ଇଂ ପ୍ରଶାନ୍ତ ଦତ୍ତଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର, (ସରୋଜ ପଣ୍ଡା) :-ସୁସାହିତ୍ୟିକ ତଥା ଅନୁଷ୍ଠାନ ପ୍ରେମୀ ଦିବଂଗତ ଇଂ ପ୍ରଶାନ୍ତ ଦତ୍ତଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ନୃତ୍ୟ ସଙ୍ଗୀତ କଳାମନ୍ଦିରର ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପ-ସଭାପତି ତଥା ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା, ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର କାର୍ଯ୍ୟକର୍ତ୍ତା କାଳୀକିଙ୍କର ଦାସ, ସୁବର୍ଣ୍ଣଶ୍ରୀ ପ୍ରକାଶନର ମୁଖ୍ୟ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି କାଳୀପଦ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦତ୍ତଙ୍କ ଜୀବନାଦର୍ଶ ଓ ସାହିତ୍ୟାନୁରାଗ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ସାହିତ୍ୟିକ, ସ୍ଥପିତ ଓ ସଂସ୍କୃତିପ୍ରେମୀ ଭାବେ ସେ ବିଭିନ୍ନ ସାରସ୍ୱତ ଏବଂ ସାଂସ୍କୃତିକ ଅନୁଷ୍ଠାନରେ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ୱ ତୁଲାଉ ଆସୁଥିବା ବକ୍ତାମାନେ କହିଥିଲେ । ତାଙ୍କର ଆକସ୍ମିକ ପରଲୋକ ସମସ୍ତଙ୍କୁ ମ୍ରିୟମାଣ କରିଥିବା ବେଳେ ଇଂ ଦତ୍ତଙ୍କ ଅବର୍ତ୍ତମାନରେ ସାରସ୍ୱତ ଓ ସଂସ୍କୃତି କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା । ସାଂସ୍କୃତିକ ଅନୁଷ୍ଠାନ ଇନ୍ଦ୍ରଧନୁର ସମ୍ପାଦକ ବ୍ରହ୍ମନାଥ ରଥ ପ୍ରାକ ସୂଚନା ଦେଇଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଦତ୍ତଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ତାଙ୍କର ଅମର ଆତ୍ମା ପ୍ରତି ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବ୍ୟମନାଥ ରଥ, ଅଜୟ ଆଚାର୍ଯ୍ୟ, ନନ୍ଦକିଶୋର ଦାସ, ଲକ୍ଷ୍ମୀ ଘୋଷ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ