ଇଟିକିଲି ମିଟିକିଲି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପିଲାଙ୍କ ଅନୁଷ୍ଠାନ ଇଟିକିଲି ମିଟିକିଲିର ୨୯ତମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆଜି ଭୁବନେଶ୍ୱରସ୍ଥିତ ରୟାଲ ହାୟର ସେକେଣ୍ଡାରୀ ସ୍କୁଲ ଅଫ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି ଅଡ଼ିଟୋରିଅମ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି । ଜାତୀୟ ସମ୍ମାନପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପିଲାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଉପଯୁକ୍ତ ମଞ୍ଚରେ ସୁଯୋଗ ଦେଇ ଲୋକଲୋଚନକୁ ଆଣିବା ନିମନ୍ତେ ଦୀର୍ଘ ଅଣତିରିଶ ବର୍ଷ ଧରି ଇଟିକିଲି ମିଟିକିଲି ଯେଉଁ ପ୍ରଚେଷ୍ଟା ଜାରି ରଖିଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତପ୍ରକାଶ କରିଥିଲେ । ଅନୁଷ୍ଠାନର ଉପସଭାପତି ଚିତ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବରିଷ୍ଠ ଖବର ଉପସ୍ଥାପକ ସଂଗ୍ରାମ ଷଡ଼ଙ୍ଗୀ, ରୟାଲ ହାୟର ସେକେଣ୍ଡାରୀ ସ୍କୁଲର ନିର୍ଦ୍ଦେଶକ ବିଷ୍ଣୁମୋହନ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପିଲାମାନଙ୍କ ପ୍ରତିଭା ବିକଶିତ ହେଲେ, ଆମ ରାଜ୍ୟର ସାହିତ୍ୟ, ନୃତ୍ୟ, ସଂଗୀତ, କଳା ଇତ୍ୟାଦି ଭବିଷ୍ୟତରେ ଅଧିକରୁ ଅଧିକ ସମୃଦ୍ଧ ହୋଇପାରିବ ବୋଲି ବକ୍ତବ୍ୟରେ କହିଥିଲେ । ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ନିଜ ବକ୍ତବ୍ୟରେ ଅଭିଭାବକମାନଙ୍କ ସହଯୋଗ ଓ ପିଲାମାନଙ୍କ ସଂପୃକ୍ତି ଯୋଗୁ ଦୀର୍ଘବର୍ଷ ହେଲା ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହୋଇଆସୁଛି ବୋଲି ମତପ୍ରକାଶ କରିଥିଲେ । ଏହାପରେ ଆୟୋଜିତ ହୋଇଥିଲା ଓଡ଼ିଆ କବିତା ଆବୃତ୍ତି ଓ ଓଡ଼ିଆ ସମ୍ବାଦପାଠ ପ୍ରତିଯୋଗିତା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁସାହିତ୍ୟିକ କୃତ୍ତିବାସ ନାୟକ, ଲକ୍ଷ୍ମୀକାନ୍ତ ଖଣ୍ଟିଆ, ପ୍ରଜ୍ଞା ପାରମିତା ସାହୁ ପ୍ରମୁଖ ବିଚାରକ ଭାବରେ ଯୋଗଦାନ କରି ଯୋଗ୍ୟ ଶିଶୁପ୍ରତିଭାମାନଙ୍କୁ ଚୟନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ଣରୁ ରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଓଡ଼ିଶୀ ଓ ଲେକନୃତ୍ୟର ମନଛୁଆଁ କାର୍ଯ୍ୟକ୍ରମ ନାଦମ୍ବିକା । ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଗୁରୁ ଦେବବ୍ରତ ଦାସ, ଗୁରୁ ପୀତାମ୍ବର ବିଶ୍ୱାଳ ଓ ପ୍ରାଧ୍ୟାପକ ଜେନାମଣି ସଞ୍ଜିବ କୁମାର ପ୍ରମୁଖ ବିଚାରକ ଭାବରେ ଉପସ୍ଥିତ ରହି କୃତୀ ନୃତ୍ୟଶିଳ୍ପୀମାନଙ୍କୁ ଚୟନ କରିଥିଲେ । ଆଜିର ସମସ୍ତ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଦୁଇଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ସଂପାଦିକା ଅନିତା ରଥ, ସଂଗଠନ ସଂପାଦକ ପ୍ରିୟଦର୍ଶୀ ଶୁଭକାନ୍ତ, ସଦସ୍ୟ ରଜନୀକାନ୍ତ ରାଉତ, ପ୍ରିୟଦର୍ଶୀ ସୌମ୍ୟକାନ୍ତ ପ୍ରମୁଖ ପରିଚାଳନା କରିଥିଲେ । ଏହି ସ୍ଥାନରେ ଆଗାମୀ ୨୬ ତାରିଖ ସକାଳ ଦଶଟାରୁ ରାତ୍ର ଦଶଟା ପର୍ଯ୍ୟନ୍ତ ଅନ୍ୟାନ୍ୟ ପ୍ରତିଯୋଗିତା ଯଥା- କଣ୍ଠ ସଙ୍ଗୀତ, ଶିଶୁ ସୌନ୍ଦର୍ଯ୍ୟ ପ୍ରର୍ଦଶନ, ସଙ୍ଗୀତ ଭତ୍ତିକ ନୃତ୍ୟ ଓ ପିତା-ମାତାଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଚିବ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Spread the love

Advertisement

ଏବେ ଏବେ