ଆୟୁଷ ଚିକିତ୍ସାଳୟ ସ୍ଥାପନ ଓ ପଞ୍ଚକର୍ମ ଚିକିତ୍ସାଳୟ ପ୍ରତିଷ୍ଠାପାଇଁ ସିଦ୍ଧାନ୍ତ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆୟୁଷ ବିକାଶ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଜିଲ୍ଲା ଆୟୁର୍ବେଦିକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର୍ର ଜେନା ସଭାପତିତ୍ୱ କରିଥିଲେ । ପ୍ରଥମେ ସଂପାଦକ ହିମାଂଶୁ ଶେଖର ଦାସ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ । ପ୍ରସ୍ତାବିତ ସମନ୍ୱିତ ଆୟୁଷ ଚିକିତ୍ସାଳୟ କାର୍ଯ୍ୟକାରୀ ହେବାରେ ଅହେତୁକ ବିଳମ୍ବ ହେଉଥିବାରୁ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । କାର୍ଯ୍ୟଭାର ନେଇଥିବା ଠିକାଦାରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ରେମୁଣା ତହସିଲଦାର ଆବଶ୍ୟକୀୟ ୫ ଏକର ଜାଗା ହସ୍ତାନ୍ତରରେ ବିଳମ୍ବ କରୁଥିବାରୁ କାର୍ଯ୍ୟରେ ବାଧା ଉପୁଜୁଛି । ତେଣୁ ସମସ୍ତ ସଭ୍ୟ ଏ ବାବଦରେ ରେମୁଣା ତହସିଲଦାର ଓ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଆସନ୍ତା ନଭେମ୍ବର ୩ ତାରିଖ ରବିବାର ମଞ୍ଚ ତରଫରୁ ଏକ ମାଗଣା ଆୟୁଷ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଶିବିରରେ ରୋଗୀମାନଙ୍କର ମଧୁମେହ ଓ ରକ୍ତଚାପ ପରୀକ୍ଷା ସହ ଆୟୁର୍ବେଦିକ, ହୋମିଓପ୍ୟାଥିକ୍ ଏବଂ ଯୋଗ ମାଧ୍ୟମରେ ମାଗଣା ଚିକିତ୍ସା କରାଯିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ସର୍ବଶେଷରେ ଉପଦେଷ୍ଟା ଡା. ପ୍ରଭାକର ରଥ ଧନ୍ୟବାଦ ଦେଇଥିଲେ । ଡା. ସୁଧାଂଶୁ ଶେଖର ଦାସ, ଡା. ପ୍ରଭାତ କୁମାର ପ୍ରଧାନ, ଡା. ପ୍ରମୋଦ କୁମାର ରାଉତ, ଡା. ତ୍ରିଲୋଚନ ଧଳ, ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ଆଡ଼ଭୋକେଟ୍ ନିରଞ୍ଜନ ପରିଡ଼ା ମଂଚର ଉପଦେଷ୍ଟା ସୀତାରାମ ପ୍ରଧାନ, ଡା. ଜୟନ୍ତ କୁମାର ପ୍ରଧାନ, ରବୀନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।