ଇଟିକିଲି ମିଟିକିଲି ଚିତ୍ରାଙ୍କନ ପ୍ରଦର୍ଶନୀ, ପିଲାଙ୍କ ତୂଳୀରେ ମହାତ୍ମା

ଭୁବନେଶ୍ୱର: ଚଳିତ ବର୍ଷ ସମଗ୍ର ଦେଶ, ଜାତିରଜନକ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଥିବା ଅବସରରେ ପିଲାଙ୍କ ଅନୁଷ୍ଠାନ ଇଟିକିଲି ମିଟିକିଲି ଆନୁକୂଲ୍ୟରେ ଆଜି ଜୟଦେବ ଭବନଠାରେ ‘୧୫୦ ବର୍ଷରେ
ମହାତ୍ମା’ ଶୀର୍ଷକ ଏକ ଦ୍ୱି-ଦିବସୀୟ ପିଲାଙ୍କ ଚିତ୍ରକଳା ପ୍ରଦର୍ଶନୀ ଉଦ୍‍ଘାଟିତ ହୋଇଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୫୦ ଜଣ ସାନସାନ ପିଲାଙ୍କର ମହାତ୍ମା ଗାନ୍ଧୀଙ୍କ ସଂପର୍କୀୟ ଆକର୍ଷଣୀୟ ଚିତ୍ର ସମୂହ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି । ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ- ଗାନ୍ଧିଜୀଙ୍କ ଚଷମାରେ ସ୍ୱଚ୍ଛ ଭାରତ, ଚତୁର୍ଥରୁ ସପ୍ତମ ଶ୍ରେଣୀର ପିଲାମାନେ- ବାଡ଼ି ଧରି ଠିଆ ହୋଇଥିବା ଗାନ୍ଧିଜୀ, ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ-ଗାନ୍ଧିଜୀଙ୍କ ଦାଣ୍ଡି ଯାତ୍ରା ଇତ୍ୟାଦି ଦୃଶ୍ୟ ସମ୍ବଳିତ ଚିତ୍ରସମୂହ ଅଙ୍କନ କରିଛନ୍ତି । ଏସବୁ ଚିତ୍ର ମାଧ୍ୟମରେ ଗାନ୍ଧୀଙ୍କୁ ଅଧିକ ଜାଣିବା ସହିତ, ଗାନ୍ଧିଜୀଙ୍କ ପ୍ରତି ଥିବା ଅନୁଭବକୁ ପିଲାମାନେ ନିଜର ଚିନ୍ତାଧାରା ଓ ସୃଜନଶୀଳତାର ରଙ୍ଗତୂଳୀରେ ବେଶ୍‍ ସୁନ୍ଦର ଭାବରେ ପରିସ୍ଫୁଟନ କରିଥିବାର ପରିଲକ୍ଷିତ ହୋଇଛି । ଇଟିକିଲି ମିଟିକିଲିର ସଭାପତି ଦାଶ ବେନହୁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଜିର ଉଦ୍‍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଯୋଗଦେଇ ସ୍ୱାଧୀନତା ସଂଗ୍ରାମ ସମୟରେ ନିଜ ଅନୁଭୂତି ବର୍ଣ୍ଣନା କରିବା ସହିତ ଏହି ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍‍ଘାଟନ କରଥିଲେ । ମୁଖ୍ୟ ଅତିଥିଙ୍କ ସହିତ ‘ଉକ୍ରଳ ପ୍ରସଙ୍ଗ’ର ସମ୍ପାଦକ ଡକ୍ଟର ଲେନିନ୍‍ ମହାନ୍ତି, ଏନ୍‍ଏସ୍‍ଆଇସିର ରାଜ୍ୟ ମୁଖ୍ୟ ପ୍ରବାସ ନାୟକ, ସେଣ୍ଟ୍ରାଲ ଟୁଲ୍‍ ରୁମ୍‍ର ପରିଚାଳନା ନିର୍ଦ୍ଦେଶକ ଶିବାଶୀଷ ମାଇତି, ସେଣ୍ଟ୍‍ ଜାଭିୟର ଇଣ୍ଟରନ୍ୟାସନାଲ ଏଜୁକେଶନ ଗ୍ରୁପ୍‍ର ଅଧ୍ୟକ୍ଷ ଡକ୍ଟର ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଉଦ୍‍ଘାଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶିଶୁ-ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରଥିଲେ । ଏହି ଅବସରରେ ଅତିଥିବୃନ୍ଦ ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ପାଇଥିବା ଚିତ୍ର ସମୂହକୁ ଅବଲୋକନ କରି ପିଲାମାନଙ୍କ ପାରଦର୍ଶିତା ଓ ସୃଜନଶୀଳତାକୁ ବେଶ୍‍ ଉଚ୍ଚ ପ୍ରଶଂସା କରିଥିଲେ । ଉଦ୍‍ଘାଟନ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ସଂଯୋଜନା କରିଥିବାବେଳେ, ଚିତ୍ରକଳା ପ୍ରଦର୍ଶନୀ ପରିଚାଳନାରେ ଇଟିକିଲି ମିଟିକିଲିର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା, ସଂଯୋଜକ ଚିତ୍ତ ମହାପାତ୍ର, ସହ-ସଚିବ ଜୟପ୍ରକାଶ ମିଶ୍ର, ସାଂସ୍କୃତିକ ସଂପାଦିକା ଅନୀତା ରଥ, ପ୍ରିୟଦର୍ଶୀ ଶୁଭକାନ୍ତ, ପ୍ରତିମା ମିଶ୍ର, ତୃପ୍ତି ବାରିକ ଓ ଶିଳ୍ପୀତା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ