ଆୟୁଷ ଡାକ୍ତରଙ୍କ ନିଯୁକ୍ତିକୁ ସ୍ଥାୟୀ ନକଲେ ଆନ୍ଦୋଳନ ଜୋରଦାର ହେବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୨୦୨୨ ଅକ୍ଟୋବର ୧୫ ତାରିଖରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ଘୋଷଣା କରି କହିଲେ ଯେ, ଓଡ଼ିଶାରୁ ସବୁଦିନ ପାଇଁ ଠିକା ବା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ ହେଲା ଓ ଏଣିକି ଠିକା ବା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଓଡ଼ିଶା ମାଟିରେ ଇତିହାସ ହୋଇ ରହିଗଲା । ସେହି ଘୋଷଣା ଦ୍ୱାରା ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗର ଠିକା ବା ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଯୁବ କର୍ମଚାରୀ ଓ ଉଚ୍ଚଶିକ୍ଷିତ ଚାକିରୀ ଆଶାୟୀ ଯୁବବର୍ଗଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା । କିନ୍ତୁ ତା ପରଦିନ ଅର୍ଥାତ୍ ୨୦୨୨ ଅକ୍ଟୋବର ୧୬ ତାରିଖରେ ଓଡ଼ିଶା ସରକାରଙ୍କ ଦ୍ୱାରା ଯେଉଁ ଆଦେଶନାମା ଜାରି ହେଲା, ସେଥିରେ କେବଳ ଚୁକ୍ତିଭିତ୍ତିକ ନିୟମ ୨୦୧୩କୁ ପ୍ରତ୍ୟାହାର କରାଗଲା ବୋଲି ଉଲ୍ଲେଖ କରାଯାଇଥିଲା ଏବଂ ତାହା ଦ୍ୱାରା ଓଡ଼ିଶା ସରକାରଙ୍କ ଅଧିନସ୍ଥ କେବଳ ମାତ୍ର ୫୭ ହଜାର ଠିକା ବା ଚୁକ୍ତିଭିତ୍ତିକ କର୍ମଚାରୀ ଉପକୃତ ହେଲେ । କିନ୍ତୁ ଦୁଃଖ ଓ ଦୁର୍ଭଗ୍ୟର ବିଷୟ ଏହିକି ଯେ, ଏହି ନିୟମ ଉଚ୍ଛେଦ ପୂର୍ବରୁ ବା ପରେ ଚୁକ୍ତିଭିତ୍ତିରେ ନିଯୁକ୍ତି ପାଇଥିବା ଆର.ବି.ଏସ୍.କେ ଆୟୁଷ ଡାକ୍ତରମାନେ ଦୀର୍ଘ ୯ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଫଳତାର ସହ ସେବା ଯୋଗାଇ ଆସୁଥିଲେ ବି ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରାଗଲା ନାହିଁ ବା ବିଭାଗ ପକ୍ଷରୁ ଏଥିପାଇଁ ସାମାନ୍ୟତମ ଉଦମ୍ୟ କରାଗଲା ନାହିଁ । ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଓ ନିରନ୍ତର ସେବା ଯୋଗାଇ ଆସୁଥିବା ହତଭାଗ୍ୟ ଆର.ବି.ଏସ୍.କେ ଆୟୁଷ ଡାକ୍ତରମାନଙ୍କ ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏପରି ଦାୟିତ୍ୱହୀନ ଓ ଅପରିଣାମଦର୍ଶୀ ମାନସିକତା ଯୋଗୁ ଓଡ଼ିଶା ରାଜ୍ୟରେ କାମ କରୁଥିବା ୧୨୭୨ ଜଣ ଆର.ବି.ଏସ୍.କେ ଆୟୁଷ ଡାକ୍ତରମାନଙ୍କ ମଧ୍ୟରେ ଘୋର ଅଶାନ୍ତି ଓ ହତାଶା ଦେଖା ଦେଇଛି । ପୁନଶ୍ଚ ୧୨୭୨ ଜଣ କର୍ତ୍ତବ୍ୟରତ ଆର.ବି.ଏସ୍.କେ ଆୟୁଷ ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ମାସିକ ବେତନରେ ମଧ୍ୟ ଘୋର ତାରତମ୍ୟ ସୃଷ୍ଟି କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟମିଶନ ଅନୁଦାନରେ ନିଯୁକ୍ତିପ୍ରାପ୍ତ ଚୁକ୍ତିଭିତ୍ତିକ ଏମ୍.ବି.ବି.ଏସ୍ ଡାକ୍ତରମାନଙ୍କୁ ମାସିକ ୬୧,୨୬୧ ଟଙ୍କା ବେତନ ପ୍ରଦାନ କରାଯାଉଥିବା ବେଳେ ଆର.ବି.ଏସ୍.କେ ଆୟୁଷ ଡାକ୍ତରମାନଙ୍କୁ ମାତ୍ର ୨୪,୧୭୧ ଟଙ୍କା ଦରମା ଦେଇ ଏକ ଅସମ୍ମାନଜନକ ସ୍ଥିତି ତଥା ନାହିଁ ନଥିବା ଆର୍ôଥକ ଦୂରାବସ୍ଥା ମଧ୍ୟକୁ ଠେଲି ଦିଆଯାଇଛି । ସ୍ଥାୟୀ ନିଯୁକ୍ତିକରଣ ଓ ଅନ୍ୟାନ୍ୟ ଦାବି ତଥା ଆଲୋଚନା ନିମନ୍ତେ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ରାଜ୍ୟ ଆରବିଏସ୍କେ ଆୟୁଷ ଡାକ୍ତର ସଂଘ, ଓଡ଼ିଶା ତରଫରୁ ବାରମ୍ବାର ନିବେଦନ କରାଯାଉଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ସ୍ୱାସ୍ଥ୍ୟବିଭାଗର ଅଧିକାରୀ ସେମାନଙ୍କୁ ସେଥିରୁ ବଞ୍ôଚତ କରି ଏକ ଅଗଣତାନ୍ତ୍ରିକ ତଥା ଅବହେଳା ମନୋଭାବ ପ୍ରଦର୍ଶନ କରି ଆସୁଛନ୍ତି ।
ରବିବାର ଭୁବନେଶ୍ୱର ୟୁନିଟ-୯ସ୍ଥିତ ବୁଦ୍ଧମନ୍ଦିର ପରିସରରେ ରାଜ୍ୟ ଆରବିଏସ୍କେ ଆୟୁଷ ଡାକ୍ତର ସଂଘ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସଂଘର ସଭାପତି ଶ୍ରୀ ପ୍ରଭାତ ମହାନ୍ତି କିହଲେ ଯେ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରୁ ଚୁକ୍ତିଭିତ୍ତିକ ବା ଠିକା ନିଯୁକ୍ତି ଭଳି କୁତ୍ସିତ ବ୍ୟବସ୍ଥାର ଉଚ୍ଛେଦ ଘୋଷଣା କଲାପରେ ଯେଉଁ ବିଭାଗମାନେ କେନ୍ଦ୍ରୀୟ ଯୋଜନା, କେନ୍ଦ୍ରୀୟ ସହାୟତା ଆଳରେ ହଜାର ହଜାର କର୍ମଚାରୀଙ୍କୁ ନ୍ୟାୟ ଦେବାରେ ଅମାନବିକତା ଓ ପକ୍ଷପାତିତା ଆଚରଣ କରୁଛନ୍ତି, ତାହାର ଦୃଢ ପ୍ରତିବାଦ କରାଯିବ । କେତେଦିନ ପର୍ଯ୍ୟନ୍ତ ସ୍ୱଳ୍ପ ହାତଟେକା ପାରିଶ୍ରମିକରେ ଡାକ୍ତରୀ ଭଳି ପବିତ୍ର ବୃତ୍ତିକୁ ନେଇ ସେମାନେ ପରିବାର ଚଳାଇବେ । ଭବିଷ୍ୟତରେ ନିଯୁକ୍ତି ସ୍ଥାୟୀକରଣ ଆଶାରେ ରାଜ୍ୟ ସରକାରଙ୍କ ତତ୍କାଳୀନ ଆର୍ଥିକ ଦୁର୍ଗତିକୁ ବିଚାର କରି ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଆପଣେଇ ନେବା କଣ ସେମାନଙ୍କ ପାଇଁ ଅପରାଧ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ୨୦୧୩ ମସିହା ଏପ୍ରିଲ ମାସରେ ପ୍ରକାଶିତ ବିଭାଗୀୟ ବିଜ୍ଞପ୍ତିରେ ଦରମା ବୃଦ୍ଧି ଓ ନିଯୁକ୍ତି ସ୍ଥାୟୀକରଣ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଥିଲେ ବି ତାହା କରାଇ ନଦେବା ପାଇଁ ଘୋର ଷଡ଼ଯନ୍ତ୍ର କରାଯାଇଛି । ବିଭାଗର ଏଭଳି ଆଚରଣ ଦ୍ୱାରା ରାଜ୍ୟବାସୀଙ୍କୁ ସୂଚନା ଦେବାକୁ ଉଦ୍ୟମ କରାଯାଉଛି, ଯେପରି କେନ୍ଦ୍ରୀୟ ଅନୁଦାନରେ ଓ କେନ୍ଦ୍ର ସରକାରଙ୍କ ଦୟା ଯୋଗୁ ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପରିଚାଳିତ ହେଉଛି । ତାହାହେଲେ ଆମେ ସମସ୍ତେ ରାଜ୍ୟକୁ ସେବା ଯୋଗୁଥିବା କେନ୍ଦ୍ରୀୟ କର୍ମଚାରୀ, କେନ୍ଦ୍ର ସରାକର ଆମକୁ ସ୍ଥାୟୀ କରିବେ ବା କେନ୍ଦ୍ର ଅନୁଦାନ ବନ୍ଦ କରିଦେଲେ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡ଼ି ପଡ଼ିବ କି? ରାଜ୍ୟର ଅମଲାତନ୍ତ୍ର ଅତି ଚତୁରତାର ସହ ଯେଉଁ କୁତ୍ସିତ ଅଭିପ୍ରାୟ ରଖି ଆରବିଏସ୍କେ ଆୟୁଷ ଡାକ୍ତରଙ୍କ ସହ ପ୍ରତାରଣା କରି ସେମାନଙ୍କର ସ୍ଥାୟୀ ସରକାରୀ କର୍ମଚାରୀ ହେବାର ସାମ୍ବିଧାନିକ ଅଧିକାରକୁ ଉଚ୍ଛେଦ କରୁଛନ୍ତି ତାହା ସଂଘ କଦାପି ବରଦାସ୍ତ କରିବ ନାହିଁ । ସ୍ୱାସ୍ଥ୍ୟ ବିଭାଗର ରାଜ୍ୟ ଆରବିଏସ୍କେ ଆୟୁଷ ଡାକ୍ତର ସଂଘ ଓଡ଼ିଶା ପ୍ରତି ବାଛବିଚାର, ନିଯୁକ୍ତି ସ୍ଥାୟୀକରଣରେ ଟାଳଟୁଳ ନୀତି ଓ ଆର୍ଥିକ ତାରତମ୍ୟ ତଥା ପାତର ଅନ୍ତର ମନୋଭାବ ବିରୋଧରେ ସଂଘ ପକ୍ଷରୁ ଚଳିତ ୨୦୨୩ ଫେବୃୟାରୀ ୧୧ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆରବିଏସ୍କେ ଆୟୁଷ ଡାକ୍ତରମାନେ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରିବେ । ଏହାପରେ ବି ଯଦି ରାଜ୍ୟ ସରକାର ସୋମନଙ୍କ ନିଯୁକ୍ତି ସ୍ଥାୟୀକରଣ କରିବା ସମ୍ବନ୍ଧରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଓଡ଼ିଶା ରାଜ୍ୟର ସମସ୍ତ ଆରବିଏସ୍କେ ଆୟୁଷ ଡାକ୍ତର ସାମୂହିକ ଛୁଟି ନେଇ ରାଜଧାନୀ ରାଜରାସ୍ତାରେ ଚଳିତ ଫେବୃୟାରୀ ମାସ ୨୦ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିକ୍ଷୋଭ ସମାବେଶ କରିବେ । ଏହାଦ୍ୱାରା ଓଡ଼ିଶାର ଜନସାଧାରଣ ଓ ଶିଶୁ ତଥା ଅନ୍ୟାନ୍ୟ ରୋଗୀମାନଙ୍କର ଯେକୌଣସି ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ସ୍ଥିତି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଶ୍ରୀ ପ୍ରଭାତ ମହାନ୍ତିଙ୍କ ସମେତ ବରିଷ୍ଠ ଉପଦେଷ୍ଟା ଡା ବିଶ୍ୱରଞ୍ଜନ ପ୍ରଧାନ, ଡା ବିଜୟ ସାମଲ ଓ ଡା ସୁଦୀପ୍ତ ସାହୁ, ସାଧାରଣ ସମ୍ପାଦକ ଡା ରବୀନ୍ଦ୍ର ସେଠି, ଉପସଭାପତି ଡା ଲିଙ୍ଗରାଜ ଦାଶ, ଡ଼ା ସ୍ୱାଗତିକା ଦାଶ, ସହ ସମ୍ପାଦକ ଡା ଜୟଶ୍ରୀ ଶ୍ରୀଚନ୍ଦନ, କୋଷାଧ୍ୟକ୍ଷ ଡା ଶୁଭେନ୍ଦୁ ଦାଶ ଓ ଡା ରାଜେଶ କୁମାର ଜେନା ପ୍ରମୁଖ ନେତୃମଣ୍ଡଳୀ ତଥା ସମସ୍ତ ଜିଲ୍ଲା ସଂଘର ପଦାଧିକାରୀମାନେ ଉପସ୍ଥିତ ଥିଲେ ।