ଇଞ୍ଜେକ୍ସନ ରିଏକ୍ସନ ରେ କନିଷ୍ଠ ଯନ୍ତ୍ରୀ ଗୁରୁତର : ଚିକିତ୍ସା ଅବହେଳାର ତଦନ୍ତ ଦାବି

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି I ଗତ ଏପ୍ରିଲ 26 ତାରିଖରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ବିଶ୍ୱରଂଜନ ଜେନାଙ୍କୁ ତରଳ ଝାଡ଼ା ହେବାରୁ ଶ୍ରୀ ଜେନା ରାତି ଦଶଟାରେ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲା I ସେଠାରେ ତାଙ୍କୁ ଜନୈକ ଡ଼ାକ୍ତର ଦୁଇଟି ଇଞ୍ଜେକ୍ସନ ଦେଇ ଘରକୁ ପଠାଇ ଦେଇଥିଲେ I କିନ୍ତୁ ଘରକୁ ଆସିବା ପରେ ତାଙ୍କ ଶରୀର ଅହେତୁକ ଭାବେ ଫୁଲି ଯାଇଥିଲା I ପରଦିନ ସକାଳେ ସେ ପୁଣି ବେଲଗୁଣ୍ଠା ମେଡିକାଲ୍ କୁ ଯାଇଥିଲେ I ସେଠାରେ ପୁଣି ତାଙ୍କୁ କିଛି ମେଡ଼ିସିନ୍ ଦେଇ ଘରକୁ ପଠାଇ ଦିଆଗଲା I କିନ୍ତୁ ଘରକୁ ଆସିବା ପରେ ଫୂଲା କମିବା ବଦଳରେ ତାଙ୍କର ଦେହ ସାରା ଫଳି ଯାଇଥିଲା I ପରେ ତାଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା I ସେଠାରେ ଶ୍ରୀ ଜେନାଙ୍କ ଠାରେ ଏହା ଇଞ୍ଜେକ୍ସନର ପ୍ରତିକ୍ରିୟା ବୋଲି ଡ଼ାକ୍ତର ପ୍ରକାଶ କରିବା ସହିତ କିଛି ଚିକିତ୍ସା କରି ଦୁଇ ତିନି ଘଣ୍ଟା ପରେ ଘରକୁ ପଠାଇ ଦେଇଥିଲେ I କିନ୍ତୁ ଘରକୁ ଆସିବାର ଦୁଇ ତିନି ଦିନ ପରେ ଶ୍ରୀ ଜେନାଙ୍କ ଶରୀର ଜଳାପୋଡ଼ା ହେବା ସହ ହାତ ଗୋଡ଼ ଏକ ପ୍ରକାର ଅଚଳ ହୋଇଯାଇଥିଲା I କାନକୁ ମଧ୍ୟ ଶୁଭି ନଥିଲା I ଏହିଭଳି ପରିସ୍ଥିତିରେ ଶ୍ରୀ ଜେନାଙ୍କ ସ୍ତ୍ରୀ ଗତ 30 ତାରିଖରେ ବିଶ୍ୱରଂଜନଙ୍କୁ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲ୍ ରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ମଧ୍ୟ ବିଶ୍ୱରଂଜନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ଅନୁଭବ କରି ତାଙ୍କ ସ୍ତ୍ରୀ ତାଙ୍କୁ ସମ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ I ସେଠାରେ ମଧ୍ୟ ବିଶ୍ୱରଞ୍ଜନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିନଥିବା ବେଳେ ସେଠାରେ ସେ ଚିକିତ୍ସା ପରେ ବର୍ତମାନ କିମ୍ସ ହସ୍ପିଟାଲରେ ଆଡ଼ମିଟ ଅଛନ୍ତି I ଘଟଣା ନେଇ ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳା ଏବଂ ଡ଼ାକ୍ତରଙ୍କ ବେପରୁଆ କାର୍ଯ୍ୟକୁ ବିଶ୍ୱରଞ୍ଜନଙ୍କ ସ୍ତ୍ରୀ ଦାୟୀ କରିବା ସହିତ ଘଟଣା ସମ୍ପର୍କରେ ତଦନ୍ତ କରି ଦାୟିତ୍ୱହୀନ ଡ଼ାକ୍ତର ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି I ପ୍ରକାଶ ଥାଉକି କିଛି ଦିନ ତଳେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ମେଡିକାଲ୍ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି I ସୂଚନା ପ୍ରକାରେ ଗତ ମାସ 23 ତାରିଖ ରାତିରେ ଗୋବରା ଅଞ୍ଚଳର ବିଶିଷ୍ଟ ଘରୋଇ ଚିକିତ୍ସକ ଶିଶିର କାନ୍ତ ତ୍ରିପାଠିଙ୍କ ରକ୍ତଚାପ ଏବଂ ମଧୂମେହ ବଢ଼ିଯିବା ପରେ ତାଙ୍କୁ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I କିନ୍ତୁ ସେଠାରେ ଡ଼ାକ୍ତର ନଥିବା ଦର୍ଶାଇ ମେଡିକାଲ୍ କର୍ମଚାରୀ ତାଙ୍କୁ ଘରକୁ ପଠାଇଦେଇଥିଲେ I ତେଣୁ ତାଙ୍କୁ ଘରକୁ ଫେରାଇ ନିଆଯାଇଥିଲା ଏବଂ ସକାଳକୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଥିଲା I ସକାଳେ ତାଙ୍କୁ ପୁଣି ମେଡିକାଲ୍ ଆଣିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଉପରୋକ୍ତ ଦୁଇଟି ଘଟଣା ହିଁ ବେଲଗୁଣ୍ଠା ବ୍ଳକ୍ ର ଡ଼ାକ୍ତରଖାନା ଗୁଡିକର ଅସଲ ଚେହେରାକୁ ପଦାରେ ପକାଇ ଦେଉଛି I ବର୍ତ୍ତମାନ ମେଡିକାଲ୍ ଗୁଡ଼ିକର ସାଜସଜ୍ଜା ପଞ୍ଚ ତାରକା ବିଶିଷ୍ଟ ହୋଟେଲ୍ କୁ ମଧ୍ୟ ବଳି ଯାଇଛି I ମେଡିକାଲ୍ ଗୁଡ଼ିକ ଭିତରେ ଆଲୋକ ସଜା, ଶିଶୁ ଉଦ୍ୟାନ, ମନ୍ଦିର ପ୍ରଭୃତି ଲୋକଙ୍କୁ ଆକୃଷ୍ଟ କରୁଛି I କିନ୍ତୁ ରୋଗୀଟିଏ ଆସିଲେ ସେ ଉପଯୁକ୍ତ ଚିକିତ୍ସା ନପାଇ ଭଗବାନଙ୍କୁ ଭରସା କରି ଫେରି ଯାଉଛି I ଅଧିକାଂଶ ମେଡିକାଲ୍ ରେ ମେଡିକାଲ୍ କର୍ମଚାରୀ ମାନେ ରୋଗୀ ସେବା ଛାଡି କାୟାକଳ୍ପ ପୁରସ୍କାର ପଛରେ ଦୌଡୁଥିବା ଦେଖାଯାଇଛି I ଏପରିକି କିଛି ମେଡିକାଲ୍ ରେ ଡ଼ାକ୍ତର, ନର୍ସ ଏବଂ ଫାର୍ମାସିଷ୍ଟ ମାନେ ଉପରିସ୍ଥ ଅଧିକାରୀଙ୍କୁ ଖୁସି କରିବା ପାଇଁ ରୋଗୀ ସେବା ଛାଡି ନିଜେ ଗଛରେ ପାଣି ଦେବା ସହ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାଇ ଉପର ଅଧିକାରୀଙ୍କୁ ମେଡିକାଲ୍ ର ସାଜସଜା ବୁଲି ଦେଖାଉଛନ୍ତି I ଉପରିସ୍ଥ ଅଧିକାରୀ ମଧ୍ୟ ଡ଼ାକ୍ତର ପଦବୀ ପୂରଣ, ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥାକୁ ଗୁରୁତ୍ୱ ନଦେଇ କାୟାକଳ୍ପ ପୁରସ୍କାର ହାସଲ କରିବାକୁ ପ୍ରତିଯୋଗୀତା କରିବା ପାଇଁ ମେଡିକାଲ୍ କର୍ମଚାରୀଙ୍କୁ କହୁଛନ୍ତି I ଅନ୍ୟପଟେ ଚିକିତ୍ସା ଅବହେଳାର ଶିକାର ହୋଇ ମାସକୁ ଶହ ଶହ ରୋଗୀ ବିଶ୍ୱରଞ୍ଜନ ଏବଂ ଶିଶିର କାନ୍ତଙ୍କ ପରିସ୍ଥିତି ଭୋଗୁଛନ୍ତି I ଏନେଇ ଅଞ୍ଚଳରେ ଜନ ଅସନ୍ତୋଷ ଦାନା ବାନ୍ଧୁଥିବା ଜଣା ପଡ଼ିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ