ଇଡକୋକୁ ଜଙ୍ଗଲ ଜମି ପ୍ରଦାନକୁ ବିରୋଧ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ରାଜ୍ୟ ସରକାରଙ୍କ ଚନ୍ଦ୍ରଭାଗା ନିକଟରେ ଇଡକୋ କୁ ଜଙ୍ଗଲ ଜମି ପ୍ରଦାନ ଓ ବୃକ୍ଷ ସୁରକ୍ଷା ନିମନ୍ତେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରେରଣା ତରଫରୁ ପ୍ରତିବାଦ ରାଲି ସୋମାବାର ପୁର୍ବାହ୍ନରେ ଚନ୍ଦ୍ରଭାଗା ଠାରେ ଅନୁଷ୍ଠିତ ହୋଇଯାଇଛିି । ପେରଣାର ସଭାପତି ଡ. ଦିଲ୍ଲିପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ପ୍ରତିବାଦ ରାଲି ଚନ୍ଦ୍ରଭାଗା ଛୋଟାବାବା ଆଶ୍ରମ ଠାରୁ ବାହାରି ସ୍ଥିରିକୃତ ଜଙ୍ଗଲ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ସମସ୍ତ ବୃକ୍ଷପ୍ରେମୀ ମାନେ ବୃକ୍ଷକୁ ଧରି ତାହାର ସୁରକ୍ଷା କରିବା ଓ ଜଙ୍ଗଲ ଜମିକୁ ଇଡକୋକୁ ପ୍ରଦାନ ନକରିବା ସହ ଗଛ ନକାଟିବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇ ସ୍ଲୋଗାନ ମାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିବାଦ ସଭାରେ କରମଙ୍ଗା ଜଙ୍ଗଲ ସୁରକ୍ଷା ସମିତିର ସଭାପତି ଭାଗିରଥି ସ୍ୱାଇଁ, ବୃକ୍ଷପ୍ରେମି ଜ୍ଞାନ ରଞନ ବିଶ୍ୱାଳ, ଯୁବ ସଂଗଠକ ଗୋପିନାଥ ସ୍ୱାଇଁ, ସମାଜସେବୀ ମିର ଅହମଦ ଅଲି ପ୍ରମୂଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏହି ଧ୍ୱଂସକାରୀ ନିତୀକୁ ବିରୋଧ କରିଥିଲେ । ସୁଚନାଯୋଗ୍ୟଯେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଅନ୍ତର୍ଗତ ଚନ୍ଦ୍ରଭାଗା ନିକଟସ୍ତ କରମଙ୍ଗା ଗ୍ରାମ୍ୟ ସୁରକ୍ଷା ଜଙ୍ଗଲରୁ ରାଜ୍ୟ ସରକାର ତଥା ଜଙ୍ଗଲ ବିଭାଗ ଶାଗ ମାଛ ଦରରେ ଇଡକୋକୁ ପ୍ରାୟ ୭୦ ଏକର ଜଙ୍ଗଲ ଜମି ବିକ୍ରି କରିଦେବା ସହ ସେଠାରେ ହୋଟେଲ ବ୍ୟବସାୟ କରିବା ପାଇଁ ଯୋଜନା କରିଛି । ଯାହା ଫଳରେ ଭାରତର ଏକମାତ୍ର ମନୁଷ୍ୟକୃତ୍ୟ ଜଙ୍ଗଲ ତଥା ଅଭୟାରଣ୍ୟ ଏବେ ଧ୍ୱଂସ ଅଭିମୁଖ ଆଡକୁ ଗତି କରୁଛି । ଏହା ଦ୍ୱାରା ପ୍ରାୟ ୬୦ ହଜାର ଝାଉଁ ବୃକ୍ଷ ସହ ହଜାର ହଜାର କାଜୁ, ଆକାଶିଆ, ଗ୍ରାଭୋଲିଆ, ଜାମୁ, ନିମ୍ବ, ଉଇକାଲ ପଟାସ ସହିତ ଅନେକ ବୃକ୍ଷ ଲତା ଓ ଗୁଳ୍ମ ଆଦି କଟାଯିବା ପାଇଁ ସ୍ଥିର କରାଯାଇ ଚିହ୍ନଟ ହୋଇ ସାରିଛି । ଚନ୍ଦ୍ରଭାଗା ବେଳାଭୁମିକୁ ଲାଗି ରହିଥିବା ଏହି ଜଙ୍ଗଲ ଯୋଗୁଁ କୋଣାର୍କ ଅଂଚଳ ସୁରକ୍ଷିତ ରହି ଆସିଅଛି । ପ୍ରତିବର୍ଷ ଝଡ ତୋଫାନ ଓ ବାତ୍ୟା ଦାଉରୁ ଏହି ଝାଉଁ ଜଙ୍ଗଲ ଓ ପ୍ରାକୃତିକ ବାଲିବନ୍ତ ସ୍ଥାନିୟ ଅଂଚଳକୁ ସୁରକ୍ଷା କବଚ ଭାବେ ବାନ୍ଧି ରଖିଛି ଯାହାର ଉଦାହରଣ ଆମେ ବିଗତ ବାତ୍ୟା ମାନଙ୍କ ସମୟରେ ଦେଖି ଆସିଅଛୁ । ତେଣୁ ଏହି ଜଙ୍ଗଲ କଟାଯାଇ ଏଠାରେ ହୋଟେଲ କିମ୍ବା ଅନାନ୍ୟ ଶିଳ୍ପ ପ୍ରତିଷ୍ଠା କରାଗଲେ ସିଧାସଳଖ ସ୍ଥାନିୟ ଅଂଚଳର ଲୋକମାନଙ୍କ ଉପରେ ପଡିବା ସହିତ ଜୈବ ବିବିଧତା ନଷ୍ଟ କରିବ । ଲକ୍ଷାଧିକ ବୃକ୍ଷ ସହିତ, ବାଲୁଖଣ୍ଡ ଜଙ୍ଗଲରେ ପ୍ରସିଦ୍ଧି ଲାଭ କରିଥିବା ହରିଣ ଓ ଅନେକ ପସୁ ପକ୍ଷୀ ବାସ ହରାଇ ସହରୀ ମୁହାଁ ହୋଇ ମୃତ୍ୟୁ ମୁଖରେ ପଡିବେ । ସମୁଦ୍ର ଲୁଣା ପବନ ସିଧାସଳଖ ଆସି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦୀର ଶୁକ୍ଷ୍ମ କାରୁକାର୍ଯ୍ୟ ଧ୍ୱଂସ କରିବ । ଝଡ ତୋଫାନ ହେଲେ ସମୁଦ୍ର ପାଣି ମାଡି ଆସି ସବୁ ଧୋଇନେବ । ଯାହା ଫଳରେ କେନ୍ଦ୍ରାପଡା ସାତଭାୟା ପରି କୋଣାର୍କ ଓ ଚନ୍ଦ୍ରଭାଗା ସମୁଦ୍ରରେ ଲିନ ହେବାକୁ ବେଶି ସମୟ ଲାଗିବନି । ଏଣୁ ରାଜ୍ୟ ସରକାର ଏପରି ନିଷ୍ପତି ନବଦଳାନ୍ତି ତେବେ ଆଗାମି ଦିନରେ ଅନ୍ଦୋଳନ ବ୍ୟାପକ ରୁପରେ ଧାରଣ କରି କୋଣାର୍କରୁ ଭୁବନେଶ୍ୱରର ପର୍ଯ୍ୟନ୍ତ ହେବ । ଯଦି ସରକାର ସେଥିରୁ ନିବୃତ ନରୁହନ୍ତି ଏଥିପାଇଁ ଆମ ସଂଗଠନ ଉଚ୍ଚ ନ୍ୟାୟାଳୟ ନହେଲେ ସର୍ବୋଚ୍ଚ ନ୍ୟାୟାଳୟ ସହ ଗ୍ରୀନ ଟ୍ୟ୍ରୁବୁନାଲ ପର୍ଯ୍ୟନ୍ତ ଯିବାକୁ ପଛାଇବ ନାହିଁ ବୋଲି ପ୍ରେରଣା ସଭାପତି ଦିଲିପ ଶ୍ରୀଚନ୍ଦନ ପ୍ରକାଶ କରିଛନ୍ତି । ଏହି ପ୍ରତିବାଦ ଶୋଭାଯାତ୍ରାରେ କୋଣାର୍କ ଅଂଚଳର ବୃକ୍ଷପ୍ରେମୀ ମାନଙ୍କ ସହିତ କରମଙ୍ଗା ଗ୍ରାମର ମହିଳା ମାନେ ଯୋଗ ଦେଇଥିଲେ ।


