ଇଂ ଜଗବନ୍ଧୁ ଜଗବନ୍ଧୁ ଷଡ଼ଙ୍ଗୀଙ୍କୁ ସ୍ୱର୍ଣ୍ଣପଦକ

ଭୁବନେଶ୍ୱର, : ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଓ ଉକ୍ରୃଷ୍ଟ ସମାଜସେବା ପାଇଁ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ପ୍ରତିଷ୍ଠାତା ସଦସ୍ୟ ତଥା ମଞ୍ଚର ସାଧାରଣ ସମ୍ପାଦକ ଏବଂ ପ୍ରାଚୀ ସାଂସ୍କୃତିକ ଅନୁଷ୍ଠାନର ପୃଷ୍ଠପୋଷକ ଓ ସଭାପତି ଇଂ ଜଗବନ୍ଧୁ ଷଡ଼ଙ୍ଗୀଙ୍କୁ ବିଶ୍ୱ ଆର୍ଥିକ ପ୍ରଗତି ଓ ଅନୁସନ୍ଧାନ ଅନୁଷ୍ଠାନ, ନୂଆଦିଲ୍ଲୀ ପକ୍ଷରୁ ଚଳିତ ବର୍ଷ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣାନ ସ୍ୱର୍ଣ୍ଣ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି । ବେଙ୍ଗାଲୁରରେ ଅନୁଷ୍ଠିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଶ୍ରୀମତୀ ଅମ୍ବିକା ଷଡ଼ଙ୍ଗୀ ଓ ଇଂ ଜଗବନ୍ଧୁ ଷଡ଼ଙ୍ଗୀଙ୍କୁ ମାନପତ୍ର, ଟ୍ରଫି ଏବଂ ସ୍ୱର୍ଣ୍ଣ ପଦକ ପ୍ରଦାନ ପୂର୍ବକ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଏତଦ୍ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ବାରଟି ଅନ୍ୟ ରାଜ୍ୟରୁ ଚୟନ ବ୍ୟକ୍ତିବିଶେଷମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଦେଶରେ ପ୍ରଗତି ଏବଂ ଜାତୀୟ ସଂହତିର ପ୍ରତିଷ୍ଠା ପାଇଁ ଉତ୍ସର୍ଗୀକୃତ ବିଶ୍ୱ ଆର୍ଥିକ ପ୍ରଗତି ଓ ଅନୁସନ୍ଧାନ ଅନୁଷ୍ଠାନ ୧୯୭୫ ମସିହାରେ ପ୍ରତିଷ୍ଠିତ ହୋଇ ରାଷ୍ଟ୍ରୀୟସ୍ତରରେ ବିଭିନ୍ନ ରାଜ୍ୟର ସମାଜସେବୀମାନଙ୍କୁ ଠାବ କରି ସମ୍ମାନିତ କରିବାକୁ ନିଜର ଧର୍ମ ଭାବରେ ଗ୍ରହଣ କରିଆସିଛି । ନିଃସ୍ୱାର୍ଥପର ସମାଜ ସେବାରେ ଲିପ୍ତ ବ୍ୟକ୍ତିବିଶେଷମାନଙ୍କ ସବିଶେଷ ବିବରଣୀ ସଂଗ୍ରହ କରି ସେମାନଙ୍କୁ ରାଷ୍ଟ୍ରର ବିକାଶ ପାଇଁ ପ୍ରୋତ୍ସାହିତ କରିବା ସହ ରାଷ୍ଟ୍ରୀୟ ସଂହତି ପାଇଁ ଅନ୍ୟାନ୍ୟ ରାଜ୍ୟର ସମାଜସେବୀଙ୍କ ସହ ଯୋଡ଼ିବା ଲକ୍ଷ୍ୟରେ ସଂଗଠନ କାର୍ଯ୍ୟ କରିଆସୁଛି । ଚଳିତ ବର୍ଷର ଏହି ଆୟୋଜନ ଦକ୍ଷିଣ ଭାରତର ବିଦ୍ୟାନଗରୀ ରୂପେ ପରିଚିତ ବେଙ୍ଗାଲୁରରେ ଗତ ୭ ତାରିଖ ଦିନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜିଲ୍ଲା ଜଜ ମାନ୍ୟବର ପଦ୍ମ ନାଭୈୟା ସଂଗଠନର ଏହି ମହାନ୍ କାର୍ଯ୍ୟ ପାଇଁ ଭୁରି ଭୁରି ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବରେ ବେଙ୍ଗାଲୁରୁ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଉପକୁଳପତି ଡଃ ଶିବାନା ପୁରସ୍କୃତ ବିଭିନ୍ନ ରାଜ୍ୟର ସମାଜସେବୀଙ୍କୁ ନିଜର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସମାଜର କଲ୍ୟାଣ ନିମନ୍ତେ ସମସ୍ତେ ନିଜ ନିଜ ସ୍ତରରେ ଏଭଳି ପ୍ରଚେଷ୍ଟା କରିବା ପାଇଁ ଆଗ୍ରହ କରିଥିଲେ । ମଞ୍ଚରେ ଉପସ୍ଥିତ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏସୀୟ ଗ୍ରାମୀଣ ବିଜ୍ଞାନ ସଂସ୍ଥାର ସଂଯୋଜିକା ଶ୍ରୀମତୀ ସନ୍ଧ୍ୟା ପ୍ରଦୀପାନା, ଭାରତ ସଞ୍ଚାର ନିଗମର ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ସ୍ୱାମୀ, ଦିୟାସ ସଂଗଠନର ସାଧାରଣ ସମ୍ପାଦକ ଡଃ ଆଇ.ଏସ୍. ବାସା ପ୍ରମୁଖ ଯୋଗ ଦେଇଥିଲେ । ଏକ ରାଷ୍ଟ୍ରୀୟ ସଂଗଠନ ପକ୍ଷରୁ ଉକ୍ରୃଷ୍ଟ ସମାଜସେବା ପାଇଁ ସ୍ୱର୍ଣ୍ଣ ପଦକ ସମ୍ମାନର ଅଧିକାରୀ ହୋଇ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଗର୍ବିତ ହେବାର ସୁଯୋଗ ଦେଇଛନ୍ତି ବୋଲି ନିଜର ମତ ଦେଇଛନ୍ତି ବେଙ୍ଗାଲୁରୁରେ ଅବସ୍ଥାପିତ ପ୍ରବାସୀ ଓଡ଼ିଆ ସାମାଜିକ କର୍ମୀ ବିରଞ୍ôଚ ନାରାୟଣ ମିଶ୍ର । ଏନେଇ କେବଳ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ନୁହେଁ ସମଗ୍ର ଓଡ଼ିଶା ଗୌରବାନ୍ୱିତ ବୋଲି କହିଛନ୍ତି ଅନ୍ୟତମ ଦୁର୍ନୀତି ବିରୋଧୀ ସାମାଜିକ କର୍ମୀ ଅମୀର ପ୍ରସାଦ ସାହୁ । ଇଂ ଷଡ଼ଙ୍ଗୀଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପରେ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ କରାଯିବ ବୋଲି ମଞ୍ଚ ସଭାପତି ଇଂ ନନ୍ଦନନ୍ଦନ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ