ଇଛାପୁରବାସୀଙ୍କ ଦୁଃଖ
ନାଉଗାଁ-: ସରକାର ଗ୍ରାମଂଚଳରେ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋବୃତି ଯୋଗୁଁ କେଉଁଠି ବ୍ୟକ୍ତିଗତ ଘରରୁ ରାସ୍ତା ନିର୍ମାଣ ହେଉଛି ତ ଆଉ କେଉଁଠି ଅନାବଶ୍ୟକ ସ୍ଥାନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ପ୍ରକଳ୍ପ ନିର୍ମାଣ କରାଯାଉଛି । ହେଲେ ଆବଶ୍ୟକତା କରୁଥିବା ଗାଁ ଗୁଡିକରେ ରାସ୍ତା ନିର୍ମାଣ କରାଯାଇ ପାରୁନାହିଁ । ଫଳରେ ଉକ୍ତ ଗାଁର ଜନସଧାରଣମାନେ ନାହିଁ ନଥିବା ଅସୁବିଧାର ସମ୍ମୁକୀନ ହେଉଛନ୍ତି । ଯାହାର ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗ୍ରାମ ପଂଚାୟତ ଗୋଠଦା ଗ୍ରାମରେ ଥିବା ପଡାଗାଁ ଇଛାପୁର କ୍ଷେତ୍ରରେ ।ଏପରିକି ଉକ୍ତ ପଡା ଗାଁକୁ ରାସ୍ତା ସଂଯୋଗ ଥିଲେ ମଧ୍ୟ ୨୦ବର୍ଷରୁ ଉର୍ଦ୍ଧ ବର୍ଷ ହେବ ମାଟି ମୁଠାଏ ପଡି ନଥିବା ଅଭିଯୋଗ ହେଉଛି ।
ସୂଚନା ମୁତାବକ ନାଉଗାଁ ବ୍ଲକ ନାଉଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋଠଦା ରାଜସ୍ୱ ଗ୍ରାମର ପଡାଗ୍ରାମ ହେଉଛି ଇଛାପୁର(ୱାର୍ଡ-୨୧) । ଏହି ପଡାଗ୍ରାମରେ ୪୦ରୁ ଉର୍ଦ୍ଧ ପରିବାର ଥିବା ବେଳେ ୨୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ଉକ୍ତ ପଡାଗ୍ରାମଟି ରାଜସ୍ୱ ଗ୍ରାମ ଠାରୁ ପାଖାପାଖି ୧ କିଲୋମିଟର ଦୁରରେ ଅବସ୍ଥିତ । ଉକ୍ତ ରାଜସ୍ୱ ଗ୍ରାମରୁ ପ୍ରାୟ ୧୯୭୦ମସିହାରେ ଏହି ପଡାଗ୍ରାମକୁ ରାସ୍ତା ସଂଯୋଗ ପାଇଁ ମାଟି ରାସ୍ତାଟି ନିର୍ମାଣ କରାଯାଇଥିଲା । ଏହା ସହିତ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଏହି ରାସ୍ତାରେ ୩ଟି କଲର୍ଭଟ ନିର୍ମାଣ କରାଯାଇଥିଲା । ଏହାପରେ ଥରେ ଅଧେ ରାସ୍ତାରେ ବାଲି ମରମ ପକାଯାଇ ମରାମତି କରାଯାଇଥିଲେ ମଧ୍ୟ ଗତ ୨୦ବର୍ଷରୁ ଉର୍ଦ୍ଧ ବର୍ଷ ହେବ ମରାମତିର ନ ଧାରାଯାଇ ନାହିଁ । ଫଳରେ ରାସ୍ତାରେ ବେଣା,ଘାସ ଓ ବଡ ବଡ ଖାଲଖମାରେ ଭର୍ତି ହୋଇଛି ।ଏହା ସହିତ କଲର୍ଭଟ ଗୁଡିକ ଭାଙ୍ଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି । ଯାହାଫଳରେ ଏହି ରାସ୍ତା ଦେଇ ଯିବା ଆସିବା କରିବା ବହୁତ ଅସୁବିଧା ହେଉଛି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହି ପଡାଗାଁରେ ବର୍ତମାନ ୧୦ଜଣରୁ ଅଧିକ ଛୋଟ ପିଲା ଓ ଗର୍ଭବତୀ ମହିଳା ରହୁଛନ୍ତି । ଏମାନଙ୍କୁ ସ୍ୱାସ୍ଥ୍ୟସେବା ଓ ସରକାରଙ୍କ ପ୍ରଦତ ଅନ୍ୟାନ୍ୟ ସେବା ଅଙ୍ଗନୱାଡି କେନ୍ଦ୍ରରେ ଯୋଗାଇ ଦିଆଯାଉଛି । ଉକ୍ତ ଅଙ୍ଗନୱାଡି କେନ୍ଦ୍ରଟି ରାଜସ୍ୱ ଗ୍ରାମରେ ରହିଛି । ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଛୋଟ ପିଲାମାନେ ଯିବା ସମ୍ଭବ ହେଉ ନଥିବା ବେଳେ ପ୍ରସୂତୀ ଓ ଗର୍ଭବତୀ ମହିଳାମାନେ ସେଠାକୁ ଯାଇ ପାରୁନାହନ୍ତି । ଫଳରେ ସେମାନେ ଉପଯୁକ୍ତ ସେବା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ସରକାରଙ୍କ ଦ୍ୱାରା ଗାଁ କଲ୍ୟାଣ ସମିତି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କୌଣସି ବି କାର୍ଯ୍ୟ ଏହି ପଡାଗ୍ରାମରେ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି । ସେହିପରି ରାସନ ସାମଗ୍ରୀ ଓ ଭତା ଆଦି ଆଣିବା ପାଇଁ ମଧ୍ୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଉକ୍ତ ପଡାବାସୀମାନେ ରାଜସ୍ୱ ଗ୍ରାମକୁ ଯିବାକୁ ହେଲେ ତିୁରଣା ଓ ବାଂଶ ପଂଚାୟତ ସହିତ ନାଉଗାଁ ବଜାର ଦେଇ ପ୍ରାୟ ୬କିମିରୁ ଉର୍ଦ୍ଧ ବାଟ ବୁଲିକି ଯିବାକୁ ପଡୁଛି । ଉକ୍ତ ପଡାଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ବହୁବାର ପଲ୍ଲିସଭାରେ ପ୍ରକଳ୍ପ ଦିଆଯାଇଥିଲେ ମଧ୍ୟ ରାଜସ୍ୱ ଗ୍ରାମରେ ଅଧିକ ଲୋକଥିବାରୁ ସେମାନଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଉ ନଥିବା ପଡାବାସୀ ପ୍ରକାଶ କରିଛନ୍ତି । କିନ୍ତୁ ଏହି ରାସ୍ତାର କିଛି ଭାଗ ପୂର୍ବତନ ବିଧାୟକ ଚିରଂଜୀବି ବିଶ୍ୱାଳ ଓ ରାଜ୍ୟସଭା ସାଂସଦଙ୍କ ଅନୁଦାନରେ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି । ଏହି ୧କି.ମି ରାସ୍ତାକୁ ମରାମତି କରାଗଲେ କେବଳ ପଡାଗାଁ ଇଛାପୁର ନୁହେଁ ବରଂ ଅନ୍ୟ ପଂଚାୟତ ତଥା ଗ୍ରାମ ନରଣପୁର, କୁରିକି, ତେଂଟୋଇ, ଗଂଗଦା,ଡେରିକି, କୋରୁଅ ଆଦି ଗ୍ରାମର ଜନସାଧାରଣମାନେ ସହଜରେ ତହସିଲ, ବ୍ଲକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦିକୁ ଯାତାୟତ କରିପାରିବେ ବୋଲି ଯୁବନେତା ତଥା ସମାଜସେବୀ ରଶ୍ମୀରଂଜନ ତ୍ରିପାଠୀ କହିଛନ୍ତି । ସରକାରୀ କାର୍ଯ୍ୟକ୍ରମରୁ ସେମାନଙ୍କୁ ବାରମ୍ବାର ଅଣଦେଖା କରାଯାଉଛି । ଏହି ରାସ୍ତାକୁ ନିର୍ମାଣ କରା ନଗଲେ ଏହାକୁ ନେଇ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦେବେନ୍ଦ୍ର ତ୍ରିପାଠୀ, ବାଉରୀବଂଧୁ ତ୍ରିପାଠୀ, ଲଲାଟ ବିଶ୍ୱାଳ, ଶତ୍ରୁଘନ ବିଶ୍ୱାଳ, ଉତମ ବିଶ୍ୱାଳ, ବିଜୟ ମହାନ୍ତି, ବାବାଜି ଦାସ, ଅଜୟ ଦାସ, ପ୍ରଦିପ୍ତ ରାୟ ଆଦି ଚେତାବନୀ ଦେଇଛନ୍ତି ।