଥାଏ । ଏଠାକାର ଲୋକଙ୍କ ରୋଜଗାର ଯାହା ବି ହେଉ, ସେମାନେ ସରକାରଙ୍କୁ ଗୋଟିଏ ବି ଟଙ୍କା ଦେଇନଥାନ୍ତି । ମୁଖ୍ୟତଃ ତେଲ ଉତ୍ପାଦନକାରୀ ରାଷ୍ଟ୍ରର ନାଗରିକ ଧନୀକ ଶ୍ରେଣୀର ହୋଇଥାନ୍ତି । ହେଲେ ବହୁ ତେଲ ଉତ୍ପାଦନକାରୀ ରାଷ୍ଟ୍ର ପକ୍ଷରୁ ଏହାର ନାଗରିକଙ୍କଠାରୁ କୌଣସି ପ୍ରକାର ଆୟକର ଆଦାୟ ହୋଇନଥାଏ । ଆସନ୍ତୁ ଜାଣିବା ଏପରି ୭ଟି ଦେଶ ବିଷୟରେ ।
ବହାମାସ
ଉତ୍ତର ଆମେରିକା ମହାଦ୍ୱୀପର କେରିବିୟନ କ୍ଷେତ୍ରରେ ଅବସ୍ଥିତ ଥିବା ବହାମାସ ଦେଶର ନାଗରିକଙ୍କଠାରୁ କିଛି ବି ଇନକମ୍ ଟାକ୍ସ ଆଦାୟ ହୁଏ ନାହିଁ । ଲୋକ ନିଜ ଶ୍ରମ ଅନୁଯାୟୀ, ଯାହା ରୋଜଗାର କରନ୍ତି ସେଥିରେ ସରକାର କୌଣସି ପ୍ରକାର ଭାଗ ବସାଇ ନ ଥାନ୍ତି । କେବଳ ବିଭିନ୍ନ ସେକ୍ଟରରେ କାମ କରୁଥିବା ଲୋକ ଓ ସ୍ୱରୋଜଗାରକ୍ଷମ ହୋଇଥିବା ବ୍ୟକ୍ତି ରାଷ୍ଟ୍ରୀୟ ବୀମା କରିବା ବାଧ୍ୟତାମୂଳକ । ବାହାର ଦେଶରୁ ଆସି ଏଠାରେ ବସତି ସ୍ଥାପନ କରୁଥିବା ଲୋକଙ୍କୁ ମଧ୍ୟ ଏହି ବୀମା କରିବାକୁ ପଡ଼ିଥାଏ ।
ଓମାନ
ତେଲ ଉତ୍ପାଦନକାରୀ ରାଷ୍ଟ୍ର ଓମାନ୍ରେ ପ୍ରାୟତଃ ସମସ୍ତେ ଧନୀକ ଶ୍ରେଣୀର । ହେଲେ ଏହି ଦେଶର ନାଗିରକଙ୍କଠାରୁ ମଧ୍ୟ କୌଣସି ଟ୍ୟାକ୍ସ ଆଦାୟ କରାଯାଏ ନାହିଁ । କିନ୍ତୁ ଏଠାକାର ନାଗରିକଙ୍କୁ କର୍ପୋରେଟ ଟ୍ୟାକ୍ସ ୧୨ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ ।
ସାଉଦି ଆରବ
ସେହିପରି ଆଉ ଏକ ମୁସଲିମ୍ ତେଲ ଉତ୍ପାଦନକାରୀ ରାଷ୍ଟ୍ର ସାଉଦି ଆରବରେ ମଧ୍ୟ ଲୋକଙ୍କ ଦରମା ଉପରେ କୌଣସି ଟ୍ୟାକ୍ସ ଲାଗି ନଥାଏ । କିନ୍ତୁ ବାହାର ଦେଶରୁ ଏଠାକୁ ଆସି ବ୍ୟବସାୟ କରୁଥିବା ପ୍ରବାସୀ ନାଗରିକଙ୍କୁ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିଥାଏ । ଏହାବ୍ୟତୀତ ଏଠାକାର ନାଗରିକ ତଥା ଅନ୍ୟମାନଙ୍କୁ ଅନ୍ୟ କୌଣସି ପ୍ରକାର ଦେୟ ଦେବାକୁ ପଡ଼ି ନ ଥାଏ ।
ବରମୁଡ଼ା
ଉତ୍ତର ଆଣ୍ଟଲାଟିକ୍ ମହାସାଗରରେ ସ୍ଥିତ ବ୍ରିଟେନର ପ୍ରବାସୀ କ୍ଷେତ୍ର ବରମୁଡ଼ାରେ ମଧ୍ୟ ଲୋକଙ୍କୁ କୌଣସି ପ୍ରକାର ଆୟକର ଦେବାକୁ ପଡ଼ି ନ ଥାଏ । କିନ୍ତୁ ଏଠାରେ ସମସ୍ତଙ୍କ ବେତନର କିଛି ପ୍ରତିଶତ ପେ-ରୋଲ ହିସାବରେ କଟାଯାଏ । ଏହା ବାଧ୍ୟତାମୂଳକ ଅଟେ ।
କତାର
କତାରରେ ତେଲର ଅମାପ ଭଣ୍ଡାର ରହିଛି । ଫଳରେ ଏହା ଧନୀଙ୍କ ଦେଶ ବୋଲି ବିବେଚନା କରାଯାଏ । ଏଠାରେ ପ୍ରାୟତଃ ସମସ୍ତେ ଧନୀକ ଶ୍ରେଣୀର । ହେଲେ ଏଠାରେ ଲୋକଙ୍କ ରୋଜଗାରରୁ କିଛି ବି ଅଂଶ ଆୟକର ହିସାବରେ ସରକାର ନେଇନଥାନ୍ତି । କୌଣସି ସରକାରୀ କର୍ମଚାରୀ, ବ୍ୟବସାୟିଙ୍କ ଦରମା ଉପରେ କୌଣସି ପ୍ରକାର ଆୟ ଲାଗୁନଥିବା ବେଳେ ପୁଞ୍ଜିଗତ ଲାଭ, ଧନ କିମ୍ବା ସମ୍ପତ୍ତିର ହସ୍ତାନ୍ତରଣ ନିମନ୍ତେ ମଧ୍ୟ କୌଣସି ଟ୍ୟାକ୍ସ ଦେବାକୁ ପଡୁନଥିବା ଜଣାଯାଇଛି ।
ବ୍ରୁନଇ
ଇଣ୍ଡୋନେସିଆ ପାଖରେ ଅବସ୍ଥିତ ବ୍ରୁନଇବାସୀଙ୍କୁ ବି କୌଣସି ପ୍ରକାର ଆୟକର ଦେବାକୁ ପଡ଼ିନଥାଏ । ଏଠାରେ କେବଳ କର୍ମଚାରୀ ଟ୍ରଷ୍ଟ ଫଣ୍ଡ ଓ ଅନୁପୂରକ ଅଂଶଦାୟୀ ଯୋଜନା ପ୍ରଚଳିତ ଅଛି । ଯେଉଁଠାରେ ଲୋକଙ୍କୁ ବାଧ୍ୟତାମୂଳକ ଭାବେ କିଛି ଟଙ୍କା ଜମା କରିବାକୁ ପଡ଼ିଥାଏ ।
କୁଏତ
କୁଏତ ନାମକ ଦେଶରେ ମଧ୍ୟ ନାଗରିକଙ୍କୁ ଟ୍ୟାକ୍ସ ଦେବା ଟେନସନରୁ ମୁକ୍ତି ମିଳିଯାଇଛି । କିନ୍ତୁ ଏଠାକାର ନାଗରିକଙ୍କୁ ସାମାଜିକ ବୀମାରେ ଯୋଗଦାନ କରିବା ବାଧ୍ୟତାମୂଳକ ଅଟେ ।


