ଇଞ୍ଚୋଳରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମହିଳାଙ୍କ ପରିବାର ଲୋକେ ଏହାକୁ ରୋଗରେ ମୃତ୍ୟୁ ଘଟିଥିବା କହୁଥିବାବେଳେ ମହିଳାଙ୍କ ବାପଘର ଲୋକେ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଛନ୍ତି । ଅଭିଯୋଗ ରୁ ଜଣାଯାଇଛି ଯେ ସୋସୋ ଥାନା ଆମ୍ବଗଡିଆ ଗ୍ରାମର ମାଧବାନନ୍ଦ ରାଉତଙ୍କ ଝିଅ ସୁରେଖା ଗତ ୧୦/୧୨ବର୍ଷ ପୁର୍ବେ ନନ୍ଦିପଦା ଥାନା ଇଞ୍ଚୋ ଗ୍ରାମର ଆଦିକନ୍ଦ ସ୍ୱାଇଁଙ୍କ ସହିତ ବିବାହ ହୋଇଥିଲା । କିନ୍ତୁ ଗତ କିଛିବର୍ଷ ହେଲା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଲାଗି ରହିବା ସହ ଆଦିକନ୍ଦ ସବୁବେଳେ ସୁରେଖାକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲା । ପୁର୍ବରୁ ମଧ୍ୟ ଏନେଇ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଦୁଇ ତିନିଥର ସମାଧାନ ମଧ୍ୟ ହୋଇଥିଲା । ଗତ ଦୁଇମାସ ହେଲା ଆଦିକନ୍ଦ ତାର ଶ୍ୱଶୁର ଘରକୁ ଫୋନକରି ତୁମ ଝିଅକୁ ଆସି ନେଇଯାଅ ବୋଲି ବାରମ୍ବାର କହିି ଆସୁଥିଲା । ଆଜି ଆଦିକନ୍ଦର ଜଣେ ସାଙ୍ଗ ଠାରୁ ସୁରେଖାର ମୃତ୍ୟୁ ଖବରପାଇ ପରିବାର ଲୋକେ ଇଞ୍ଚୋଳରେ ପହଞ୍ଚି ସୁରେଖାର ମୃତଦେହ ଭଦ୍ରକ ଡାକ୍ତରଖାନାରୁ ଫେରୁଥିବା ଜାଣିବାକୁ ପାଇଥିଲେ । ତାର ପେଟ ଫୁଲି ଯିବାରୁ ତାକୁ ଭଦ୍ରକ ଡାକ୍ତରଖାନା ନେବା ବାଟରେ ତାର ମୃତ୍ୟୁ ଘଟିଥିଲା । ଭଦ୍ରକ ଡାକ୍ତରଖାନାରେ ଶବ ପୋଷ୍ଟମଟମ ହୋଇ ଘରକୁ ଆସିବାପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବାପଘର ଲୋକେ ଅଭିଯୋଗ କରିଥିଲେ । ଏହାକୁନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ସୁରେଖାର ଭାଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପୋଷ୍ଟମଟମ ହୋଇଥିବା ଦେଖିବାସହ ରିପୋର୍ଟ ଆସିବା ପରେ ଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିବାପରେ ଉତ୍ତେଜନା ହ୍ରାସ ପାଇଥିଲା ।