ଆୟୋଜିତ ହେବ ଆନ୍ତଃ ବିଶ୍ଵବିଦ୍ୟାଳୟ ଦୌଡକୁଦ ପ୍ରତିଯୋଗିତା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ରାଜ୍ୟ ସରକାର ରାଜ୍ୟର ଥିବା ସମସ୍ତ ବିଶ୍ଵବିଦ୍ୟାଳୟକୁ ନେଇ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା ଆୟୋଜନ କରିଛନ୍ତି । ଏହି ପ୍ରତିଯୋଗିତାକୁ ଦୌଡ଼କୁଦ, କ୍ରୀଡା ଓ ଖେଳ ଏବଂ ସାହିତ୍ୟିକ-ସାଂସ୍କୃତିକ ଭଳି ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ଆସନ୍ତା ମାର୍ଚ୍ଚ ୪-୬ ତାରିଖ ମଧ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନ୍ତଃ ବିଶ୍ଵବିଦ୍ୟାଳୟ ଦୌଡକୁଦ ପ୍ରତିଯୋଗିତାର ଆୟୋଜନ କରୁଅଛି । ଏଥିରେ ରାଜ୍ୟର ୧୩ ଟି ବିଶ୍ଵବିଦ୍ୟାଳୟରୁ ପ୍ରାୟ ୨୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ୧୬ଟି ଏବଂ ମହିଳା ବର୍ଗ ରେ ୧୦ ଟି ଇଭେଣ୍ଟ ଅନୁଷ୍ଠିତ ହେବ ବୋଲି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କ୍ରୀଡା ପରିଷଦର ସମ୍ପାଦକ ଡ. ଶେଷଦେବ ପାତ୍ର ସୂଚନା ଦେଇଛନ୍ତି। ମାର୍ଚ୍ଚ ୪ ତାରିଖରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଯୋଗ ଦେଉଥିବା ବେଳେ ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ଶାଶ୍ଵତ ମିଶ୍ର ଏବଂ ଆର୍ମି ଏୟାର ଡିଫେନ୍ସ କଲେଜର କମାଣ୍ଡାଣ୍ଟ ଲୁ. ଜେନେରାଲ ଶ୍ରୀ ସତିନ୍ଦର୍ ସିଂହ ଯୋଗ ଦେବେ । ଏହି କ୍ରୀଡା ମହୋତ୍ସବର ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୪ ତାରିଖରେ ପୁରୁଷ ବର୍ଗରେ ୧୫୦୦ ମି ,୪୦୦ ମି, ୧୦୦ ମି ଦୌଡ଼, ସଟ୍ ପୁଟ୍, ଲଂଗ୍ ଜମ୍ପ୍, ୪ x ୧୦୦ ମି ଓ ୪ x ୪୦୦ ମି ରିଲେ ଦୌଡ଼ ଏବଂ ମହିଳା ବର୍ଗରେ ୧୦୦ ମି, ୪୦୦ ମି ଦୌଡ଼, ଲଙ୍ଗ ଜମ୍ପ, ସଟ୍ ପୁଟ ଏବଂ ୪ x ୧୦୦ ମି ରିଲେ ଦୌଡ ଆୟୋଜିତ ହେବ। ଦ୍ଵିତୀୟ ଦିନ ଅର୍ଥାତ୍ ମାର୍ଚ୍ଚ ୫ ତାରିଖରେ ପୁରୁଷ ବର୍ଗରେ ୫୦୦୦ ମି,୮୦୦ ମି, ୪୦୦ ମି, ୨୦୦ ମି ଦୌଡ଼, ହାଇ ଜମ୍ପ ଓ ଡିସ୍ କସ୍ ଥ୍ରୋ ଏବଂ ମହିଳା ବର୍ଗରେ ୮୦୦ ମି, ୪୦୦ ମି, ୨୦୦ ମି, ଡିସ୍ କସ୍ ଥ୍ରୋ ଓ ହାଇ ଜମ୍ପ ଇଭେଣ୍ଟ ଅନୁଷ୍ଠିତ ହେବ। ଅନ୍ତିମ ଦିନ ଅର୍ଥାତ୍ ମାର୍ଚ୍ଚ ୬ ତାରିଖ ଦିନ ପୁରୁଷ ବର୍ଗରେ ୧୦୦୦୦ ମି, ୨୦୦ ମି, ୧୦୦ ମି ଦୌଡ଼, ହାମର୍ ଥ୍ରୋ , ଟ୍ରିପଲ୍ ଜମ୍ପ, ଜାଭେଲିନ୍ ଥ୍ରୋ ,୪ x ୧୦୦ ମି ଓ ୪ x ୪୦୦ ମି ରିଲେ ଦୌଡ଼ ଏବଂ ମହିଳା ବର୍ଗରେ ୧୦୦ ମି ,୨୦୦ ମି, ଜାଭେଲିନ୍ ଥ୍ରୋ ଏବଂ ୪ x ୧୦୦ ମି ରିଲେ ଦୌଡ଼ ଆୟୋଜିତ ହେବ । ଏହି କ୍ରୀଡା ମହାକୁମ୍ଭର ଉଦଯାପନୀ ଏବଂ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦାର ଏମ୍ ଏସ୍ ସି ବି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା ଯୋଗ ଦେଉଥିବା ବେଳେ ସମ୍ମାନିତ ଅତିଥି ରୂପେ ପୂର୍ବତନ ଅଲମ୍ପିଆନ୍ ଅନୁରାଧା ବିଶ୍ଵIଳ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ଵର୍ଣ୍ଣ ପଦକ ବିଜେତା କେ. ରବି କୁମାର ଯୋଗ ଦେବେ। ଏହି ପ୍ରତିଯୋଗିତାରେ ପ୍ରଥମ , ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୩୦୦୦୦, ୨୫୦୦୦ ଏବଂ ୨୦୦୦୦ ଟଙ୍କା ପୁରସ୍କାର ଅର୍ଥରାଶି ସହ ପଦକ ଓ ମାନପତ୍ର ମଧ୍ୟ ପ୍ରଦାନ କରାଯିବ । ଏଭଳି ଏକ ସମ୍ମାନଜନକ ପ୍ରତିଯୋଗିତାର ଆୟୋଜକ ଭାବେ ଦାୟିତ୍ଵ ଭାର ମିଳିଥିବାରୁ ଏହାକୁ ନେଇ ଖୁବ୍ ଉତ୍ସାହିତ ଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣି ସୂଚନା ଦେଇଛନ୍ତି । ଏଥି ସହିତ ବିଶ୍ଵବିଦ୍ୟାଳୟର ସମସ୍ତ କାର୍ଯ୍ୟରତ ସଦସ୍ୟ ଏବଂ ଛାତ୍ର ଛାତ୍ରୀମାନଙ୍କ ମିଳିତ ସହଯୋଗରେ ଏହି ୩ ଦିନିଆ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ଆୟୋଜନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିତି ସହିତ ଶାରୀରିକ ସୁସ୍ଥତାର ଯଥାର୍ଥ ଆବଶ୍ୟକତା ରହିଛି। ଏଥିପାଇଁ କ୍ରୀଡାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । କ୍ରୀଡା ଶିକ୍ଷାର୍ଥୀକୁ ସୁସ୍ଥ ଓ ସବଳ ରଖିବା ସହ ସେମାନଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ , ଧୈର୍ଯ୍ୟ , ଦଳଗତ ମନୋଭାବ ଆଦିର ସଞ୍ଚାର କରିଥାଏ। ପାରସ୍ପରିକ ବନ୍ଧୁତ୍ୱ ଏବଂ ସୌହାର୍ଦ୍ଦ୍ୟ ସୃଷ୍ଟି କ୍ଷେତ୍ରରେ କ୍ରୀଡାର ଭୂମିକା ଅତୁଳନୀୟ। ରାଜ୍ୟରେ ତୃଣମୂଳ ସ୍ତରରୁ କ୍ରୀଡାକୁ ଗୁରୁତ୍ୱ ଦେବା ପାଇଁ ଏବଂ ଲୁକ୍କାୟିତ କ୍ରୀଡା ପ୍ରତିଭା ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପ ବେଶ୍ ପ୍ରଶଂସନୀୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ