ଇଚ୍ଛାମୃତ୍ୟୁ ଚାହୁଁଥିବା ଅନିତାଙ୍କୁ ରେଡକ୍ରସ ପାଣ୍ଠିରୁ ମିଳିବ ଆର୍ଥିକ ସହାୟତା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ, ପୋଚାଲୁଣ୍ଡି ପାଞ୍ଚାୟତ ଅନ୍ତର୍ଗତ ରାମଗଡ଼ ଗ୍ରାମର ଧୋବା ପ୍ରଧାନଙ୍କ ପତ୍ନୀ ଅନିତା ପ୍ରଧାନ ନିଜର ପାକସ୍ଥଳୀ ଖରାପ ଥିବା ଯୋଗୁ ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସାହାଯ୍ୟ ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ଆର୍ଥିକ ସହାୟତା ନମିଳିବା ଯୋଗୁଁ ସେ ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପ୍ରକାଶ କରିଛନ୍ତି। ଏନେଇ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେଯେ ଅନିତା ପ୍ରଧାନଙ୍କ ପୁଅ ଓ ଝିଅ ଭିନ୍ନକ୍ଷମ ଥିଲେ। ସେ ଦୁହିଁଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଉଥିଲା। ପୁଅ ଓ ଝିଅ ଉଭୟେ ଭିନ୍ନକ୍ଷମ ଥିବା ଯୋଗୁଁ ଅନିତାଙ୍କ ମାନସିକ ଅବସ୍ଥା ଖରାପ ହେବାରେ ଲାଗିଥିଲା। ଏମଧ୍ୟରେ ଅନିତାଙ୍କ ଭିନ୍ନକ୍ଷମ ପୁଅ ଓ ଝିଅ ଙ୍କ ମୃତ୍ୟୁ ଘଟିବା ପରେ ଅନିତାଙ୍କ ମାନସିକ ଅବସ୍ଥା ଅତ୍ୟନ୍ତ ଖରାପ ହେବାସହ ସେ ବିଷପାନ କରିଥିଲେ। ବିଷପାନ କରିଥିବା ଅନିତାଙ୍କ ଚିକିତ୍ସା ପରେ ସେଥିରୁ ସେ ରକ୍ଷା ପାଇଥିଲେ ମଧ୍ୟ ତାଙ୍କର ପାକସ୍ଥଳୀ ଖରାପ ହୋଇଯିବା ଯୋଗୁଁ ପାଇପ ଦ୍ୱାରା ଅନିତାଙ୍କୁ ଖାଦ୍ୟ ଦିଆଯାଉଛି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅନିତାଙ୍କ ବୟସ ହୋଇନାଥିବା ବେଳେ ଅନ୍ୟ କୌଣସି ଭତ୍ତା ପାଇବା ପାଇଁ ମଧ୍ୟ ସେ ଯୋଗ୍ୟ ହୋଇପାରୁନଥିବା ଯୋଗୁଁ ଭତ୍ତା ଦେବା ସମ୍ଭବ ହେଉନାହିଁ। ବିଡ଼ିଓ ଶ୍ରୀ ପାତ୍ର ରାମଗଡ଼ ଯାଇ ଅନିତାଙ୍କ ପରିବାରକୁ ଭେଟି ଆସଥିବା ବେଳେ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଉପଜିଲ୍ଲାପାଳ ମହୋଦୟଙ୍କ ନିକଟକୁ ସୁପାରିଶ କରିଥିବା ବେଳେ ତୁରନ୍ତ ଆର୍ଥିକ ସହାୟତା ମିଳିବ ବୋଲି କହିଛନ୍ତି। ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଛନ୍ତି ଯେ ସେହି ପରିବାରକୁ ଆୟ ପ୍ରମାଣ ପତ୍ର ପାଇଁ ଦରଖାସ୍ତ କରିବାକୁ ସେ ନିଜେ କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆୟ ପ୍ରମାଣ ପତ୍ର ପାଇଁ ଆବେଦନ କରିନାହାଁନ୍ତି। ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ପାଇବାକୁ ହେଲେ ଆୟ ପ୍ରମାଣ ପତ୍ର ଜରୁରୀ।ଏହାସଙ୍ଗେ ସେ ଯେଉଁ ହସ୍ପିଟାଲରେ ଚିକିତ୍ସା ହେବେ ସେଠାର ଡାକ୍ତରଙ୍କ ଠାରୁ ଖର୍ଚ୍ଚର ପରିମାଣ ଲିଖିତ ଭାବେ ଆଣି ପ୍ରଶାସନ ଜରୀଆରେ ହେଉ କିମ୍ବା ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଆବେଦନ କରିବେ। ଅନିତା ପ୍ରଧାନ ଆୟ ପ୍ରମାଣ ପତ୍ର ପାଇଁ ତହସିଲ ଅଫିସକୁ ଆବେଦନ କରିନଥିବା ବେଳେ ଆୟ ପ୍ରମାଣ ପତ୍ର ପାଇ ନଥିବା ଯୋଗୁଁ ନିୟମ ପ୍ରକାରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆବେଦନ ହୋଇ ନଥିବା ନେଇ ଆଶଙ୍କା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ